Categories: ଖେଳ

ଅଷ୍ଟ୍ରେଲିଆକୁ ହରାଇ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ବିଜୟ

ଲକ୍ଷ୍ନୌ,୧୨।୧୦: ଲକ୍ଷ୍ନୌର ଇକାନା କ୍ରିକେଟ ଷ୍ଟାଡ଼ିୟମରେ ଖେଳାଯାଇଥିବା ୨୦୨୩ ବିଶ୍ୱକପ୍‌ର ଗୁରୁବାର ଦଶମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୩୪ ରନ୍‌ରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୭ ଉଇକେଟ ହରାଇ ୩୧୧ ରନ କରିଥିଲା। ଜବାବରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଅଷ୍ଟ୍ରେଲିଆ ୪୦.୫ ଓଭରରେ ୧୭୭ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା।

ବିଶ୍ୱକପରେ ଦକ୍ଷିଣ ଆଫ୍ରିକା କ୍ରମାଗତ ଦ୍ୱିତୀୟ ବିଜୟ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ଥର ପରାଜିତ ହୋଇଛି। ପୂର୍ବ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୧୦୨ ରନ୍‌ରେ ଶ୍ରୀଲଙ୍କାକୁ ହରାଇଥିବା ବେଳେ ଅଷ୍ଟ୍ରେଲିଆ ୬ ଉଇକେଟରେ ଭାରତଠାରୁ ପରାସ୍ତ ହୋଇଥିଲା।

ବଡ଼ ସ୍କୋରର ପିଛା କରିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୭୦ ରନ୍‌ ମଧ୍ୟରେ ୬ଟି ଉଇକେଟ ହରାଇ ସଙ୍କଟରେ ପଡିଥିଲା। ମିଡିଲ ଅର୍ଡରରେ ମାର୍ନସ ଲାବୁସେନଙ୍କ ୪୬ ଏବଂ ଶେଷ ଭାଗରେ ମିଚେଲ ଷ୍ଟାର୍କ ୨୭ ଓ କୁମିନ୍ସ ୨୨ ରନ୍‌ କରିବାରୁ ଦଳର ସମ୍ମାନ ରହିଥିଲା। ହେଲେ ଅଷ୍ଟ୍ରେଲିଆ ୪୦.୫ ଓଭରରେ ୧୭୭ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକାର କାଗିଶୋ ରାବାଡ଼ା ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ କେଶବ ମହାରାଜ, ଟାବ୍ରାଇଜ୍‌ ଶାମସି ଓ ମାର୍କୋ ଜାନସେନ ୨ଟି ଲେଖାଏ ଉଇକେଟ ନେଇଥିଳେ। ଲୁନ୍‌ଗି ଏନ୍‌ଗିଡ ଗୋଟିଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Share