ଜିଲା ମୁଖ୍ୟ ଚିକିତ୍ସାଳୟରେ ମିଳିବ ଅତ୍ୟାଧୁନିକ ସେବା

ଖୋର୍ଦ୍ଧା ଅଫିସ,୧୮ା୭: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଛି। ରବିବାର ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ (ପରିବାର କଲ୍ୟାଣ) ବିଜୟ ମହାପାତ୍ର ଏବଂ ସ୍ବାସ୍ଥ୍ୟ ନିର୍ଦ୍ଦେଶକ (ଜନସ୍ବାସ୍ଥ୍ୟ) ଡା. ନିରଞ୍ଜନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ଟିମ୍‌ ଖୋର୍ଦ୍ଧା ଗସ୍ତରେ ଆସି ଜିଲା ମୁଖ୍ୟ ଚିକିତ୍ସାଳୟର ବିିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ କେୟାର ହସ୍ପିଟାଲ ବ୍ଲକ (ସିସିଏଚ୍‌ବି) ଇଣ୍ଟିଗ୍ରେଟେଡ ପବ୍ଲିକ ହେଲ୍‌ଥ ଲାବୋରେଟୋରି (ଆଇପିଏଚ୍‌ଏଲ୍‌), ପବ୍ଲିକ ହେଲ୍‌ଥ ୟୁନିଟ (ବିପିଏଚ୍‌ୟୁ) ସ୍ଥାପନ କରାଯିବ। ଏନେଇ ସିଡିଏମଓଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ଆଲୋଚନା ବେଳେ ସିଡିଏମ୍‌ଓ ଡା. ଆର୍ତ୍ତବନ୍ଧୁ ନାୟକ, ଜିଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡା. ବିଶ୍ୱମୋହନ ମିଶ୍ର, ଏଡିଏମ୍‌ଓ (ପରିବାର କଲ୍ୟାଣ) ଡା. ରଘୁନାଥ ନାୟକ, ହସ୍ପିଟାଲ ମ୍ୟାନେଜର ବିନାୟକ ପାଣିଗ୍ରାହୀଙ୍କ ସମେତ ସମସ୍ତ ଜିଲାସ୍ତରୀୟ ସ୍ବାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ନିର୍ମାଣାଧୀନ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା ସହ ଚାଲିଥିବା ପ୍ରକଳ୍ପ କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉପରୋକ୍ତ ୟୁନିଟ୍‌ ସ୍ଥାପନ ହେଲେ ରୋଗୀଙ୍କୁ ଉନ୍ନତମାନର ସେବା ଉପଲବ୍ଧ ହୋଇପାରିବ ବୋଲି ସିଡିଏମ୍‌ଓ ନାୟକ କହିଛନ୍ତି।
ଏଡ଼ିଏମ୍‌ଓ (ପିଏଚ୍‌) ଡା. ନନ୍ଦିତା ଗୁପ୍ତା, ଡା. ପ୍ରଶାନ୍ତ ଦାସ, ଅଦୈତ୍ୟ ପ୍ରଧାନ, ମାନସ ରଞ୍ଜନ ମହାପାତ୍ର, ତ୍ରିଶୂଳ ରାଉଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Share