ସଭାସ୍ଥଳ ସୁରକ୍ଷା ଅନୁଧ୍ୟାନ କଲେ ଏସ୍‌ପି

ଭଞ୍ଜନଗର,୨୧ା୮(ବାବୁଲା ପ୍ରଧାନ): ୫-ଟି ସଚିବ ଭି.କେ.ପାଣ୍ଡିୟାନ ଆସନ୍ତା ୨୫ ତାରିଖରୁ ୩ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସିବେ। ଏଥିପାଇଁ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ପ୍ରସ୍ତୁତି ତ୍ୱରାନ୍ବିତ କରାଯାଉଛି। ୫-ଟି ସଚିବଙ୍କ ଗସ୍ତ କିଭଳି ସଫଳ ହେବ ସେଥିପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନେ ଚେଷ୍ଟା ଚଳାଇଛନ୍ତି। କେଉଁଠି କିଛି ଭୂଲ ରହିଯିବା ଆଶଙ୍କାରେ କେତେଜଣ ଅଫିସର ମାନସିକ ଚାପରେ ରହୁଥିବା ଦେଖାଯାଉଛି।

ରବିବାର ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଭଞ୍ଜନଗର ଗସ୍ତରେ ଆସି କଲେଜ ପଡିଆରେ ହେବାକୁ ଥିବା ହେଲିପ୍ୟାଡ୍‌ ଏବଂ ସଭାସ୍ଥଳ ବୁଲି ଦେଖିଥିଲେ। ସୋମବାର ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ମଧ୍ୟ କଲେଜ ପଡିଆରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ଭଞ୍ଜନଗର ଉପଜିଲାପାଳ ଜ୍ୟୋତି ରଞ୍ଜନ ରାୟ, ବିଡିଓ ଶଶୀଭୂଷଣ ମହାପାତ୍ର, ତହସିଲଦାର ଅତ୍ୟୁତାନନ୍ଦ ଜାନି, ଥାନା ଅଧିକାରୀ ଧୀରେସ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଆସନ୍ତା ୨୬ ତାରିଖରେ ୫-ଟି ସଚିବ ଭଞ୍ଜନଗର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିବାରୁ କଲେଜ ପଡ଼ିଆରେ ଟେଣ୍ଟ ବାନ୍ଧିବା କାମ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ୫-ଟି ସଚିବଙ୍କ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପାଇଁ ଶାସକ ଦଳର ନେତାମାନେ ମଧ୍ୟ ଚେଷ୍ଟା ଚଳାଇଛନ୍ତି। ବିରୋଧୀମାନେ ମଧ୍ୟ ସଚିବ ଏବଂ ଶାସକଦଳକୁ ଲକ୍ଷ୍ୟ କରି ବିଭିନ୍ନ ପ୍ରକାର ମନ୍ତବ୍ୟ ସୋସିଆଲ ମିଡିଆରେ ଦେଉଛନ୍ତି।