Categories: ଖେଳ

ସ୍ପେନ୍‌ର ରଣନୀତି ଆଗରେ ହାର୍‌ ମାନିଲା ଇଂଲଣ୍ଡ

ସିଡ୍‌ନୀ,୨୦ା୮: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ବିଶ୍ୱକପରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ସ୍ପେନ୍‌ ୟୁରୋ ଚାମ୍ପିୟନ ଇଂଲଣ୍ଡକୁ ୧-୦ରେ ପରାସ୍ତ କରି ବିଶ୍ୱ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଉଭୟ ଦଳ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିବା ବେଳେ ଅଧିନାୟିକା ଓଲଗା କାରମୋନାଙ୍କ ଏକମାତ୍ର ଗୋଲ ବଳରେ ଇଂଲଣ୍ଡକୁ ୧-୦ରେ ପରାସ୍ତ କରିଛି ସ୍ପେନ୍‌।

ଏହା ସହିତ ୟୁରୋ ୨୦୨୨ କ୍ୱାର୍ଟର ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ସ୍ପେନ୍‌। ୧୯୬୬ ପରଠାରୁ ଇଂଲଣ୍ଡ ପୁରୁଷ ଓ ମହିଳା ଦଳ ଟ୍ରଫି ହାସଲରେ ବିଫଳ ହୋଇଥିଲେ। ଚଳିତବର୍ଷ ଅପରାଜେୟ ଭାବେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ସ୍ପେନ୍‌ର ରଣନୀତି ଆଗରେ ଦଳ ହାର୍‌ ମାନିଛି। କ୍ରମାଗତ ଦ୍ୱିତୀୟ ଥର ପାଇଁ ସରିନା ଓ୍ବିଗ୍‌ମ୍ୟାନଙ୍କ ଦଳ ରନର ଅପ୍‌ ରହିଛି। ୨୦୧୯ରେ ସରିନାଙ୍କ ଅଧୀନରେ ଖେଳି ନେଦରଲାଣ୍ଡ୍ସ ମଧ୍ୟ ରନର ଅପ୍‌ ହୋଇଥିଲା। ବିଶ୍ୱର ସପ୍ତମ ଖେଳାଳି ଭାବରେ ବିଶ୍ୱକପ୍‌ର ଉଭୟ ସେମି ଫାଇନାଲ ଓ ଫାଇନାଲରେ ସ୍କୋର କରିବାର ରେକର୍ଡ କରିଛନ୍ତି ସ୍ପାନିଶ ଅଧିନାୟିକା ଓଲଗା କାରମୋନା। ୨୩ ବର୍ଷ ୬୯ ଦିନରେ ଗୋଲ ସ୍କୋର କରିବା ସହିତ ଫାଇନାଲରେ ଚତୁର୍ଥ ସର୍ବକନିଷ୍ଠ ଖେଳାଳି ଭାବରେ ଏକ ଫାଇନାଲରେ ସ୍କୋର କରିବାର ରେକର୍ଡ କରିଛନ୍ତି।

Share