Advertisement
Categories: ଜାତୀୟ

କଂଗ୍ରେସରେ ସାମିଲ ହେଲେ ବିଏସପି ପ୍ରାର୍ଥୀ, କଂଗ୍ରେସ ସମର୍ଥନ ଉପରେ କରାଯିବ ପୁନଃବିଚାର:ମାୟାବତୀ

ଭୋପାଳ,୩୦।୪: ଉତରପ୍ରଦେଶରେ ଏସ୍‌ପି-ବିଏସ୍‌ପି ସହ କଂଗ୍ରେସର ମେଣ୍ଟ ହୋଇ ପାରି ନ ଥିବା ବେଳେ କଂଗ୍ରେସ ଲଗାତାର ମାୟାବତୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛି। ଗତ ମାସରେ ଅନେକ ବିଏସ୍‌ପି ନେତା ଦଳ ଛାଡିଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ମତଦାନ ପରେ ମଧ୍ୟପ୍ରଦେଶରେ ଆଉ ଜଣେ ନେତା ମାୟାବତୀଙ୍କୁ ଝଟକା ଦେଇଛନ୍ତି। ମଧ୍ୟପ୍ରଦେଶର ଗୁନା-ଶିବପୁରୀ ଆସନରୁ ବିଏସ୍‌ପି ଆଶାୟୀ ପ୍ରାର୍ଥୀ ଲୋକେନ୍ଦ୍ର ସିଂ ରାଜପୁତ ବିଏସ୍‌ପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଆସନରୁ ସେ କଂଗ୍ରେସ ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ପ୍ରତିଦ୍ୱନ୍ଦିତା କରୁଥିଲେ। ଅପରପକ୍ଷରେ ଏହାକୁ ନେଇ ମାୟାବତୀ କଂଗ୍ରେସ ଉପରେ ବର୍ଷିବା ସହ ନିଜର ଟୁଇଟର ଆକାଉଣ୍ଟରୁ ଟୁଇଟ କରିଛନ୍ତି। ସେ କହିଛନ୍ତି, ପ୍ରଶାସନିକ କଳର ଦୂରୁପଯୋଗ କରାଯାଉଥିବା ବେଳେ କଂଗ୍ରେସ ତାଙ୍କ ପ୍ରାର୍ଥୀଙ୍କୁ ଧମକ ଦେଉଛି। କିନ୍ତୁ ବିଏସ୍‌ପି ନିଜ ପ୍ରତୀକ ଚିହ୍ନରେ ଲଢ଼ି କଂଗ୍ରେସକୁ ଏହାର ଜବାବ ଦେବ। ତେବେ କଂଗ୍ରେସକୁ ସମର୍ଥନ ଜାରି ରହିବା ଉପରେ ପୁନଃବିଚାର କରାଯିବ ବୋଲି ମାୟାବତୀ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share