ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ: ୨୮ ଦିନରେ ୩୧୪୩ ମାମଲା

କଟକ ଅଫିସ, ୩୧ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ନିଶାମୁକ୍ତ କରିବା ପାଇଁ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।
ରବିବାର କଟକ ସିଡିଏ ସେକ୍ଟର-୨ସ୍ଥିତ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅବକାରୀ ବିଭାଗ ଡେପୁଟି କମିଶନର ରାମଚନ୍ଦ୍ର ପାଲଟା ସୂଚନା ଦେଇ କହିଛନ୍ତି ଯେ, ନିଶା କାରବାରକୁ ରୋକିବାକୁ ଚଢ଼ାଉକୁ ଜୋରଦାର କରାଯିବା ସହ ବିଭିନ୍ନ ସ୍ଥାନରେ ବର୍ଡର ପୋଷ୍ଟ ଚେକ୍‌ କରାଯିବ। ଏପରିକି ବିଭାଗ ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୧୩ ଜାରି କରାଯାଇଛି। ଲୋକମାନେ ଏହି ନମ୍ବରରେ ଅଭିଯୋଗ କରିପାରିବେ। ପଞ୍ଚାୟତ ନିର୍ବାଚନରେ ଯେପରି କୌଣସି ନିଶା କାରବାରକୁ ନେଇ ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଚଳିତ ମାସ ୧ରୁ ୨୮ ତାରିଖ ମଧ୍ୟରେ ସ୍ପେଶାଲ ଡ୍ରାଇଭ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ପ୍ରାୟ ୧୦କୋଟି ଟଙ୍କାର ମାଦକ ଦ୍ରବ୍ୟ ଜବତ କରାଯାଇଛି। ଏ ନେଇ ୩୧୪୩ ମାମଲା ରୁଜୁ ହୋଇଥିବାବେଳେ ୨୫୯୭ ଜଣଙ୍କୁ ଗିରଫ କରାଯାଇଛି। ଜବତ ମାଦକ ଦ୍ରବ୍ୟ ମଧ୍ୟରେ ୯୦, ୬୮୮ ଲିଟର ଦେଶୀମଦ, ୮ଲକ୍ଷ ୧୮ ହଜାର ୧୫୦ ଲିଟର ପୋଚ, ୪୯୫୧ କିଲୋ ଗଞ୍ଜେଇ, ୧୦୬୧ ଗ୍ରାମ୍‌ ବ୍ରାଉନ୍‌ସୁଗାର ଓ ୯୫୮ କିଲୋ ଭାଙ୍ଗ ରହିଛି।
ସେହିପରି ଗତବର୍ଷ ଡିସେମ୍ବର ଶେଷ ସୁଦ୍ଧା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୯୭.୮୯ କୋଟି ଟଙ୍କାର ବେଆଇନ ମାଦକ ଦ୍ରବ୍ୟ ଜବତ କରାଯାଇଛି। ଏ ନେଇ ୨୭,୧୦୭ ମାମଲା ରୁଜୁ କରାଯାଇ ୨୨,୩୫୫ ଜଣଙ୍କୁ ଗିରଫ କରାଯାଇଛି। ଜବତ ମାଦକ ଦ୍ରବ୍ୟ ମଧ୍ୟରେ ୭ ଲକ୍ଷ ୩୨ ହଜାର ୪୩୭ ଲିଟର ଦେଶୀମଦ, ୭୮ ଲକ୍ଷ ୨୦ ହଜାର ୮୭୧କେଜି ପୋଚ, ୫ ହଜାର ୫୦ ଲିଟର ନକଲି ମଦ, ବିନା ଆୟକର ପଇଠରେ ୨୦୩୪ ଲିଟର ବିଦେଶୀ ମଦ ଓ ୩୬୭୧ ସ୍ପିରିଟ, ୨୧, ୦୪୬ କେଜି ଗଞ୍ଜେଇ, ୯୨୮୮.୯ କେଜି ବ୍ରାଉନ୍‌ସୁଗାର, ୫୮୧ ଲିଟର କଫସିରପ ରହିଛି। ଏଥିସହ ଉକ୍ତ କାରବାରରେ ବ୍ୟବହୃତ ୧୫୩୨ଟି ବାଇକ୍‌ ଜବତ କରାଯାଇଥିବା ପାଲଟା କହିଛନ୍ତି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଅବକାରୀ ବିଭାଗ ପ୍ରମୁଖ ସଚିବ ସୁଶୀଲ ଲୋହାନୀ ରାଜ୍ୟର ଅବକାରୀ କାର୍ଯ୍ୟକଳାପ ନେଇ ସମସ୍ତ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ଭିଡିଓ କନ୍‌ଫରେନ୍ସରେ ଏକ ସମୀକ୍ଷା କରିଥିଲେ। ରାଜ୍ୟରେ ସ୍ବତନ୍ତ୍ର ଚଢ଼ାଉ ଜାରି ରହିଛି। ଏହାକୁ ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ଜାରି ରଖିବାକୁ ଲୋହାନୀ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ନକଲି ମଦ, ଅପମିଶ୍ରିତ ବିଦେଶୀ ମଦ ଯୋଗୁ ଜୀବନହାନିର ଆଶଙ୍କା ରହିଥିବାରୁ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଥିଲେ।

Share