ଅଭିଯୁକ୍ତଙ୍କ ଟେର୍‌ ପାଉନି ପୋଲିସ

ଭୁବନେଶ୍ୱର, ୪।୭(ସୂର୍ଯ୍ୟକାନ୍ତ ବେହେରା): ଆଇପିଏସ୍‌ ଅଫିସର ତଥା ବାଲେଶ୍ବର ଏସ୍‌ପିଙ୍କ ମା’, ବାପାଙ୍କଠାରୁ ଲୁଟ ଉଦ୍ୟମ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ ମଧ୍ୟ ଏଯାବତ ଧରିପାରିନାହିଁ। ସେମାନେ ବ୍ୟବହାର କରୁଥିବା ଚୋରା ବାଇକକୁ ଜବତ କରି ପୋଲିସ ତଦନ୍ତ ଚଳାଇଛି। ବାଇକଟି ଯାଜପୁର ଅଞ୍ଚଳର ବୋଲି ଜଣାପଡିଥିଲେ ମଧ୍ୟ ଗାଡିର ପ୍ରକୃତ ମାଲିକଙ୍କ ବିଷୟରେ ଜଣାପଡିନାହିଁ। ଏନେଇ ଭରତପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏସ୍‌ପି ସାଗରିକାଙ୍କ ମା’ ବାପା ଗତ ଶନିବାର କୌଣସି କାମରେ କାର ଯୋଗେ ବାହାରକୁ ଯାଉଥିବା ବେଳେ ୨ଜଣ ଯୁବକ ବାଇକରେ ଆସି ଠିକଣା ପଚାରିଥିଲେ। ଏହାପରେ ହଠାତ୍‌ ସେମାନେ ସାଗରିକାଙ୍କ ମା’ଙ୍କ ବେକରୁ ଚେନ ଝାମ୍ପିବାକୁ ଉଦ୍ୟମ କରିଥିଲେ। ତେବେ ଲୁଟେରାଙ୍କ ଧରିବା ପାଇଁ ଗାଡିରେ ବସିଥିବା ତାଙ୍କ ବାପା ଅଭିଯୁକ୍ତଙ୍କ ଗାଡିକୁ ଧକ୍କା ଦେବାରୁ ସେମାନେ ତଳେ ପଡ଼ିଯାଇଥିଲେ। ଧରାପଡିଯିବା ଭୟରେ ସେମାନେ କାର ଉପରକୁ ପଥର ମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣା ସଂକ୍ରାନ୍ତରେ ଏସପି ସାଗରିକାଙ୍କ ବାପା ପୋଲିସକୁ ଖବର ଦେଇଥିଲେ ।

Share