Categories: ଖେଳ

ଆଇପିଏଲ୍‌ରେ ବିଳମ୍ବରେ ଯୋଗଦେବେ ଦକ୍ଷିଣଆଫ୍ରିକା ଖେଳାଳି

ଜୋହାନ୍‌ସବର୍ଗ,୧୦।୩: ୨୦୨୩ ବିଶ୍ବକପ ପାଇଁ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୨ରେ ଦକ୍ଷିଣଆଫ୍ରିକା-ନେଦରଲାଣ୍ଡ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଦକ୍ଷିଣ ଆଫ୍ରିକା ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି। ନେଦରଲାଣ୍ଡ୍ସ ବିପକ୍ଷରେ ଏହି ଶୃଙ୍ଖଳା ଜିତିଲେ ଦକ୍ଷିଣଆଫ୍ରିକା ସିଧାସଳଖ ବିଶ୍ବକପ ଖେଳିବାକୁ ଯୋଗ୍ୟତା ହାସଲ କରିବ। ତେଣୁ ପ୍ରମୁଖ ଖେଳାଳିମାନେ ଏହି ଶୃଙ୍ଖଳା ପୂର୍ବରୁ ଆଇପିଏଲ ଖେଳିବାକୁ ଯାଇପାରିବେ ନାହିଁ ବୋଲି ଦକ୍ଷିଣଆଫ୍ରିକା କ୍ରିକେଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏପ୍ରିଲ ୩ ତାରିଖରେ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଆଇପିଏଲ୍‌ରେ ଯୋଗଦେବାର ସମ୍ଭାବନା ରହିଛି। ମାର୍ଚ୍ଚ ୩୧ ବେନୋଇରେ ମ୍ୟାଚ ଥିବାବେଳେ ଏପ୍ରିଲ ୨ ଜୋହାନ୍‌ସବର୍ଗରେ ଦକ୍ଷିଣଆଫ୍ରିକା-ନେଦରଲାଣ୍ଡ୍ସ ବିପକ୍ଷ ଏହି ଦୁଇଟି ମ୍ୟାଚ ରହିଛି।

ସୂଚନାଯୋଗ୍ୟ, ଦକ୍ଷିଣଆଫ୍ରିକାର ପ୍ରମୁଖ ଖେଳାଳି ଭାବେ କାଗିସୋ ରାବଡା ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ବେଳେ ଅନ୍ରିକ ନର୍ଖିୟା ଓ ଲୁଙ୍ଗି ନିଡିଗି ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି। ସେହିପରି ଏଦେନ ମାର୍କ୍ରମ, ହେନ୍ରିଚ କ୍ଲାସେନ ଓ ମାର୍କୋ ଜାନସେନ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ବେଳେ ଟ୍ରଷ୍ଟାନ ଷ୍ଟବ୍ସ, ଦେୱାଲ୍ଡ ବ୍ରେଭିସ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଡେଭିଡ ମିଲର ଗୁଜରାଟ ଟାଇଟାନ୍ସ ଓ କ୍ବିଣ୍ଟନ ଡି.କକ୍‌ ଲକ୍ଷ୍ନୌ ସୁପର ଜିଆଣ୍ଟସ ପାଇଁ ଆଗାମୀ ଆଇପିଏଲ୍‌ରେ ଖେଳିବେ।

Share