ଲଣ୍ଡନ,୧୩।୮: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ବୋର୍ଡ ସଚିବ ଜୟ ଶାହା, ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏବଂ ବ୍ରିଟେନର ଅର୍ଥମନ୍ତୀ ରୁଷି ସୁନାକ ଗୁରୁବାର ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ସମୟରେ ନଜର ଆସିଥିଲେ। ୧୯୯୬ରେ ଲର୍ଡସ ମଇଦାନରେ ଟେଷ୍ଟ ଡେବ୍ୟୁ କରିଥିଲେ ସୌରଭ। ଏଥିରେ ସେ ଶତକ ମଧ୍ୟ ମାରିଥିଲେ। ତେବେ ଲର୍ଡସ ସହ ଜଡ଼ିତ ପୁରୁଣା ସ୍ମୃତିକୁ ମନେପକାଇ ଗାଙ୍ଗୁଲି ନିଜର ଇନ୍ଷ୍ଟାଗ୍ରାମରେ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି।
ଲର୍ଡସରୁ ଫେରିବା ପରେ ଗାଙ୍ଗୁଲି ଚାରୋଟି ଫଟୋକୁ ମିଶାଇ ଏକ କୋଲାଜ୍ ପୋଷ୍ଟ କରିଛନ୍ତି। ଏଥିରେ ତାଙ୍କ ବ୍ୟାଟ୍ସମ୍ୟାନ୍, ଅଧିନାୟକ, ବିଜେତା ଅଧିନାୟକ ଏବଂ ବିସିସିଆଇ ମୁଖ୍ୟ ଭାବେ ଲର୍ଡସରେ ଉପସ୍ଥିତ ରହିବାର ଯାତ୍ରା ଦେଖିବାକୁ ମିଳିଛି। ପୋଷ୍ଟରେ କ୍ୟାପ୍ସନ ଲେଖି ଗାଙ୍ଗୁଲି କହିଛନ୍ତି, ପ୍ରଥମେ ଜଣେ ଖେଳାଳି ଭାବେ ଏଠାକୁ ଆସିଥିଲି, ପରେ ଅଧିନାୟକ ଏବଂ ଏଥର ଜଣେ ପ୍ରଶାସକ ଭାବେ ମ୍ୟାଚ୍ ଉପଭୋଗ କରିଥିଲି। ଭାରତ ସବୁବେଳେ ଭଲ ସ୍ଥିତିରେ ରହି ଆସିଛି ବୋଲି ସେ କହିଛନ୍ତି।