ଲକ୍ଷ୍ନୌ,୭।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହୋଇଛି। ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ମଧ୍ୟ ଜୋରସୋରରେ ଚାଲିଛି। ନିକଟରେ ସମାଜବାଦୀ ପାର୍ଟି(ଏସ୍ପି)ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅପ୍ରୀତିକର ଘଟଣା ଘଟିଥିଲା। ଉତ୍ତର ପ୍ରଦେଶ ବାହ ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ଏସ୍ପିର ଜାତୀୟ ସାଧାରଣ ସମ୍ପାଦକ ରାମଜୀଲାଲ ସୁମନ ଜିଲା ସଭାପତି ଜିତେନ୍ଦ୍ର ବର୍ମାଙ୍କୁ ଷ୍ଟେଜ ଉପରେ ଚାପୁଡା ମାରିବାକୁ ହାତ ଉଠାଇଥିଲେ। ଏହି ସମୟରେ ବର୍ମାଙ୍କ ପାଖରେ ଏସ୍ପି ସୁପ୍ରିମୋ ଅଖିଳେଶ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ହେଲେ ସେ ଏହି ଘଟଣାକୁ ସାମାନ୍ୟ କରିବା ପାଇଁ ହସିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି।
ବାହରେ ଏସ୍ପିର ଏକ ନିର୍ବାଚନ ରାଲିର ଆୟୋଜନ ହୋଇଥିଲା। ଏଥିରେ ରାମଜୀଲାଲ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରିଥିଲେ। ସେ ଭାଷଣ ଦେଉଥିବା ବେଳେ ବର୍ମା ଓ ଅଖିଳେଶ ପରସ୍ପର ସହ କଥା ହେବାରେ ଲାଗିଥିଲେ। ପ୍ରଥମେ ରାମଜୀଲାଲ କଥାବାର୍ତ୍ତା ବନ୍ଦ କରି ଭାଷଣ ଶୁଣିବାକୁ ହାତ ଦେଖାଇ ବର୍ମାଙ୍କୁ ସଙ୍କେତ ଦେଇଥିଲେ। ହେଲେ ସେ ଏହାକୁ ବୁଝି ପାରି ନଥିଲେ। ଅଖିଲେଶ ମଧ୍ୟ ଭାଷଣ ଚାଲିଥିବା ବେଳେ ବର୍ମାଙ୍କ ସହ କଥାବାର୍ତ୍ତାରେ ମାତିଥିଲେ। ଏଥିରେ ରାଗି ଯାଇ ରାମଜୀଲାଲ ଅଧାରୁ ଭାଷଣ ବନ୍ଦ କରି ବର୍ମାଙ୍କ ପାଖକୁ ଯାଇଥିଲେ। ଏଥିସହ ତାଙ୍କୁ ମାରିବା ପାଇଁ ହାତ ମଧ୍ୟ ଉଠାଇଥିଲେ। ସେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ଅଖିଲେଶ ଜୋରରେ ହସିବାକୁ ଲାଗିଥିଲେ। ଷ୍ଟେଜରେ ଥିବା ଅନ୍ୟ ନେତାମାନେ ବର୍ମା ଓ ରାମଜୀଲାଲଙ୍କୁ ଦେଖି ଚକିତ ହୋଇଯାଇଥିଲେ।