ଡ୍ରାଇଭିଂ ଟେଷ୍ଟ ଦେଉଥିଲେ ଏସ୍‌ପି: ସମୁଦ୍ରରେ ଫସିିିଲା ପୋଲିସ ଭ୍ୟାନ୍‌

ବାଲେଶ୍ୱର ଅଫିସ,୨୪।୯: ବାଲେଶ୍ୱର ଜିଲାର ପୋଲିସ ନାମରେ ଥିବା ଏକ ଗାଡ଼ି (ନଂ. ଓଡ଼ି୦୫ବିଏ-୪୬୧୬) ବୁଧବାର ରାତିରେ ଚାନ୍ଦିପୁର ଆଇଟିଆର୍‌ର ନିଷିଦ୍ଧାଞ୍ଚଳ ୬ହଜାର ପଏଣ୍ଟ ତଥା ମହିଁଷାଳି ପୋଲ ନିକଟ ସମୁଦ୍ର ଭିତରେ ଫସିଯାଇଥିବା ସୂଚନା ମିଳିଛି।

ଗତ ଏପ୍ରିଲରେ ବାଲେଶ୍ୱର ଜିଲା ପୋଲିସ ନାମରେ ଦୁଇଟି ଗାଡ଼ି କିଣାଯାଇଥିଲା। ଦେଢ଼ମାସ ପୂର୍ବରୁ ଜିଲା ପୋଲିସକୁ ଉକ୍ତ ଗାଡ଼ି ଦୁଇଟିକୁ ହସ୍ତାନ୍ତର କରାଯାଇଥିଲା। ତନ୍ମଧ୍ୟରୁ ଗୋଟିଏ ଗାଡ଼ିକୁ ବୁଧବାର ଅପରାହ୍ନରେ ଜିଲା ଏସ୍‌ପି ଟେଷ୍ଟ ଡ୍ରାଇଭିଂରେ ସମୁଦ୍ରକୂଳରେ ଚଳାଉଥିଲେ। ସମୁଦ୍ର ବେଳାଭୂମିରେ ହଠାତ୍‌ ଗାଡିଟି ଦବିବାକୁ ଲାଗିଥିଲା। ବହୁ ଚେଷ୍ଟା କରି ଏସ୍‌ପି ଗାଡ଼ିଟିକୁ ଉଠାଇ ପାରି ନ ଥିବା ବେଳେ ଏହି ସମୟରେ ସମୁଦ୍ରରେ ଜୁଆର ଆସିଥିଲା। ସେଠାରେ ଏସ୍‌ପି ଗାଡ଼ି ଛାଡ଼ି ପଳାଇଆସିଥିବା ଉକ୍ତ ଅଞ୍ଚଳରେ ଡ୍ୟୁଟି କରୁଥିବା ଜଣେ ଆଇଟିଆର୍‌ ସୁରକ୍ଷା କର୍ମୀ ପ୍ରକାଶ କରିଛନ୍ତି।

କିଛି ସମୟ ପରେ ରିଜର୍ଭ ପୋଲିସ୍‌ର ଏକ ଟିମ୍‌ ଓ ଓଡ୍ରାଫ୍‌ ଟିମ୍‌ ପହଞ୍ଚତ୍ ଗାଡ଼ିକୁ ଉଠାଇବା ପାଇଁ ରାତିସାରା ବହୁ ଚେଷ୍ଟା କରିଥିଲେ ମଧ୍ୟ ଉଠାଇ ପାରି ନ ଥିଲେ। ପ୍ରବଳ ଜୁଆର ଆସିବା ଯୋଗୁ ଗାଡ଼ିଟି ସମ୍ପୂର୍ଣ୍ଣ ବାଲିରେ ପୋତି ହୋଇଯାଇଥିଲା। ସମସ୍ତେ ଜୁଆର ଛାଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଜୁଆର ଛାଡ଼ିବା ପରେ ଗାଡ଼ିକୁ ଜେସିବି ସାହାଯ୍ୟରେ ଉଠାଇବା ପାଇଁ ଚେଷ୍ଟା ଜାରି ରହିଛି। ଏ ସମ୍ପର୍କରେ ଜାଣିବା ଲାଗି ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।

Share