
ଓ୍ବେଲିଂଟନ,୨୪।୩: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ରେ ଗୁରୁବାର ଦକ୍ଷିଣ ଆଫ୍ରିକା ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ବର୍ଷାରେ ଧୋଇ ଯାଇଛି। ମ୍ୟାଚ୍ ବାତିଲ ହେବା ପୂର୍ବରୁ ମାତ୍ର ୧୦.୫ ଓଭର ଖେଳାଯାଇଥିଲା। ସେଥି ମଧ୍ୟରେ ୪ ଉଇକେଟ କ୍ଷତିରେ ୬୧ ରନ୍ କରିଥିଲା ଦକ୍ଷିଣ ଆଫ୍ରିକା। କିନ୍ତୁ ମ୍ୟାଚ୍ ବାତିଲ ହେବାରୁ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ଏଥିସହିତ ଅଷ୍ଟ୍ରେଲିଆ ପରେ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଦକ୍ଷିଣ ଆଫ୍ରିକା। ଏହି ଦଳ ୬ ମ୍ୟାଚ୍ରେ ୯ ପଏଣ୍ଟ ସହ ନକ୍ ଆଉଟ୍ ପର୍ଯ୍ୟାୟରେ ସ୍ଥାନ ନିଶ୍ଚିତ କରିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ ତା’ର ସମସ୍ତ ମ୍ୟାଚ୍ ଖେଳି ୭ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ୩୦.୪ ଓଭର ପୂର୍ବରୁ ହାତରେ ୯ ଉଇକେଟ ରଖି ପାକିସ୍ତାନକୁ ହରାଇ ଦେଇଛି। ଏହି ବିାରଟ ବିଜୟ ଯୋଗୁ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଦଳ ୬ ପଏଣ୍ଟ ସହ ସେମିଫାଇନାଲରେ ଦୌଡ଼ରେ ରହିଛି।
ଦୁଇ ମ୍ୟାଚ୍ର ଏଭଳି ଫଳାଫଳ ଯୋଗୁ ସେମିଫାଇନାଲ ଦୌଡ଼ରେ ଭାରତ, ଇଂଲଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ ଭଳି ୩ ଦଳ ରହିଛନ୍ତି। ୬ ପଏଣ୍ଟ ସହ ତାଲିକାରେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଥିବା ଇଂଲଣ୍ଡ ଓ ଭାରତକୁ ଲିଗ୍ ପର୍ଯ୍ୟାୟରେ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବାର ଅଛି। ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ଦକ୍ଷିଣ ଆଫ୍ରିକାକୁ ଭାରତ ଭେଟିବାକୁ ଯାଉଥିବା ବେଳେ ଇଂଲଣ୍ଡ ତା’ର ଅନ୍ତିମ ଲିଗ୍ ମ୍ୟାଚ୍ରେ ବାଂଲାଦେଶକୁ ଭେଟିବ। ଉଭୟ ମ୍ୟାଚ୍ ରବିବାର ଖେଳାଯିବ। ବର୍ତ୍ତମାନ ସେମିଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଉଭୟ ଦଳକୁ ନିଶ୍ଚିତ ବିଜୟ ଦରକାର। ଦୁଇ ଦଳ ମଧ୍ୟରୁ ଯେ କୌଣସି ଦଳ ପରାଜିତ ହେଲେ ଓ୍ବେଷ୍ଟଇଣ୍ଡିଜ ଫାଇଦାରେ ରହିବେ। ଯଦି ବର୍ଷା କାରଣରୁ ମ୍ୟାଚ୍ ଖେଳାଯାଇ ନ ପାରେ, ତେବେ ନେଟ୍ ରନ୍ରେଟ୍ ବଳରେ ଭାରତ ସେମିଫାଇନାଲରେ ପ୍ରବେଶ କରିବ।