ଗଞ୍ଜାମ ପୋଲିସର ସ୍ବତନ୍ତ୍ର ଡ୍ରାଇଭ: ଜୁଆଖେଳରୁ ୧୦ ଦିନରେ ୧୦୧ ଗିରଫ

ଛତ୍ରପୁର,୧୪ା୧୦(ଦିଲୀପ ସାମଲ): ପାର୍ବଣରେ ଚାଲିଥିବା ଜୁଆଖେଳଗୁଡିକରେ ଗଞ୍ଜାମ ପୋଲିସ ପକ୍ଷରୁ ଚଢାଉ ଜାରି ରହିଛି । ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ଅଞ୍ଚଳରେ ୧୦ ଦିନ ହେଲା ସ୍ବତନ୍ତ୍ର ଡ୍ରାଇଭ ଚାଲିଛି। ବେଆଇନ ମଦ କାରବାର ଉପରେ ଚଢ଼ାଉ କରାଯାଇ ୬୭୦ ଲିଟର ମଦ ଜବତ କରାଯିବା ସହ ୪୫ଟି ମାମଲା ରୁଜୁ କରାଯାଇଛି । ମଦ କାରବାର ଅଭିଯୋଗରେ ୪୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି କାର ୨ଟି ବାଇକ ଜବତ ହୋଇଛି । ସେହିପରି ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସିକା ଥାନା ଅଞ୍ଚଳରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବେଆଇନ ବାଣ ଜବତ କରାଯାଇଛି । ଅନ୍ୟପକ୍ଷରେ ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ୧୮ଟି ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯିବା ସହିତ ୧୦୧ ଜଣଙ୍କୁ ଗିରଫ କରାଯାଇଛି । ଏଥିସହିତ ୨୩ଟି ମୋବାଇଲ, ୨୪ଟି ମୋଟର ସାଇକେଲ, ୩ଟି କାର ଜବତ କରାଯାଇଥିବା ଗଞ୍ଜାମ ଏସ୍‌ପି ପାତ୍ର ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଏପରି ଚଢାଉ ଜାରି ରହିବ ବୋଲି ସେ କହିଛନ୍ତି ।

Share