Categories: ଖେଳ

ମିଲର-ଡୁସେନ ଛଡ଼ାଇ ନେଲେ ମ୍ୟାଚ୍‌

ନୂଆଦିଲ୍ଲୀ,୯।୬: ୨୧୧ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିବା ସତ୍ତ୍ୱେ ଭାରତ ବିଜୟ ସ୍ବାଦ ଚାଖିପାରି ନାହିଁ। ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ଗୁରୁବାର ଦକ୍ଷିଣ ଆଫ୍ରିକା ୫ ବଲ ପୂର୍ବରୁ ୭ ଉଇକେଟରେ ମ୍ୟାଚ୍‌କୁ ଜିତି ନେଇଛି। ଦକ୍ଷିଣ ଆଫ୍ରିକା ପାଇଁ ରନ୍‌ ପିଛା କରିବାରେ ଏହା ସର୍ବବୃହତ୍‌ ବିଜୟ। ଇଶାନ କିଷନଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୦ ଓଭରରେ ୪ ଉଇକେଟ ହରାଇ ୨୧୧ ରନ୍‌ କରିଥିଲା। ଜବାବରେ ରାସି ଭାନ ଡର ଡୁସେନ (୭୫*) ଓ ଡେଭିଡ୍‌ ମିଲର (୬୪*) ଅବିଭାଜିତ ଚତୁର୍ଥ ଉଇକେଟରେ ୧୩୧ ରନ୍‌ ଯୋଡ଼ି ଦକ୍ଷିଣ ଆଫ୍ରିକାକୁ ମ୍ୟାଚ୍‌ ଜିତାଇ ଦେଇଥିଲା। ଏହି ପରାଜୟ ଯୋଗୁ ଭାରତୀୟ ଦଳ ଏକ ବୃହତ୍‌ ରେକର୍ଡରୁ ବଞ୍ଚିତ ହୋଇଛି। ଏହି ମ୍ୟାଚ୍‌ ଜିତିଥିଲେ ଭାରତୀୟ ଦଳ ଟି୨୦ ଫର୍ମାଟରେ ଲଗାତର ୧୩ ମ୍ୟାଚ୍‌ ଜିତିବାର ରେକର୍ଡ କରିଥାନ୍ତା। ଅନ୍ୟପକ୍ଷରେ ଭ୍ରମଣକାରୀ ଦଳ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ କରିଛି। ହାଇସ୍କୋରିଂ ମ୍ୟାଚ୍‌ରେ ଉଭୟ ଦଳର ଖେଳାଳିମାନେ ମୋଟ ୨୮ ଛକା ଲଗାଇଥିଲା।

Share