ସୁବିଧାବାଦୀ ଛାମୁଆ ନେତାଙ୍କ ଶେଷ ଆଶା ସୌମ୍ୟରଞ୍ଜନ

ଘସିପୁରା,୨୧।୪(ନିରଞ୍ଜନ ସାହୁ)-ଚଳିତ ନିର୍ବାଚନ ପାଇଁ ଘସିପୁରା ନିର୍ବାଚନମଣ୍ଡଳୀରେ ଲାଗିରହିଥିବା ଅସ୍ପଷ୍ଟ ପ୍ରାର୍ଥୀ ଚିତ୍ରକୁ ନେଇ ଏକ ନିର୍ଦ୍ଦିଷ୍ଟ ଦଳର ସୁବିଧାବାଦୀ ଛାମୁଆ ନେତାଙ୍କର ଶେଷ ଆଶା ପାଲଟିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ନିର୍ବାଚନମଣ୍ଡଳୀରେ ପ୍ରାଥମିକ ପର୍ଯ୍ୟାୟରେ ବିଜେଡି ତାର ପ୍ରାର୍ଥୀ ତାଲିକା ଘୋଷଣା କରି ଭେଟେରାମ ନେତା, ପୂର୍ବତନ ମନ୍ତ୍ରୀ ତଥା ଏବେକାର ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଛି। ପରେ କଂଗ୍ରେସ ଦଳ ପକ୍ଷରୁ ନବାଗତ ସୁବ୍ରତ କୁମାର ଚକ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି। ଏବେ କେବଳ ଘସିପୁରା ଭାଜପା ପ୍ରାର୍ଥୀ ତାଲିକା ଘୋଷଣାରେ ବାକି ରହିଛି। ଏହି ନିର୍ବାଚନମଣ୍ଡଳୀର ଭୋଟର ନ ହୋଇ କିଛି ମାସ ହେଲା ବିଜେପିର ଏକ ସୁବିଧାବାଦୀ ଛାମୁଆ ଗୋଷ୍ଠୀ ଦଳୀୟ ଟିକେଟ ହାତେଇବା ଲକ୍ଷ୍ୟରେ ଲାଗିପଡିଥିଲେ।
ରାଜ୍ୟ ଭାଜପା ସଭାପତିଙ୍କ ପାଖ ଲୋକ କହି ନିଜକୁ ଟିକେଟ ଦାବିଦାର ଭାବେ ଉପସ୍ଥାପନା କରିବା ପ୍ରାଣପଣେ ଉଦ୍ୟମ ମଧ୍ୟ କରିଥିଲେ। ହେଲେ ଅଦ୍ୟାବଧି ଭାଜପା ତାର ପ୍ରାର୍ଥୀ ନାମ ଘୋଷଣାରେ ବିଳମ୍ବ କରିଛି। ତେବେ ଭାଜପାର ପ୍ରାର୍ଥୀ ଘୋଷଣାରେ ବିଳମ୍ବକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ମଧ୍ୟ ଲାଗିରହିଛି। କିଏ କହୁଛି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ସାମିଲ ହୋଇ ଘସିପୁରା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହେବେ ତା ଆଉ କିଏ କହୁଛି ଆଶାୟୀଙ୍କ ଲାଇନରେ ଛିଡା ହୋଇଥିବା ପୃଥିରାଜ କୁଅଁର, ଶମ୍ଭୁନାଥ ରାଉତ, ଯୁବ ନେତା ବିଚିତ୍ର ଚକ୍ର ମଧ୍ୟରୁ କିଏ ହେବେ। ସୁବିଧାବାଦୀ ଗୋଷ୍ଠୀଙ୍କର ଟିକେଟ ପାଇବା ଆଶା କ୍ଷୀଣ ହେବା ପରେ ଏବେ  ନିଜ ସ୍ବାର୍ଥ ସାଧନ ନିମନ୍ତେ ଶେଷ ଆଶାଭାବେ ସୌମଙ୍କ ବାଟକୁ ଚାହିଁ ବସିଛନ୍ତି। ପୂର୍ବରୁ ଏହି ସୁବିଧାବାଦୀ ଗୋଷ୍ଠୀ ସ୍ବାଧୀନ ଜିପ୍‌ ଚିହ୍ନ ପ୍ରାର୍ଥୀଙ୍କ ପଛରେ ରହି ଫାଇଦା ଲକ୍ଷ୍ୟ ରଖିଥିଲେ ତ ଆଉ କେତେବେଳେ ଜିଲାର ପ୍ରଭାବଶାଳୀ ନେତା ସନାତନ ମହାକୁଡଙ୍କ ଛତ୍ରଛାୟା ତଳେ ରହି ମୁନାଫା କମାଇବାକୁ ଉଦ୍ୟମ କରିଥିଲେ। ଏହି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକପ୍ରିୟତା ନ ଥିବାବେଳେ ସେମାନଙ୍କର କାର୍ଯ୍ୟଧାରାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଅନ୍ୟପକ୍ଷରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଭେଟେରାନ ତଥା ବିଧାୟକ ବଦ୍ରି ପାତ୍ର  ଷଷ୍ଠ ଥର ବିଜୟ ଲକ୍ଷ୍ୟରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଲଗାତର ତୃତୀୟଥର ପାଇଁ ବିଧାୟକ ହୋଇ ବଦ୍ରି ଏବେ ଚତୁର୍ଥ ଥର ଲଗାତର ବିଜୟ ଲକ୍ଷ୍ୟ ରଖିଛନ୍ତି। କଂଗ୍ରେସର ନିରଞ୍ଜନ ପଟ୍ଟନାୟକ ନିଜ ଘସିପୁରା ନିର୍ବାଚନମଣ୍ଡଳୀକୁ ଅଲବିଦା କହି ସେ ଏବେ ଭଦ୍ରକ ଜିଲାର ଭଣ୍ଡାରିପୋଖରୀରେ ପ୍ରାର୍ଥୀ ହୋଇଛନ୍ତି। ଫଳରେ କଂଗ୍ରେସ ଜଣେ ନବାଗତ ସୁବ୍ରତ ଚକ୍ରଙ୍କୁ ପ୍ରାର୍ଥୀ କରିଛି। ଏଭଳି ପରିସ୍ଥିତିରେ ବିଜେପି କାହାକୁ ଟିକେଟ ଦେଉଛି ତାହା ଚିତ୍ର ସ୍ପଷ୍ଟ ହୋଇ ନ ଥିବାବେଳେ ସୁବିଧାବାଦୀ ଛାମୁଆ ନେତାଙ୍କ ଗୋଷ୍ଠୀ ଏବେ ସୌମ୍ୟଙ୍କ ବାଟକୁ ଚାହିଁବସିଛନ୍ତି।