ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର ପାଇଁ ସ୍ବତନ୍ତ୍ର ପ୍ରତିନିଧି ନିଯୁକ୍ତ

ଭୁବନେଶ୍ୱର,୪ା୩(ବ୍ୟୁରୋ)ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରେ ଫସି ରହିଥିବା ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ସେମାନେ କିଭଳି ସୁରକ୍ଷିତ ଭାବେ ଫେରିବେ ସେ ନେଇ ରାଜ୍ୟ ସରକାର ଗୁରୁବାର ସ୍ବତନ୍ତ୍ର ପ୍ରତିନିଧିଙ୍କୁ ଦାୟିତ୍ୱ ଦେଇଛନ୍ତି। ୟୁକ୍ରେନ୍‌ ସୀମା ପାର୍‌ କରି ହଙ୍ଗେରୀ, ପୋଲାଣ୍ଡ, ରୋମାନିଆ ଏବଂ ସ୍ଲୋଭାକିଆ ଚାଲିଯାଇଥିବା ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ଏହି ପ୍ରତିନିଧି ଦଳ କାର୍ଯ୍ୟ କରିବେ।

ଏଥିପାଇଁ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ନୋଡାଲ ଅଫିସ ଭାବେ କାର୍ଯ୍ୟ କରିବ। ଏ ବାବଦ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ବହନ କରାଯିବ ବୋଲି ଘୋଷଣା କରାଯାଇଛି। ପୋଲାଣ୍ଡ ପାଇଁ ସ୍ବତନ୍ତ୍ର ପ୍ରତିନିଧି ଭାବେ କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟର ଉପସଭାପତି ବିକ୍ରମାଦିତ୍ୟଙ୍କୁ ଦାୟିତ୍ୱ ପ୍ରଦାନ ଦିଆଯାଇଛି। ହଙ୍ଗେରୀ ପାଇଁ ସ୍ବତନ୍ତ୍ର ପ୍ରତିନିଧି ଭାବେ ୟୁଏନ୍‌ଏଚ୍‌ସିଆର୍‌ର ବରିଷ୍ଠ ଅଧିକାରୀ ଆରୁଷୀ ରାୟଙ୍କୁ ନିଯୁକ୍ତି ମିଳିଛି। ୟୁଏନ୍‌ ପଲିସି ଅଫିସର ବୈଶାଳୀ ମହାନ୍ତିଙ୍କୁ ରୋମାନିଆ ଦାୟିତ୍ୱ ଦିଆଯାଇଛି। ହଙ୍ଗେରୀ ପାଇଁ କନ୍‌ସଲଟାଣ୍ଟ ଭାବେ କାର୍ଯ୍ୟରତ ଅନୁରାଗ ପଟ୍ଟନାୟକଙ୍କୁ ସ୍ଲୋଭାକିଆ ଦାୟିତ୍ୱ ପ୍ରଦାନ କରାଯାଇଛି।
ରୁଷିଆର ପ୍ରଚଣ୍ଡ ଆକ୍ରମଣ ପରେ ବିଭିନ୍ନ ଦେଶର ଛାତ୍ରୀଛାତ୍ର ୟୁକ୍ରେନ୍‌ରେ ଫସି ରହିଛନ୍ତି। ଉଦ୍ଧାର ପାଇଁ ସେମାନେ ଆକୁଳ ନିବେଦନ କରୁଥିଲେ ମଧ୍ୟ ସେଠାକାର ସରକାର ସେମାନଙ୍କୁ ଫେରାଇ ଆଣିବାରେ ବିଫଳ ହେଉଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶା ସରକାରଙ୍କ ଏଭଳି ପ୍ରୟାସ ୟୁକ୍ରେନ୍‌ରେ ଫସିଥିବା ଛାତ୍ରୀଛାତ୍ରଙ୍କ ପରିବାରକୁ ଆଶ୍ୱାସନା ଦେଇଛି। କେନ୍ଦ୍ର ସରକାରଙ୍କ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ବିମାନ ଯୋଗେ ଛାତ୍ରୀଛାତ୍ରଙ୍କୁ ସ୍ବଦେଶ ଅଣାଯାଉଛି। ସ୍ବତନ୍ତ୍ର ପ୍ରତିନିଧିମାନେ ଦିଲ୍ଲୀସ୍ଥିତ ଆବାସିକ କମିଶନର ଓ ଛାତ୍ରୀଛାତ୍ରମାନେ ଥିବା ଦେଶ ସହିତ ଯୋଗାଯୋଗରେ ରହିବେ।

Share