କୋଲକାତା,୫ା୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ରୁଟିନ ରକ୍ତ ନମୁନା ରିପୋର୍ଟ ସନ୍ତୋଷଜନକ। ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଥିବା ଉଡଲାଣ୍ଡ୍ ମେଡିକାଲ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ତାଙ୍କୁ ବୁଧବାର ଡିସ୍ଚାର୍ଜ କରାଯିବ।
ଉଲ୍ଲେଖଥାଉ କି, ଗତ ୨ ତାରିଖରେ ଜିମରେ ଏକ୍ସରସାଇଜ କରୁଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ପୂର୍ବତନ ଭାରତୀୟ ଅଧିନାୟକ ଗାଙ୍ଗୁଲି। ଛାତିରେ ଯନ୍ତ୍ରଣା ଓ ବାନ୍ତି ଭଳି ଲକ୍ଷ୍ୟଣ ପରିଲଖିତ ହେବା ପରେ ତାଙ୍କୁ ଉଡ୍ଲାଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଞ୍ଜିଓପ୍ଲାଷ୍ଟିରୁ ଜଣାପଡ଼ିଥିଲା ସୌରଭଙ୍କ ହୃତ୍ପିଣ୍ଡରେ ୩ଟି ବ୍ଲକେଜ ଅଛି, ଏହା କୌଣସି ବଡ଼ ସମସ୍ୟା ନୁହେଁ। ପ୍ରାୟ ଭାରତୀୟଙ୍କ ନିକଟରେ ଏହି ପ୍ରକାର ସମସ୍ୟା ଦେଖାଦିଏ। ଏବେ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ଥିର ରହିଛି। ସୌରଭଙ୍କୁ ଡିସଚାର୍ଜ କରାଯିବା ପରେ ମଧ୍ୟ ପ୍ରତ୍ୟେକ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯିବ ବୋଲି ଉଡ୍ଲାଣ୍ଡ ମେଡିକାଲ ଏମ୍ଡି ଓ ସିଇଓ କହିଛନ୍ତି।