ମମତା ସରକାର ଦେଇଥିବା ଜମି ଫେରାଇଲେ ଏହି କ୍ରିକେଟର୍‌, ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା

କୋଲକତା,୨୫।୮: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍କୁଲ ନିର୍ମାଣ ପାଇଁ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କଠାରୁ ପାଇଥିବା ଜମି ଫେରସ୍ତ କରିଛନ୍ତି। ସୌରଭଙ୍କ ଏହି ପଦକ୍ଷେପ ତାଙ୍କ ଭାଜପାରେ ଯୋଗଦେବାର ଗୁଜବ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ ଭାଜପା ମୁଖ୍ୟମନ୍ତ୍ରୀ ପଦ ପାଇଁ ଉପଯୁକ୍ତ ଚେହେରା ଖୋଜୁଛି। ସୌରଭ ନିକଟରେ ନୱାନରେ ଥିବା ରାଜ୍ୟ ସଚିବାଳୟକୁ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ସ୍କୁଲ ନିର୍ମାଣ ପାଇଁ ତାଙ୍କୁ ଦିଆଯାଇଥିବା ଦୁଇ ଏକର ଜମିକୁ ଫେରାଇ ଦେଇଥିଲେ। ସୂତ୍ରରୁ ପ୍ରକାଶ ଯେ ଶିକ୍ଷା ଓ କଲ୍ୟାଣ ସମିତି ଜମି ଫେରସ୍ତ ପାଇଁ ରାଜ୍ୟ ସରକାରଙ୍କୁ ଏକ ଚିଠି ପଠାଇଛି। ସୌରଭ ଗାଙ୍ଗୁଲି ଏହି ଅନୁଷ୍ଠାନର ସଭାପତି ଅଟନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସୌରଭ ଗାଙ୍ଗୁଲିଙ୍କର ବହୁତ ଭଲ ସମ୍ପର୍କ ରହିଛି। ସୌରଭ ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ହେବାରେ ମମତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଏଭଳି ପରିସ୍ଥିତିରେ ରାଜନୈତି ବିଶ୍ଳେଷକମାନେ କହିଛନ୍ତି ଯେ ସୌରଭ ଯେଉଁଭଳି ଭାବରେ ସରକାରଙ୍କୁ ଜମି ଫେରାଇ ଦେଇଛନ୍ତି, ତାହା ଭୁଲ ସଂକେତ ହୋଇପାରେ। ଏଥି ସହିତ ସୌରଭ ବିସିସିଆଇ ସଭାପତି ହେବାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ସରକାରଙ୍କ ଅନ୍ୟ ଦୁଇଜଣ ମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହାହିଁ ସୌରଭଙ୍କ ଭାଜପାରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର କାରଣ ହୋଇଛି। ତେବେ ରାଜନୀତିରେ ପ୍ରବେଶ କରିବାର କୌଣସି ଯୋଜନା ନାହିଁ ବୋଲି ସୌରଭ ଅନେକ ଥର ସ୍ପଷ୍ଟ ଭାବେ କହିଛନ୍ତି।

Share