Categories: ଜାତୀୟ

ଜେଲରେ ରାତି କାଟିବେ ସୋରେନ, ଆସନ୍ତା କାଲି ସ୍ବତନ୍ତ୍ର କୋର୍ଟ ଦେବେ ରାୟ

ନୂଆଦିଲ୍ଲୀ,୧।୨: ଜମି ଘୋଟାଲା ମାମଲାରେ ଜଡିତଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନ୍ୟାୟିକ ହେପାଜତକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ହେମନ୍ତ ସୋରେନ ଗୋଟିଏ ଦିନ ପାଇଁ ଜେଲରେ ରାତି କଟାଇବେ। ତାଙ୍କୁ ହୋଟୱାର ଜେଲକୁ ନିଆଯିବ। ଏଥିପାଇଁ ସେ ସଂଘର୍ଷ ଜାରି ରଖିବେ ବୋଲି କହିଛନ୍ତି। ସେ କହିଛନ୍ତି ମୁଁ ଲଢେଇ ଜାରି ରଖିବି ଓ ଜିତିବି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ତାଙ୍କୁ ସ୍ବତନ୍ତ୍ର କୋର୍ଟରେ ଉପସ୍ଥାପନ କରି ୧୦ ଦିନର ରିମାଣ୍ଡ ମାଗିଥିଲେ। ପିଏମଏଲଏର ସ୍ବତନ୍ତ୍ର କୋର୍ଟ ରିମାଣ୍ଡ ଆବେଦନ ଉପରେ ଶୁଣାଣି ଶେଷ କରି ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ରିମାଣ୍ଡ ଆବେଦନ ଉପରେ କୋର୍ଟ ଏହାର ରାୟ ପ୍ରଦାନ କରିବେ। ଏହାପୂର୍ବରୁ, ସୁରକ୍ଷା ମଧ୍ୟରେ ଇଡି ଟିମ ତାଙ୍କ ସହ ସ୍ବତନ୍ତ୍ର କୋର୍ଟରେ ପହଞ୍ଚିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସୋରେନ କୋର୍ଟ ସମ୍ମୁଖରେ ମୁଣ୍ଡ ନୁଆଁଇଥିଲେ। ଏଥିସହିତ ସେ ହାତ ହଲାଇ ଜନସାଧାରଣଙ୍କୁ ଅଭିବାଦନ ଜଣାଇଥିଲେ। ତାଙ୍କ ସମର୍ଥକମାନେ କୋର୍ଟ ପରିସରରେ ହେମନ୍ତ ସୋରେନ ଜିନ୍ଦବାଦର ସ୍ଲୋଗାନ ମଧ୍ୟ ଦେଇଥିଲେ।

ଏହି ସମୟରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜ୍ୟପାଳ ଝାଡ଼ଖଣ୍ଡ ବିଧାୟକ ଦଳର ନେତା ଚମ୍ପଇ ସୋରେନଙ୍କୁ ସନ୍ଧ୍ୟା ୫ଟା ୩୦ରେ ରାଜ ଭବନକୁ ଡାକିଛନ୍ତି। ୫ଜଣ ଜେଏମଏମ ବିଧାୟକ ରାଜ୍ୟପାଳଙ୍କୁ ଭେଟିବେ। ବୁଧବାର ହେମନ୍ତ ସୋରେନ ଗିରଫ ହେବାର ଠିକ ପୂର୍ବରୁ ଚମ୍ପଇ ସୋରେନ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ ଚମ୍ପଇ ଗୁରୁବାର ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ।

Share