Categories: ଖେଳ

ଶ୍ରୀଲଙ୍କାକୁ ହରାଇ ଦକ୍ଷିଣ ଆଫ୍ରିକାର ବିଜୟ ଅଭିଯାନ ଆରମ୍ଭ

ନ୍ୟୁୟର୍କ,୪ା୬: ଟି୨୦ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌କୁ ୬ ଉଇକେଟରେ ଜିତି ଦକ୍ଷିଣ ଆଫ୍ରିକା ଅଭିଯାନ ଆରମ୍ଭ କରିଛି। ଆନରିଚ୍‌ ନର୍ଜେ ଘାତକ ବୋଲିଂ କରି ୭ ରନ୍‌ରେ ୪ ଉଇକେଟ ନେବାରୁ ଶ୍ରୀଲଙ୍କା ୧୯.୧ ଓଭରରେ ମାତ୍ର ୭୭ ରନ୍‌ରେ ଅଲଆଉଟ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୬.୨ ଓଭରରେ ୪ ଉଇକେଟ ହରାଇ ୮୦ ରନ୍‌ କରିଥିଲା। ଶ୍ରୀଲଙ୍କା ଏହାର ଟି୨୦ ବିଶ୍ୱକପ ଇତିହାସର ସର୍ବନିମ୍ନ ସ୍କୋର କରିଥିଲା।

ପେସ୍‌ ବୋଲିଂ ସହାୟକ ପିଚ୍‌ରେ ଶ୍ରୀଲଙ୍କା ଆଶ୍ଚର୍ଯ୍ୟଜନକ ଭାବରେ ପ୍ରଥମେ ବ୍ୟାଟିଂ କରିଥିଲା। ଶ୍ରୀଲଙ୍କାର ୮ ଜଣ ଖେଳାଳି ୨ ଅଙ୍କରେ ପହଞ୍ଚି ପାରି ନ ଥିବା ବେଳେ କୁଶାଲ ମେଣ୍ଡିସ୍‌ ସର୍ବାଧିକ ୧୯ ରନ୍‌ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଞ୍ଜେଲୋ ମାଥ୍ୟୁସ୍‌ ୧୬ ଓ କାମିନ୍ଦୁ ମେଣ୍ଡିସ ୧୧ ରନ୍‌ କରିବାରୁ ଶ୍ରୀଲଙ୍କା ୭୭ ରନ୍‌ରେ ପହଞ୍ଚିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଆନରିଚ୍‌ ନର୍ଜେ ୪,କେଶବ ମହାରାଜ,କାଗିସୋ ରାବାଡା ୨ଟି ଲେଖାଏ ଓ ଓଟ୍‌ନିଲ୍‌ ବାର୍ଟମାନ୍‌ ଗୋଟିଏ ଉଇକେଟ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା କ୍ୱିଣ୍ଟନ୍‌ ଡି କକ୍‌ଙ୍କ ୨୦, ହେନ୍‌ରିଚ୍‌ କ୍ଲାସେନଙ୍କ ଅପରାଜିତ ୧୯ ଓ ଟ୍ରିଷ୍ଟାନ ଷ୍ଟବ୍ସଙ୍କ ୧୩ ରନ୍‌ ବଳରେ ବିଜୟୀ ହୋଇଥିଲା। ଶ୍ରୀଲଙ୍କା ପକ୍ଷରୁ ଓ୍ବାନିନ୍ଦୁ ହସରଙ୍ଗା ୨, ନୁଆନ୍‌ ଥୁସାରା ଓ ଦାସୁନ୍‌ ସନକା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଆନରିଚ୍‌ ନର୍ଜେଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।

Share