ନୂଆଦିଲ୍ଲୀ,୭।୩: ଟୋକିଓ ପାରାଅଲିମ୍ପିକ୍ସ ଚାମ୍ପିୟନ ପ୍ରମୋଦ ଭଗତ ସ୍ପାନିଶ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାର ତିନୋଟି ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସ୍ପେନର ଭିଟୋରିଆଠାରେ ରବିବାର ଶେଷ ହୋଇଥିବା ଟୁର୍ନାମେଣ୍ଟରେ ଅନ୍ୟ ଭାରତୀୟ ଶଟଲର ସୁକାନ୍ତ କଦମ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି।
ସିଙ୍ଗଲ୍ସ ବର୍ଗର ଫାଇନାଲରେ ବିଶ୍ୱର ନଂ ୧ ଭଗତ ୧୭-୨୧, ୨୧-୧୭, ୨୧-୧୭ ଗେମ୍ରେ କୁମାର ନୀତିଶଙ୍କୁ ହରାଇ ଦେଇଛନ୍ତି। ମ୍ୟାଚ୍ ଜିତିବା ପାଇଁ ଭଗତଙ୍କୁ ଏକ ଘଣ୍ଟା ଏକ ମିନିଟ୍ ଲାଗିଥିଲା। ପୁରୁଷ ଡବଲ୍ସ ବର୍ଗରେ ବିଶ୍ୱର ନଂ ୧ ଯୋଡ଼ି ଭଗତ ଏବଂ ମନୋଜ ସରକାର ୨୧-୧୯, ୧୧-୨୧, ୨୧-୧୧ ଗେମ୍ରେ ଅନ୍ୟ ଭାରତୀୟ ଯୋଡ଼ି କଦମ ଏବଂ ନୀତିଶଙ୍କୁ ହରାଇଥିଲେ। ସେହିଭଳି ମିକ୍ସଡ୍ ବର୍ଗରେ ଭଗତ ସାଥି ଖେଳାଳି ପଲକ କୋହଲିଙ୍କ ସହ ମିଶି ହାତେଇଛନ୍ତି ଟୁର୍ନାମେଣ୍ଟର ତୃତୀୟ ସ୍ବର୍ଣ୍ଣ ପଦକ।