Categories: ଜାତୀୟ

ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି ପାଇଁ ଏସ୍‌ଓପି ଜାରି

ନୂଆଦିଲ୍ଲୀ, ୧।୯(ପି.ଟି.): କରୋନା ମହାମାରୀ ଯୋଗୁ ମାର୍ଚ୍ଚ ୨୫ରୁ ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି ବନ୍ଦ ରହିଥିବାବେଳେ ଭିଡିଓ କନ୍‌ଫରେନ୍ସ ଜରିଆରେ କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ଶୁଣାଣି ହେଉଛି। ବିଭିନ୍ନ ଆଇନଜୀବୀ ସଂଗଠନର ଅନୁରୋଧ କ୍ରମେ ପରୀକ୍ଷାମୂଳକ ଭାବେ ପ୍ରତ୍ୟକ୍ଷ ଶୁଣାଣି ଆରମ୍ଭ କରିବା ପାଇଁ ଅଦାଲତ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସର୍ବୋଚ୍ଚ ଅଦାଲତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଓର (ଏସ୍‌ଓପି) ଜାରି କରିଛନ୍ତି। ବିଭିନ୍ନ ବାର୍‌ ଆସୋସିଏଶନର ଅନୁରୋଧ କ୍ରମେ ଅଗଷ୍ଟ ପ୍ରଥମ ଭାଗରେ ଜଷ୍ଟିସ୍‌ ଏନ୍‌.ଭି. ରମାନାଙ୍କ ନେତୃତ୍ୱରେ ୭ ଜଣିଆ ବିଚାରପତି କମିଟି ବୈଠକ ବସି ପରୀକ୍ଷାମୂଳକ ଭାବେ ପ୍ରତ୍ୟକ୍ଷ ଶୁଣାଣି ଆରମ୍ଭ କରିବା ଲାଗି ଭାରତର ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କୁ ସୁପାରିସ କରିଥିଲେ। ଅତିରିକ୍ତ ନିରାପତ୍ତା ନିୟମ ପାଳନ ସହ ପ୍ରତ୍ୟକ୍ଷ ଶୁଣାଣି କରିବା ପାଇଁ କୁହାଯାଇଥିଲା। ତେବେ କେବେଠାରୁ ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି ହେବ ତାହା ଏସ୍‌ଓପିରେ ଉଲ୍ଲେଖ ନାହିଁ। ପ୍ରଥମେ ୩ଟି କୋର୍ଟ ରୁମ୍‌ରେ ଶୁଣାଣି ଆରମ୍ଭ ହେବ ଓ ପରେ ସ୍ଥିତିକୁ ଦେଖି ଏହାକୁ ବଢ଼ାଇବା କିମ୍ବା କମାଇବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ସୁପ୍ରିମକୋର୍ଟ ମହାସଚିବ ସଞ୍ଜୀବ ଏସ୍‌. କାଲଗାଓଁକର କହିଛନ୍ତି।

Share