ଚୋର ଧରିବା ପାଇଁ ୫୦ପଇସା ଘୋଷଣା କଲା ପୋଲିସ, ଲୋକେ କହିଲେ…

ଜୟପୁର,୧୩।୨: ରାଜସ୍ଥାନ ପୋଲିସର ଏକ ପ୍ରେସ ରିଲିଜ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଜାରି ପତ୍ରରେ ରାଜସ୍ଥାନ ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ୫୦ପଇସା ପୁରସ୍କାର ଘୋଷଣା କରିଛିି। ଅପରାଧୀଙ୍କୁ ଧରି ପୋଲିସର ଜିମା ଦେବା ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସୋସିଆଲ ମିଡିଆରେ ଏହି ପତ୍ର ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଆସନ୍ତୁ ଜାଣିବା ପୁରା ମାମଲା।

ମାମଲା ରାଜସ୍ଥାନର ଝୁନଝୁନ ଜିଲାର ଅଟେ। ପୋଲିସ ଅପରାଧୀ ଯୋଗେଶଙ୍କୁ ଧରିବା ପାଇଁ ବହୁଥର ଚେଷ୍ଟା କଲେ ମଧ୍ୟ ଅସଫଳ ହେଉଥିଲା। ବାରମ୍ବାର ସମନ ଜାରି ହୋଇଥିଲେ ମଧ୍ୟ ସେ କୋର୍ଟରେ ହାଜର ହୋଇ ନ ଥିଲେ। ତେଣୁ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରି ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ବାରମ୍ବାର ଚଢାଉ ପରେ ଅପରାଧୀ ଧରାଛୁଆଁ ନ ଦେବାରୁ ପୋଲିସ ତାଙ୍କ ବିରୋଧରେ ପୁରସ୍କାର ଘୋଷଣା କରିଛି। ପୋଲିସ ଏକ ନିର୍ଦ୍ଦେଶାନାମା ଜାରି ଧରିବା ପାଇଁ ୫୦ପଇସା ଘୋଷଣା କରିଛି। ଯାହାକୁ ନେଇ ସୋସିଆଲ ମିଡିଆରେ ହାସ୍ୟରୋଳ ସୃଷ୍ଟି ହେବା ସହ ପୋଲିସର ଏପରି ପୁରସ୍କାର ଘୋଷଣାକୁ ସମାଲୋଚନା କରାଯାଇଛି।

ସୋସିଆଲ ମିଡିଆରେ ଭାଇରାଲ ଅର୍ଡରରେ ଏସପି ଦେବେନ୍ଦ୍ର କୁମାରଙ୍କ ଦସ୍ତଖତ ରହିଛିି। ଏବେ ଏଠାରେ ବଡ ପ୍ରଶ୍ନ ଉଠିଛି କି, ଅର୍ଡର ଟାଇପ କରିଥିବା କିରାଣୀଙ୍କ ଏହି ପତ୍ରକୁ ଏସପିଙ୍କୁ ନେଇ ଦେଉଥିବା କର୍ମଚାରୀ ଜଣକ କାହିଁକି ପଢିଲେ ନାହିଁ?ସେହିପରି ଖୋଦ୍‌ ଏସପି ଦେବେନ୍ଦ୍ର କୁମାର କିପରି ଆଖି ବନ୍ଦ କରି ଏଥିରେ ଦସ୍ତଖତ କଲେ? କିନ୍ତୁ ଏହାକୁ ନେଇ ପୋଲିସ ସ୍ପଷ୍ଟୀକରଣ ଦେଇଛି ଯେ, ଏହି ଭୁଲଟି ମନୁଷ୍ୟଗତ ତ୍ରୁଟି ଯୋଗୁଁ ହୋଇଛି। ବର୍ତ୍ତମାନ ଏହାକୁ ସଂଶୋଧନ କରାଯାଉଛି।

 

Share