ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ନିୟମିତ ନେଇ ଏସ୍‌ଓପି ଜାରି

ଭୁବନେଶ୍ୱର,୨୩ା୬(ଅନୁରାଧା ମହାରଣା): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ନିଯୁକ୍ତି ନିୟମିତ କରାଯିବା ନେଇ ଏପ୍ରିଲ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏନେଇ ସ୍ବତନ୍ତ୍ର ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିସ୍ତୃତ ଗାଇଡ୍‌ଲାଇନ ଏବଂ ଏସ୍‌ଓପି ଜାରି ପାଇଁ ପ୍ରାୟ ଅଢ଼େଇ ମାସ ଲାଗିଯାଇଛି। ଅନେକ ଦିନରୁ ନିଯୁକ୍ତି ନିୟମିତ ଦାବି ହୋଇଆସୁଥିବାବେଳେ ଗୁରୁବାର ବିଭାଗ ପକ୍ଷରୁ ଏସ୍‌ଓପି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ, ସାଧାରଣ ପ୍ରଶାସନ ବିଭାଗ ଓ ଗ୍ରୁପ-ବି ପଦବୀ(ଚୁକ୍ତିଭିତ୍ତିକ ନିଯୁକ୍ତି) ନିୟମ-୨୦୧୩ ଅନ୍ତର୍ଗତ ଯେଉଁ ଶିକ୍ଷକମାନେ ଇନିସିଆଲ ଆପଏଣ୍ଟମେଣ୍ଟ ପାଇଥିଲେ ସେମାନଙ୍କ ଚାକିରି ଓ ଗ୍ରୁପ-ବି, ସି, ଡି ପଦବୀ (ଉଚ୍ଛେଦ ଓ ସ୍ବତନ୍ତ୍ର ପ୍ରାବଧାନ) ରୁଲ୍‌ସ-୨୦୨୨ ଆଧାରରେ ନିୟମିତ ହେବ। ଶିକ୍ଷକମାନଙ୍କ ନିଯୁକ୍ତି ବର୍ଷ ଓ ମେରିଟ ଲିଷ୍ଟ ଅନୁସାରେ ସେମାନଙ୍କର ବରିଷ୍ଠତା ବିବେଚନା କରାଯିବ। ସେହିପରି ଯେଉଁ ଶିକ୍ଷକମାନେ ଓ ଗ୍ରୁପ-ବି ପଦବୀ(ଚୁକ୍ତିିଭିତ୍ତିକ ନିଯୁକ୍ତି) ରୁଲ୍‌ସ-୨୦୧୩ ପୂର୍ବରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ ତଥା ସେମାନେ ଏହି ବିଜ୍ଞପ୍ତି ଜାରି ହେବା ପୂର୍ବରୁ ୬ବର୍ଷ ଚାକିରି ପୂରଣ କରି ନ ଥିଲେ ସେମାନଙ୍କ ଚାକିରିର ନିୟମିତ ଅବଧି ଗଣଶିକ୍ଷା ବିଭାଗ ୨୦୦୮ ଓ ୨୦୧୧ ମସିହାର ବିଜ୍ଞପ୍ତି ଆଧାରରେ ବିବେଚନା କରାଯିବ। ଓଆର୍‌ଭି ନିୟମକୁ ପାଳନ କରି ଏହି ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ନିଯୁକ୍ତିକୁ ନିୟମିତ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ସୂଚନା ଥାଉ କି, ୨୦୨୨ ଅକ୍ଟୋବର ୧୫ରେ ମୁଖ୍ୟମନ୍ତ୍ରୀ ରାଜ୍ୟରୁ ଚୁକ୍ତିଭିତ୍ତିକ ପ୍ରଥାର ଉଚ୍ଛେଦ ନେଇ ଘୋଷଣା କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ପ୍ରାୟ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀଶିକ୍ଷକ ଏଥିରୁ ବାଦ୍‌ ପଡ଼ିଥିଲେ। ଫଳରେ ଓଡ଼ିିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ପ୍ରଥମେ ଡିସେମ୍ବର ୭ ଓ ପରେ ଏପ୍ରିଲ ୧ରୁ ୧୩ତାରିଖ ଯାଏ ଲୋୟର ପିଏମ୍‌ଜିରେ ଧାରଣା ଦେଇଥିଲା। ତେବେ ଏପ୍ରିଲ ୧୩ରେ ନିୟମିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏସ୍‌ଓପି ଜାରି ଆଳରେ ଦିନ ପରେ ଦିନ ବିତି ଚାଲିଥିବାରୁ ଶିକ୍ଷକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଅନ୍ୟପଟେ ଏସ୍‌ଓପି ଜାରି ହେବା ପରେ ମଧ୍ୟ ଅନେକ ଶିକ୍ଷକ ଆଶାନୁରୂପ ଫଳ ପାଇ ନ ଥିବା କହିଛନ୍ତି।
Share