Categories: ଖେଳ

ସୌମ୍ୟଙ୍କୁ ୮୦ତମ ଟାଇଟଲ

ଭୁବନେଶ୍ୱର, ୮।୧ (ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର କେଶୁରାସ୍ଥିତ ରୟାଲ ପବ୍ଲିକ୍‌ ସ୍କୁଲରେ ଆୟୋଜିତ ଓପନ ଚେସ୍‌ ଟୁର୍ନାମେଣ୍ଟରେ ସୌମ୍ୟରଞ୍ଜନ ମିଶ୍ର ଚାମ୍ପିୟନ ଓ ହର୍ଷିତ ରଞ୍ଜନ ସାହୁ ରନରଅପ୍‌ ହୋଇଛନ୍ତି। ଏହାକୁ ମିଶାଇ କ୍ୟାରିୟରର ୮୦ତମ ଓପନ ଚେସ୍‌ ଟାଇଟଲ ହାସଲ କରିଛନ୍ତି ଫିଡେ ମାଷ୍ଟର ସୌମ୍ୟରଞ୍ଜନ। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ଏକାକୀ ପୂରା ୫ ପଏଣ୍ଟ ହାସଲ କରିଥିଲେ। ହର୍ଷିତଙ୍କ ସମେତ ସେକ୍‌ ସୟଦ, ଅବିନାଶ ବଳିୟାରସିଂ, ରବୀନ୍ଦ୍ର କୁମାର ଓଝା ଓ ସତ୍ୟମ୍‌ ସ୍ବରୂପ ସାହୁ ୪ ପଏଣ୍ଟ ଲେଖାଏ ପାଇ ପଛକୁପଛ ରହିଛନ୍ତି। ଉଦୟକାନ୍ତ ନାୟକ ଓ ମନୀଷ ରଞ୍ଜନ ଦାସ ୩.୫ ଏବଂ ସେକ୍‌ ଅବିଦୁଦ୍ଦିନ ଅହମଦ, ସଂକଳ୍ପ ଶ୍ରୀକୁମାର ସିଂ, ସୁର୍ଜିତ ନାୟକ, ସ୍ବସ୍ତିକ ବେହେରା ଓ ଟାଇଗର ଦୁର୍ଗାପ୍ରସାଦ ୩ ପଏଣ୍ଟ ଲେଖାଏ ପାଇଛନ୍ତି। ଏହା ବ୍ୟତୀତ ୯, ୧୧ ଓ ୧୩ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗରେ ଶ୍ରେଷ୍ଠ ୨ ଜଣ ଲେଖାଏ ଖେଳାଳିଙ୍କୁ ଏଜ୍‌ ଗ୍ରୁପ୍‌ ଏବଂ ୮ ଜଣ ଉଦୀୟମାନ ଖେଳାଳିଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ରୟାଲ ପବ୍ଲିକ୍‌ ସ୍କୁଲର ପ୍ରିନ୍ସିପାଲ ସର୍ବେଶ୍ୱର ସାମଲ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ କ୍ୟାପିଟାଲ ହସ୍ପିଟାଲର ସହକାରୀ ସଜର୍ନ ଦେବସ୍ମିତା ମହନ୍ତ ଓ ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।

 

Share