Categories: ରାଜ୍ୟ

ପିକନିକ୍ ପାଇଁ ଯାଉଥିବା ଗାଡ଼ି ପାଇଁ ଆବଶ୍ୟକ ସ୍ୱତନ୍ତ୍ର ଅନୁମତି, SOP ଜାରି କଲା ପରିବହନ ବିଭାଗ

ଭୁବନେଶ୍ୱର,୧।୧: ନୂଆବର୍ଷ ଏବଂ ଶୀତଋତୁରେ ଲୋକମାନେ ବିଭିନ୍ନ ସ୍ଥାନକୁ ବୁଲିଯିବାକୁ ଯୋଜନା କରିଥାନ୍ତି। ପିକନିକ୍‌ ଋତୁରେ ମାତ୍ରାଧିକ ଦୁର୍ଘଟଣା ରୋକିବା ପାଇଁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ମାନକ ସଂଚାଳନ ପ୍ରକ୍ରିୟା(ଏସଓପି)ଜାରି କରାଯାଇଛି। ଏହି ନୁଆ ଏସଓପିରେ କଠୋର ନିୟମାବଳୀ ରହିଛି। ଯଦି ଆପଣମାନେ ପିକନିକ୍ ଯିବା ପାଇଁ ଯୋଜନା କରୁଛନ୍ତି, ତେବେ ଏସବୁ ବିଷୟରେ ପ୍ରଥମେ ଜାଣି ନିଅନ୍ତୁ।

ନୂଆ ନିୟମ ଅନୁଯାୟୀ ଏଣିକି ପିକନିକ୍ ଯାଉଥିବା ଗାଡ଼ି ପାଇଁ ସ୍ୱତନ୍ତ୍ର ଅନୁମତି ଆବଶ୍ୟକ। ଏହାର ଯାଞ୍ଚ ପାଇଁ ପର୍ଯ୍ୟଟନସ୍ଥଳରେ ପୋଲିସ ଓ ଆରଟିଓ କର୍ମଚାରୀ ସଜାଗ ରହିବେ ଏବଂ ଓଭରଲୋଡିଂକୁ ଉଭୟ ମିଶି ଚେକ୍‌ କରିବେ। କୌଣସି ଡ୍ରାଇଭର ନିଶାଗ୍ରସ୍ଥ ଅବସ୍ଥାରେ ମିଳନ୍ତି ତୁରନ୍ତ ସେମାନଙ୍କୁ ଗିରଫ କରି ଲାଇସେନ୍ସ ରଦ୍ଦ କରାଯିବ।

ଏଭଳି ସ୍ଥିତିରେ ଗାଡ଼ି ମାଲିକ ଅନ୍ୟ ଡ୍ରାଇଭର ପଠାଇ ପିକ୍‌ନିକ୍‌ ଦାୟିତ୍ୱ ତୁଲାଇବେ, ସେହିଭଳି ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ନେଇଥିଲେ ଗାଡ଼ିକୁ ଅଟକ ରଖାଯିବ। ଏହା ବ୍ୟତୀତ ପିକ୍‌ନିକ୍‌ ଗାଡ଼ିରେ ଦହନଶୀଳ ସାମଗ୍ରୀ ଯଥା ରନ୍ଧନ ଗ୍ୟାସ ଓ ବାଣ ପରିବହନ କରିବାକୁ ଅନୁମତି ମିଳିବ ନାହିଁ।

Share