ଛେଣ୍ଡିପଦା,୨୪ା୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡିଆ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବିଲି ପାଳନ ହେଉଛି। ସୋମବାର ଦ୍ୱିତୀୟ ଦିବସରେ ଡାକ ଲଫାପା ଉନ୍ମୋଚିତ ହୋଇଛି। ଜୁବିଲି କମିଟି ସଭାପତି ତଥା ପୁରାତନ ଛାତ୍ର ପ୍ରାଧ୍ୟାପକ ପ୍ରଦୀପ କୁମାର କରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଦ୍ବିତୀୟ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଭାରତୀୟ ଡାକ ବିଭାଗ ସମ୍ବଲପୁରସ୍ଥିତ ଆଞ୍ଚଳିକ ମହାପ୍ରବନ୍ଧକ ରିଜୁ ଗାଙ୍ଗୁଲି, ସମ୍ମାନିତ ଅତିଥି ଭାବେ ଢେଙ୍କାନାଳସ୍ଥିତ ଭାରତୀୟ ଡାକ ବିଭାଗ ଅଧୀକ୍ଷକ ଜଗଦ୍ଦୀଶ ଦାଶ ଓ ବାଗଡିଆ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୀତାଞ୍ଜଳି ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅତିଥିମାନେ ଉନ୍ମୋଚନ କରିଥିବା ଡାକ ଲଫାପାରେ ବାଗଡିଆ ଉଚ୍ଚ ବିଦ୍ୟାଳୟ, ଜଗନ୍ନାଥ ମନ୍ଦିର, ମା’ ବୁଢୀ ଠାକୁରାଣୀ, ମା’ ବାୟାଣୀଙ୍କ ଫଟୋ ଚିତ୍ର ସ୍ଥାନିତ କରାଯାଇଛି। ଏ ନେଇ ଡାକବିଭାଗକୁ ଜୁବିଲି କମିଟି ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ସ୍ବାମୀ ବିବେକାନନ୍ଦଙ୍କ ପରି ହେବାକୁ ପରାମର୍ଶ ଦେବା ସହ ଗୁରୁଙ୍କୁ ଭକ୍ତି ଓ ମାତାପିତାଙ୍କୁ ସ୍ନେହ କରୁଥିବା ଛାତ୍ରୀଛାତ୍ର ସଂସାରର ଶ୍ରେଷ୍ଠ ବ୍ୟକ୍ତି ହୋଇପାରିବେ ବୋଲି କହିଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୀତାଞ୍ଜଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜୁବିଲି କମିଟି ସମ୍ପାଦକ ସତ୍ୟବ୍ରତ ପ୍ରଧାନ, ସହ ସମ୍ପାଦକ ମୋହନ ଚନ୍ଦ୍ର ଦେହୁରୀ, କୋଷାଧ୍ୟକ୍ଷ ବୁଦ୍ଧଦେବ ପ୍ରଧାନ, ରମେଶ ପ୍ରଧାନଙ୍କ ସମେତ ବହୁ ପୁରାତନ ଛାତ୍ରୀଛାତ୍ର ସହଯୋଗ କରିଥିଲେ।