Categories: ଜାତୀୟ

ସୋରେନଙ୍କ ‘ଲାଲୁ ସୂତ୍ର’

୧୯୯୭ରେ ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଚୌକି ଛାଡ଼ିବାକୁ ପଡ଼ିଥିଲା। ଲାଲୁଙ୍କ ଇସ୍ତଫା ପରେ ତାଙ୍କ ସ୍ତ୍ରୀ ରାବ୍ରି ଦେବୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାର ୨୬ ବର୍ଷ ପରେ ପଡ଼ୋଶୀ ଝାଡ଼ଖଣ୍ଡରେ ସମ୍ଭବତଃ ଅନୁରୂପ ଘଟଣାକ୍ରମ ଦେଖିବାକୁ ମିଳିପାରେ। କାରଣ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ରାଞ୍ଚି/ନୂଆଦିଲ୍ଲୀ,୩୧ା୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଗିରଫଦାରି ଭୟରେ ନିଖୋଜ ହୋଇଯାଇଥିବା ଭାଜପା ସମାଲୋଚନା କରୁଥିବାବେଳେ ସେ ମଙ୍ଗଳବାର ରାଞ୍ଚତ୍ରେ ଦର୍ଶନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସୋରେନ୍‌ଙ୍କ ପ୍ରଥମ ପଦକ୍ଷେପ ଥିଲା ଶାସକ ମେଣ୍ଟର ବିଧାୟକମାନଙ୍କୁ ଭେଟିବା। ଉକ୍ତ ବୈଠକରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ସ୍ତ୍ରୀ କଳ୍ପନା ସୋରେନ୍‌ଙ୍କ ଉପସ୍ଥିତି।
ଜମି ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଜଡ଼ିତ ହେମନ୍ତ ସୋରେନ୍‌ଙ୍କ ସ୍ତ୍ରୀ କଳ୍ପନା ସୋରେନ୍‌ଙ୍କୁ ଜେଏମ୍‌ଏମ୍‌ ମୁଖ୍ୟମନ୍ତ୍ରୀ କରିବାକୁ ଯାଉଛି ବୋଲି ଝାଡ଼ଖଣ୍ଡର ଗୋଡ୍ଡାରୁ ପ୍ରତିନିଧିତ୍ୱ କରୁଥିବା ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଅଭିଯୋଗ ଆଣିଥିଲେ। ଏନେଇ ଗଣମାଧ୍ୟମ ପକ୍ଷରୁ ସୋରେନ୍‌ଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ଆପଣମାନଙ୍କୁ ମୁଁ ଖୁବ୍‌ଶୀଘ୍ର ସବୁ କିଛି କହିବି। ତେବେ ସୋରେନ୍‌ଙ୍କ ଏଭଳି କୌଣସି ଯୋଜନା ଥିବା ବିଷୟରେ ଜାଣି ନ ଥିବା ସହଯୋଗୀ କଂଗ୍ରେସ ବିଧାୟକମାନେ କହିଛନ୍ତି। ଅନ୍ୟପକ୍ଷେ ସୋରେନ୍‌ ଓ ତାଙ୍କ ସ୍ତ୍ରୀ ବୈଠକରେ ବିଧାୟକମାନଙ୍କୁ ଭେଟୁଥିବା ବେଳର ଦୃଶ୍ୟ ଟିଭିରେ ଦେଖିବାକୁ ମିଳିଛି। ଏହି ଘଟଣା ୨୬ ବର୍ଷ ତଳର ବିହାର ରାଜନୈତିକ ଘଟଣାକ୍ରମ ସ୍ମୃତିକୁ ଉଜ୍ଜୀବିତ କରିଛି। ୧୯୯୭ରେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଛନ୍ଦି ହୋଇଯିବା ପରେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଇସ୍ତଫା ଦେବା ପରେ ତାଙ୍କ ସମର୍ଥକମାନେ ସ୍ଲୋଗାନ ଦେଇଥିଲେ ‘ରାବ୍ରି ଦେବୀ ଜିନ୍ଦାବାଦ’ । ଲାଲୁ ପଦ ଛାଡ଼ିଥିଲେ ବି ରାଜ୍ୟର ଅସଲ କ୍ଷମତା ତାଙ୍କ ହାତରେ ରହିଥିଲା। ହେମନ୍ତ ସୋରେନ୍‌ ଲାଲୁଙ୍କ ସୂତ୍ର ଆପଣାଇ ନିଜ ସ୍ତ୍ରୀ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ୪୮ ବର୍ଷୀୟା କଳ୍ପନା ହେଉଛନ୍ତି ଜଣେ ଓଡ଼ିଆ। ୧୯୭୬ରେ ମୟୂରଭଞ୍ଜ ଜିଲାରେ ଜନ୍ମିତ କଳ୍ପନା ୨୦୦୬ରେ ହେମନ୍ତ ସୋରେନ୍‌ଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସେ ରାଞ୍ଚତ୍ରେ ଏକ ପ୍ଲେ ସ୍କୁଲ ଚଳାଉଛନ୍ତି।

Share