ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ…

ମସ୍କୋ, ୨୬।୧ : ରୁଷିଆ ଏବଂ ୟୁକ୍ରେନ ସୀମାରେ ଅସ୍ତ୍ରଶସ୍ତ୍ର ସହିତ ସୈନ୍ୟସଂଖ୍ୟା ବଢ଼ିବା ସହିତ ୟୁରୋପରେ ଏକ ଭୟଙ୍କର ଯୁଦ୍ଧର ଆଶଙ୍କା ବୃଦ୍ଧି ପାଉଛି। ଏନେଇ ଆମେରିକା ରୁଷିଆକୁ ଚେତାବନୀ ଦେଇଛି। ସେହିପରି ଚାଇନା ମଧ୍ୟ ପରିସ୍ଥିତିରୁ ଫାଇଦା ନେବାକୁ ପ୍ରୟାସ କରୁଛି।

ରୁଷିଆ ୟୁକ୍ରେନ ସୀମାରେ ୧୦୦,୦୦୦ରୁ ଅଧିକ ସୈନ୍ୟ ମୁତୟନ କରିଛି। ଶୀତଳ ଯୁଦ୍ଧ ଶେଷ ହେବା ପରେ ଏହା ପ୍ରଥମ ଥର ପାଇଁ ଆମେରିକାର ବିମାନ ନାଟୋ ନିୟନ୍ତ୍ରଣକୁ ଆସିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ୮୫,୦୦୦ ସୈନ୍ୟଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି।

ଆମେରିକାର ହେନେରୀ ଜ୍ୟାକସନ ସୋସାଇଟିର ବରିଷ୍ଠ ଗବେଷକ ଇସାବେଲ ସାଭକିନ୍ସ କହିଛନ୍ତି ଯେ ପୂର୍ବ ୟୁରୋପରେ କୌଣସି ସମ୍ଭାବ୍ୟ ବିବାଦ ଏହାର ସୀମା ମଧ୍ୟରେ ସୀମିତ ରହିବ ନାହିଁ। ସେ କହିଛନ୍ତି, ଏହା ଦ୍ୱାରା ବଡ଼ ଧରଣର ସଙ୍କଟର ଆଶଙ୍କା ରହିଛି। ଯାହାଦ୍ୱାରା ସାରା ପୃଥିବୀ ପ୍ରଭାବିତ ହେବାର ଆଶଙ୍କା ରହିଛି। ୟୁକ୍ରେନ ସଙ୍କଟ ଉପରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ତୀକ୍ଷ୍‌ଣ ନଜର ରଖିଛନ୍ତି।

ୟୁରୋପ ସଙ୍କଟ ନେଇ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା କରାଯାଉଛି। ଇସାବେଲେ କହିଛନ୍ତି ଯେ ଯଦି ରୁଷିଆ ୟୁକ୍ରେନକୁ ଦଖଲ କରିବ, ତେବେ ଶି ଜିନପିଙ୍ଗ ତାଇୱାନକୁ ଅଡୁଆରେ ପକାଇବାର ଯଥେଷ୍ଟ ଆଶଙ୍କା ରହିଛି। ସମ୍ପ୍ରତି ଚାଇନା ତାଇୱାନକୁ ୩୯ ଯୁଦ୍ଧ ବିମାନ ପଠାଇଛି। ତାଇଓ୍ବାନ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଲାଗି ଆମେରିକାର ଜୋ ବାଇଡେନ୍‌ ପ୍ରଶାସନ ଚେତାବନୀ ଦେଇଛନ୍ତି।

ଅପରପକ୍ଷରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ନାଟୋର ହସ୍ତକ୍ଷେପକୁ ପସନ୍ଦ କରି ନାହାନ୍ତି। ଫଳରେ ଅନ୍ତର୍ଜାତୀୟସ୍ତରରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି।

Share