ସାଉଣ୍ଡ୍‌ ସିଷ୍ଟମ ଜାଳିଦେଲେ ଦୁର୍ବୃତ୍ତ: ୫ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ

ବଡ଼ବିଲ,୧୭ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିସ୍ଥିତ ଟଣ୍ଟୋ ଗ୍ରାମରେ ମାଗେ ପର୍ବ ପାଳନ ପାଇଁ ହୋଇଥିବା ମଞ୍ଚ ନିକଟରେ ଲାଗିଥିବା ସାଉଣ୍ଡ ସିଷ୍ଟମକୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ବେଳେ ସାଉଣ୍ଡ ସିଷ୍ଟମ ଜଳିପୋଡ଼ି ଛାରଖାର ହୋଇଯାଇଛି। ତେବେ ମଞ୍ଚରେ ଶୋଇଥିବା ସାଉଣ୍ଡ ସିଷ୍ଟମର କର୍ମଚାରୀ ଓ କିଛି ଗ୍ରାମବାସୀ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ଭଦ୍ରାସାହି ପଞ୍ଚାୟତର ଟଣ୍ଟୋ ଗ୍ରାମରେ ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ମାଗେ ପର୍ବ ପାଳନ ନିମନ୍ତେ ଟେଣ୍ଟ ଦ୍ୱାରା ମଞ୍ଚ ନିର୍ମାଣ ହୋଇଥିଲା। କାର୍ଯ୍ୟକ୍ରମ ପାଇଁ ସାଉଣ୍ଡ ସିଷ୍ଟମ ବି ଲାଗିଥିଲା। ଶୁକ୍ରବାର ଶନିବାର ଓ ରବିବାର ତିନିଦିନ ଧରି ଏକି ପର୍ବ ପାଳନ ନିମନ୍ତେ ଯୋଜନା ହୋଇଥିଲା। ଶୁକ୍ରବାର ରାତିରେ କାର୍ଯ୍ୟକ୍ରମ ହୋଇଥିଲା। ତେବେ କାର୍ଯ୍ୟକ୍ରମ ସାରି ସମସ୍ତେ ନିଜ ଘରକୁ ଯାଇଥିବା ବେଳେ ସାଉଣ୍ଡ ସିଷ୍ଟମ କର୍ମଚାରୀମାନେ ଓ କିଛି ଗ୍ରାମବାସୀ ମଞ୍ଚ ଉପରେ ଶୋଇଥିଲେ। ହଠାତ ରାତି ପ୍ରାୟ ଗୋଟାଏ ବେଳେ ନିଆଁ ଲାଗିବା ଜାଣି ଶୋଇଥିବା ସାଉଣ୍ଡ କର୍ମଚାରୀ ଓ ଗ୍ରାମବାସୀ ଉଠିବା ସହ ପାଟି କରିଥିଲେ। ଏହିି ସମୟରେ ଦୁଇଜଣ ଦୁର୍ବୃତ୍ତ ଧାଇଁ ପଳାଇଥିଲା ବେଳେ ସେମାନଙ୍କୁ ଧରିବାକୁ ଚେଷ୍ଟା କରି ଗ୍ରାମବାସୀ ବିଫଳ ହୋଇଥିଲେ। ସେତେବେଳକୁ ସାଉଣ୍ଡ ସିଷ୍ଟମ ଜଳିପୋଡ଼ି ଛାରଖାର ହୋଇଯାଇଥିଲା। ମଞ୍ଚ ପାର୍ଶ୍ୱ ଟେଣ୍ଟ୍‌ ଆଂଶିକ ଜଳିଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଗ୍ରାମବାସୀ ଶନିବାର ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଛି ତାହା ଏଯାଏ ସ୍ପଷ୍ଟ ହୋଇପାରି ନ ଥିବା ବେଳେ ଏ ନେଇ ବଡ଼ବିଲ ଥାନା ଇନ୍ସପେକ୍ଟର ରମାକାନ୍ତ ମୁଦୁଲି କହିଛନ୍ତି , ଅଭିଯୋଗ ହୋଇଛି, ତଦନ୍ତ ଜାରି ରହିଛି।

Share