Categories: ଜାତୀୟ

ସନ୍ଧ୍ୟାରେ ମମତାଙ୍କୁ ଭେଟିବେ ଅଖିଳେଶ, ୨୦୨୪ ପାଇଁ ପ୍ରସ୍ତୁତ କରିବେ ରଣନୀତି

କୋଲକାତା,୧୭।୩: ସମାଜବାଦୀ ପାର୍ଟିର ବାର୍ଷିକ ସମ୍ମିଳନୀ କୋଲକାତାରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ସମ୍ମିଳନୀରେ ସାମିଲ ହୋବକୁ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର କକା ଶିବପାଲଙ୍କ ସହ କୋଲକାତାରେ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ସେ ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି। ଏଥିସହ ବିରୋଧୀ ଏକତାକୁ ଆହୁରି ଦୃଢ କରିବା ପାଇଁ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୂତ୍ରରୁ ପ୍ରକାଶ ଯେ, ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଶୁକ୍ରବାର ସନ୍ଧ୍ୟା ୫ଟାରେ ବାସଭବନରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିବେ।

ଏହି ସମ୍ମିଳନୀରେ ସମାଜବାଦୀ ପାର୍ଟି ଆସନ୍ତା ନିର୍ବାଚନରେ ସରକାରଙ୍କ ସହ କେଉଁ ପଏଣ୍ଟରେ ଲଢିବେ ସେନେଇ ଆଲୋଚନା କରିବାକୁ ଯାଉଛନ୍ତି। ଏସ୍‌ପି କଂଗ୍ରେସ ଠାରୁ କେତେ ଦୂରରେ ରହିବ ଏବଂ ଅନ୍ୟ ଦଳ ସହ କେତେ ନିକଟତର ହେବ, ଏହି ସବୁ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହେବ। ସମାଜବାଦୀ ପାର୍ଟିର ସମ୍ମିଳନୀ ୧୮ ମାର୍ଚ୍ଚରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ବୈଠକରେ ସମସ୍ତ ସମାଜବାଦୀ ଦଳର ନେତା ଏବଂ ଅନ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିବେ।

Share