ନୂଆଦିଲ୍ଲୀ, ୧୬ା୩: ଆଗାମୀ ୨୦୩୦ରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମହାକାଶ ପର୍ଯ୍ୟଟନ ଆରମ୍ଭ କରିବା ଲାଗି ଯୋଜନା କରିଛି। ଏଥିପାଇଁ ଟିକେଟ ଦାମ୍ ପ୍ରାୟ ୬ କୋଟି ଟଙ୍କା ରହିବ। ଯେଉଁ ଭାରତୀୟ ଅର୍ଥ ପୈଠ କରିପାରିବେ ସେମାନେ ରକେଟରେ ବସି ମହାକାଶ ଭ୍ରମଣର ସୁଯୋଗ ପାଇବେ। ଭ୍ରମଣକାରୀ ନିଜକୁ ମହାକାଶଚାରୀ କହିପାରିବେ। ଭାରତର ନିଜସ୍ବ ସ୍ପେସ୍ ଟୁରିଜମ୍ ମଡ୍ୟୁଲ୍ ପାଇଁ କାର୍ଯ୍ୟ ଆଗେଇ ଚାଲିଥିବା ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି। ବିଶ୍ୱ ବଜାର ସହ ପ୍ରତିଯୋଗିତା କରି ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।