ଜୋହାନ୍ସବର୍ଗ,୨୧।୧୨: ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଶକ୍ତ ଧକ୍କା ଲାଗିଛି। ଦଳର ପେସର ଅନରିଚ ନର୍ଟଜେ ପୂରା ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ଆହତ ସମସ୍ୟା କାରଣରୁ ତାଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି। ତେବେ ଦକ୍ଷିଣ ଆଫ୍ରିକା କ୍ରିକେଟ (ସିଏସ୍ଏ) ପକ୍ଷରୁ ନର୍ଟଜେଙ୍କ ଆହତ ସମସ୍ୟା ଉପରେ ଅଧିକ ତଥ୍ୟ ଦିଆଯାଇ ନାହିଁ।
“ପ୍ରୋଟିଜ ବୋଲର ନର୍ଟଜେ ଆହତ ସମସ୍ୟା କାରଣରୁ ଭାରତ ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ଟେଷ୍ଟ ମ୍ୟାଚ୍ରେ ବୋଲିଂ କରିବା ଲାଗି ସେ ଯଥେଷ୍ଟ ଫିଟ୍ନେସ ହାସଲ କରିପାରି ନାହାନ୍ତି। ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍ ହେବା ପାଇଁ ସେ ବିଶେଷଜ୍ଞଙ୍କ ସହ ପରାମର୍ଶ କରୁଛନ୍ତି। ତାଙ୍କ ବଦଳରେ କୌଣସି ଖେଳାଳିଙ୍କୁ ଦଳରେ ନିଆଯିବ ନାହିଁ” ବୋଲି ସିଏସ୍ଏ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି।