Categories: ଖେଳ

ନକ୍‌ଆଉଟ୍‌ରେ ସ୍ପେନ୍‌, ଜାପାନ

ଡୁନେଡିନ୍‌/ଅକଲାଣ୍ଡ, ୨୭ା୭(ପି.ଟି.): ଫିଫା ମହିଳା ଫୁଟବଲ୍‌ ବିଶ୍ୱକପ୍‌ରେ ବୁଧବାର ସ୍ପେନ୍‌, ଜାପାନ ଓ କାନାଡା ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ପ୍ରଥମ ଦଳ ଭାବରେ ନକ୍‌ଆଉଟରେ ପ୍ରବେଶ କରିଛନ୍ତି ସ୍ପେନ୍‌ ଓ ଜାପାନ।
ନକ୍‌ଆଉଟରେ ସ୍ପେନ୍‌ ଓ ଜାପାନ: ଫିଫା ବିଶ୍ୱକପ୍‌ ୨୦୨୩ରେ ପ୍ରଥମ ଦୁଇ ଦଳ ଭାବରେ ନକ୍‌ଆଉଟରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି ସ୍ପେନ୍‌ ଓ ଜାପାନ। ଉଭୟ ଦଳ ଦୁଇଟି ଲେଖାଏ ମ୍ୟାଚ୍‌ ଖେଳିଥିବା ବେଳେ ଉଭୟ ମ୍ୟାଚ୍‌ ଜିତି ଆଗୁଆ ନକ୍‌ଆଉଟରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ସି’ରେ ସ୍ଥାନ ପାଇଥିବା ସ୍ପେନ୍‌ ପ୍ରଥମ ମ୍ୟାଚରେ କୋଷ୍ଟାରିକା ଓ ଦ୍ୱିତୀୟ ମ୍ୟାଚରେ ଜାମ୍ବିଆକୁ ହରାଇଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ଜାମ୍ବିଆ ଓ ଦ୍ୱିତୀୟ ମ୍ୟାଚରେ କୋଷ୍ଟାରିକାକୁ ହରାଇଛି।
ଦୁଇ ମିନିଟ୍‌ରେ ଦୁଇ ଗୋଲ୍‌: ବିଶ୍ୱ ମାନ୍ୟତାର ୬ ନମ୍ବର ସ୍ଥାନରେ ଥିବା ଜାପାନ ୨-୦ ଗୋଲରେ ୭୭ ନମ୍ବର ସ୍ଥାନରେ ଥିବା କୋଷ୍ଟାରିକାକୁ ପରାସ୍ତ କରିଛି। ଡୁନେଡିନ୍‌ରେ ଖେଳା ଯାଇଥିବା ମ୍ୟାଚରେ ଜାପାନ ଦୁଇ ମିନିଟ ମଧ୍ୟରେ ଦୁଇଟି ଗୋଲ ସ୍କୋର କରିଥିଲା। ମ୍ୟାଚର ପ୍ରଥମାର୍ଦ୍ଧରେ ଦଳ ପକ୍ଷରୁ ହିକାରୁ ନାଓମୋଟୋ ଓ ଆଓବା ଫୁଜିନୋ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ୨୫ତମ ମିନିଟରେ ନାଓମୋଟୋ କୋଷ୍ଟାରିକା ଗୋଲି ଡାନିଏଲା ସୋଲେରାଙ୍କୁ ପରାସ୍ତ କରିଥିଲେ। ଲେଫ୍ଟ ଓ୍ବିଙ୍ଗର ଫୁଜିନୋ ଏହାର ଦୁଇ ମିନିଟ ମଧ୍ୟରେ ଆଉ ଏକ ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। କୋଷ୍ଟାରିକା ପକ୍ଷରୁ ଗୋଲ ପରିଶୋଧର ପ୍ରୟାସ କରାଯାଇଥିଲେ ମଧ୍ୟ ଦଳ ସଫଳ ହୋଇ ନ ଥିଲା।
ଜେନିଫର,ଆଲବାଙ୍କ ଡବଲ୍‌ ଗୋଲ: ଜେନିଫର ହର୍ମେସୋ ଓ ଆଲବା ରେଡୋଣ୍ଡୋଙ୍କ ଡବଲ୍‌ ଗୋଲ୍‌ ବଳରେ ଜାମ୍ବିଆକୁ ୫-୦ରେ ପରାସ୍ତ କରିଛି ସ୍ପେନ୍‌। ସ୍ପେନ୍‌ର ସର୍ବକାଳୀନ ଶ୍ରେଷ୍ଠ ଗୋଲ ସ୍କୋରର ଜେନିଫର ୧୩ ଓ ୭୦ ତମ ମିନିଟରେ ଦୁଇଟି ଗୋଲ ଦେଇ ନିଜ ଶତକୀୟ ମ୍ୟାଚ୍‌କୁ ସ୍ମରଣୀୟ କରିଥିଲେ। ଅନ୍ୟପକ୍ଷରେ ବଦଳ ଖେଳାଳି ଭାବରେ ଆସିଥିବା ଆଲବା ୬୯ ଓ ୮୫ ମିନିଟରେ ଦୁଇଟି ଗୋଲ ଦେଇଥିଲେ। ମିଡ୍‌ଫିଲ୍ଡର ଟେରେସା ଆଲବେରିଆ ମ୍ୟାଚ୍‌ର ନବମ ମିନିଟରେ ସ୍ପେନ୍‌ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ।
ଆତ୍ମଘାତୀ ଗୋଲରେ ହାରିଲା ଆୟର୍ଲାଣ୍ଡ: ମେଗାନ୍‌ କନୋଲିଙ୍କ ଆତ୍ମଘାତୀ ଗୋଲରେ କାନାଡା ନିକଟରୁ ୨-୧ରେ ପରାଜିତ ହୋଇଛି ଆୟର୍ଲାଣ୍ଡ। ମ୍ୟାଚ୍‌ର ଚତୁର୍ଥ ମିନିଟରେ କେଟି ମ୍ୟାକ୍‌ବେ ଟୁର୍ନାମେଣ୍ଟର ଦ୍ରୁତତମ ଗୋଲ ରେକର୍ଡ କରିଥିଲେ। ତେବେ ୪୫+୫ ମିନିଟରେ ମେଗାନ୍‌ କନୋଲିଙ୍କ ଆତ୍ମଘାତୀ ଗୋଲ ବଳରେ ମ୍ୟାଚ୍‌ ସମାନ୍ତର ସ୍ଥିତିକୁ ଆସିଥିଲା। ପ୍ରଥମାର୍ଦ୍ଧ ୧-୧ରେ ଶେଷ ହେବା ପରେ ଦ୍ୱିତୀୟାର୍ଦ୍ଧର ୫୩ ମିନିଟରେ ଆଡ୍ରିଆନା ଲିଓନ୍‌ କାନାଡା ପକ୍ଷରୁ ବିଜୟ ସୂଚକ ଗୋଲ ଦେଇଥିଲେ।

Share