ଜୀବିତ ଅଛନ୍ତି ଟୋଲୋ ନ୍ୟୁଜର ଖବରଦାତା

କାବୁଲ,୨୬ ।୮: ଆଫଗାନିସ୍ତାନରେ ତାଲିବାନ କାୟା ବିସ୍ତାର କରିବା ପରେ ସେଠାରେ ଏବେ କେବଳ ଭୟ ହିଁ ଭୟ । ଏହାରି ଭିତରେ ଏକ ଖବର ଆସିଥିଲା କି ସେଠାକାର ସବୁଠାରୁ ବଡ ମିଡିଆ ଏଜେନ୍ସି ଟୋଲୋ ନ୍ୟୁଜର ଖବରଦାତାଙ୍କୁ ତାଲିବାନ ହତ୍ୟା କରିଛି । ତାଙ୍କ ସହ ଥିବା କ୍ୟାମେରାମ୍ୟାନଙ୍କୁ ପିଟିବା ଯୋଗୁ ସେ ଗୁରୁତର ଅଛନ୍ତି । ହେଲେ ଏବେ ଖବର ଆସିଛି କି ଖବରଦାତା ଜିୟାର ଖାଁ ୟାଦ ଜୀବିତ ଅଛନ୍ତି । କାରଣ ଖବରଦାତା ଜିୟାର ଖାଁ ୟାଦ ନିଜେ ଏହି ଖବରକୁ ଖଣ୍ଡନ କରିଛନ୍ତି । ଟୁଇଟ୍ କରି ସେ କହିଛନ୍ତି ଗୋଟିଏ ଭୁଲ ଖବର ଏବେ ସାରା ବିଶ୍ୱରେ ପ୍ରଚାରିତ ହୋଇ ଗଲଣି । ହେଲେ ମୁଁ ଜୀବିତ ଅଛି । ମିଳିଥିବା ସୂଚନାରୁ ଜଣାପଡିଛି କି ବୁଧବାର କାବୁଲର ହାଜି ୟାକୁବ ରାସ୍ତାରେ ଆଫଗାନିସ୍ତାନରେ ଫସି ରହିଥିବା ଗରିବ ଓ ବେକାରୀଙ୍କ ଉପରେ ଜିୟାର ଖାଁ ୟାଦ ରିପୋର୍ଟିଂ କରୁଥିଲେ । ତାଙ୍କ ସହ ସେତେବେଳେ ଥିଲେ ତାଙ୍କ କ୍ୟାମେରା ମ୍ୟାନ୍ । ସେହି ସମୟରେ ତାଲିବାନର କିଛି ଲୋକ ତାଙ୍କୁ ଧରିନେଇ ବାଡେଇଥିଲେ । ଯଦିଓ ଉଭୟ ଖବରଦାତା ଓ କ୍ୟାମେରା ମ୍ୟାନଙ୍କୁ ସେମାନେ ନିର୍ଦ୍ଦୟ ଭାବେ ପିଟିଥିଲେ । ଏବେସେମାନେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Share