ନୂଆଦିଲ୍ଲୀ,୯ା୪: ଅଦାଲତଙ୍କ ବିନା ଅନୁମତିରେ ଆମନେଷ୍ଟି ଇଣ୍ଟରନ୍ୟାଶନାଲ୍ର ପୂର୍ବତନ ଅଧ୍ୟକ୍ଷ ଆକାର ପଟେଲ ଦେଶ ବାହାରକୁ ଯାଇପାରିବେ ନାହିଁ। ଆକାରଙ୍କ ବିରୋଧରେ ଥିବା ଲୁକ୍ଆଉଟ୍ ସର୍କୁଲାର ପ୍ରତ୍ୟାହାର କରିନେବା ସହ ସିବିଆଇ ନିର୍ଦ୍ଦେଶକ ତାଙ୍କୁ ଲିଖିତ କ୍ଷମା ମାଗିବା ଲାଗି ଗୁରୁବାର ଦିଲ୍ଲୀ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହାର ଦିନକ ପରେ ପୂର୍ବ ନିର୍ଦ୍ଦେଶକୁ କୋର୍ଟ ସ୍ଥଗିତ ରଖିଛନ୍ତି। ପୂର୍ବ ରାୟରେ ତ୍ରୁଟି ରହିଥିବା ଅଦାଲତ ସ୍ବୀକାର କରିଛନ୍ତି। ଆକାରଙ୍କର ଆମେରିକାରେ ଏକାଧିକ ବକ୍ତୃତା କାର୍ଯ୍ୟକ୍ରମ ଥିବାରୁ ନୂଆ ନିର୍ଦ୍ଦେଶନାମା ଏହାକୁ ପ୍ରଭାବିତ କରିବ ବୋଲି ତାଙ୍କ ଓକିଲ କହିବା ସହ ଲୁକ୍ଆଉଟ୍ ସର୍କୁଲାର ଉପରେ ଶୁକ୍ରବାର ଶୁଣାଣି କରିବାକୁ ଅନୁରୋଧ କରିଥିଲେ। ଅଦାଲତ ଏହାକୁ ଅଗ୍ରାହ୍ୟ କରିଦେବା ସହ ଏପ୍ରିଲ ୧୨ରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ଲୁକ୍ଆଉଟ୍ ନୋଟିସ ପ୍ରତ୍ୟାହାର ସମ୍ପର୍କରେ ଇମିଗ୍ରେଶନ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ହେଁ ସିବିଆଇର ତଦନ୍ତକାରୀ ଅଧିକାରୀ ଫୋନ୍ ସୁଇଚ୍ ଅଫ୍ ରଖିଥିବା ଅଭିଯୋଗ କରି ଆକାର ଶୁକ୍ରବାର ସକାଳେ ଟୁଇଟ୍ କରିଥିଲେ।