ଜଗନ୍ନାଥ ଦର୍ଶନ ପାଇଁ ଏସ୍‌ଓପି

ପୁରୀ ଅଫିସ, ୧୨ା୮: ଦୀର୍ଘ ଅଢେଇ ମାସ ପରେ କରୋନା କଟକଣା କୋହଳ ଯୋଗୁ ଶ୍ରୀମନ୍ଦିର ଖୋଲିବା ନେଇ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସ୍‌ଓପି ପ୍ରକାଶ ପାଇଛି। ଗୁରୁବାରଠାରୁ ଶ୍ରୀମନ୍ଦିର ଖୋଲିବ। ପ୍ରଥମ ଦୁଇଦିନ ଅର୍ଥାତ ୧୨ ଓ ୧୩ ତାରିଖରେ ଶ୍ରୀମନ୍ଦିର ସେବାୟତଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ସୁଯୋଗ ମିଳିବ। ଏହାପରେ ଆସନ୍ତା ୧୬ତାରିଖରୁ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ। ପୁରୀ ସହରବାସୀ ଓ ସେବାୟତ ପରିବାର ସଦସ୍ୟଙ୍କ ପାଇଁ ଆର୍‌ଟି-ପିସିିଆର୍‌ ଟେଷ୍ଟ କିମ୍ବା ଡବଲ୍‌ ଡୋଜ୍‌ କୋଭିଡ୍‌ ଟିକା ବାଧ୍ୟତାମୂଳକ ନୁହେଁ। ପୁରୀ ସହରର ବାସିନ୍ଦା ହୋଇଥିବା ଯେକୌଣସି ପରିଚୟପତ୍ର ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରିହେବ।
ସେବାୟତ ପରିବାର ସଦସ୍ୟମାନେ ମଙ୍ଗଳ ଆଳତିଠାରୁ ପହଣ୍ଡି ପର୍ଯ୍ୟନ୍ତ ଦର୍ଶନ ସୁଯୋଗ ପାଇବେ। ୨୦ ତାରିଖରେ ପୁରୀ ସହରବାସୀଙ୍କ ଦର୍ଶନ ସରିବା ପରେ ୨୧ ଓ ୨୨ରେ ସପ୍ତାହାନ୍ତ ଶଟଡାଉନ୍‌ ଯୋଗୁ ଦର୍ଶନ ବନ୍ଦ ରହିବ। ୨୩ ତାରିଖଠାରୁ ସାଧାରଣ ଦର୍ଶନ ଆରମ୍ଭ ହେବ। କୋଭିଡ୍‌ କଟକଣାକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର କହିଛନ୍ତି।
ଶ୍ରଦ୍ଧାଳୁମାନେ ଡବଲ୍‌ ଡୋଜ୍‌ କୋଭିଡ୍‌ ଟିକା ନେଇଥିବେ କିମ୍ବା ସାଙ୍ଗରେ ୯୪ ଘଣ୍ଟା ପୂର୍ବର ଆର୍‌ଟି-ପିଶିଆର୍‌ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆଣିବେ। ଦୁଇଟି ମଧ୍ୟରୁ କୌଣସି ସର୍ତ୍ତ ପାଳନ ହୋଇ ନ ଥିଲେ, ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ନାହିଁ। ସେହିଭଳି ସାଙ୍ଗରେ ପରିଚୟପତ୍ର ଆଣିବାକୁ ବାଧ୍ୟ। ନିଜ ଆସବାବପତ୍ରକୁ ଶ୍ରୀମନ୍ଦିର କ୍ଲକ୍‌ ରୁମ୍‌ରେ ରଖି ସାନିଟାଇଜ ହୋଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ଶ୍ରଦ୍ଧାଳୁମାନେ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସପ୍ତାହରେ ୫ ଦିନ ପୂର୍ବାହ୍ନ ୭ରୁ ସା ୭ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ହେବ। ସପ୍ତାହାନ୍ତ ଶଟଡାଉନ୍‌ରେ ଶ୍ରୀମନ୍ଦିର ପରିସର ଓ ବାହାର ସାନିଟାଇଜ୍‌ କରାଯିବ। ଆସନ୍ତା ୩୦ରେ ଜନ୍ମାଷ୍ଟମୀ ଓ ୧ତାରିଖରେ ଗଣେଶ ଚତୁର୍ଥୀରେ ଅଧିକ ଗହଳି ସମ୍ଭାବନା ଥିବାରୁ ଏହି ଦୁଇଦିନ ସାଧାରଣ ଦର୍ଶନ ବନ୍ଦ ରହିବ। ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହୋଇଥିବାବେଳେ ଶ୍ରଦ୍ଧାଳୁମାନେ ସାମାଜିକ ଦୂରତା ରଖିବେ। ଶ୍ରୀମନ୍ଦିର ପରିସରରେ ମୂର୍ତ୍ତି ଇତ୍ୟାଦିକୁ ସ୍ପର୍ଶ କରିବେ ନାହିଁ। ଫୁଲ, ଦୀପ ଓ ଭୋଗ ଇତ୍ୟାଦି ଶ୍ରୀମନ୍ଦିରକୁ ନେବା, ଦୀପ ଜାଳିବା ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ନିଷେଧ କରାଯାଇଛି। ଶ୍ରୀମନ୍ଦିର ପରିସରରେ ଗୁଟ୍‌ଖା ଓ ପାନ ଇତ୍ୟାଦି ଖାଇଲେ ୫ଶହ ଓ ପଲିଥିନ୍‌ ବ୍ୟାଗ୍‌ ବ୍ୟବହାର କଲେ ୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଜଗନ୍ନାଥ ବଲ୍ଲଭ ଷ୍ଟାଣ୍ଡରେ ଚାରିଚକିଆ ଯାନ ପାର୍କିଂ କରାଯିବ।

Share