ବ୍ରିକ୍ସ ସମ୍ମିଳନୀ ପାଇଁ ପୁଟିନ୍‌ଙ୍କୁ କୂଟନୈତିକ ସୁରକ୍ଷା ଦେଲା ଦକ୍ଷିଣ ଆଫ୍ରିକା

କେପ୍‌ଟାଉନ୍‌,୩୧ା୫: ୪୬୧ ଦିନ ହେଲା ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଗତ ମାର୍ଚ୍ଚରେ ନେଦରଲାଣ୍ଡ୍ସର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲେ, ଯାହାକି ଅଦ୍ୟାବଧି ବଳବତ୍ତର ରହିଛି। ତେଣୁ ପୁଟିନ୍‌ ଆଇସିସିର ଯେଉଁ ସଦସ୍ୟ ରାଷ୍ଟ୍ରକୁ ଗଲେ ଗିରଫ ହେବେ। ସେପଟେ ବ୍ରାଜିଲ, ରୁଷିଆ, ଚାଇନା, ଭାରତ ଓ ଦକ୍ଷିଣ ଆଫ୍ରିକା (ବ୍ରିକ୍ସ) ସମ୍ମିଳନୀ ଆସନ୍ତା ଅଗଷ୍ଟ ୨୨-୨୩ରେ ଅନୁଷ୍ଠିତ ହେବ। ଏହି ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷତା କରୁଥିବା ଦକ୍ଷିଣ ଆଫ୍ରିକା ସରକାର ଉକ୍ତ ସମ୍ମିଳନୀରେ ଯୋଗଦେବା ପାଇଁ ମଙ୍ଗଳବାର ପୁଟିନ୍‌ଙ୍କୁ ନିମନ୍ତ୍ରଣ କରିଛି। ଏଥିସହ ତାଙ୍କୁ କୂଟନୈତିକ ସୁରକ୍ଷା ମଧ୍ୟ ପ୍ରଦାନ କରିଛି। ଅର୍ଥାତ୍‌ ପୁଟିନ୍‌ ଓ ତାଙ୍କ ପ୍ରତିନିଧିମାନେ ବ୍ରିକ୍ସରେ ସାମିଲ ହେବାକୁ କେପ୍‌ଟାଉନ୍‌କୁ ଗଲେ ଗିରଫ କରାଯିବ ନାହିଁ ବୋଲି ଦକ୍ଷିଣ ଆଫ୍ରିକାର ଅନ୍ତର୍ଜାତୀୟ ସମ୍ପର୍କ ଓ ସହଯୋଗ ମନ୍ତ୍ରୀ ନଲେଦି ପାଣ୍ଡୋର ସୂଚନା ଦେଇଛନ୍ତି।

Share