ସ୍କୁଲର ଉନ୍ନତି ପାଇଁ ମିଳିବ ସ୍ବତନ୍ତ୍ର ଅନୁଦାନ

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ରାଜ୍ୟରେ ଥିବା ସରକାରୀ ସ୍କୁଲଗୁଡ଼ିକରେ ନାନା ସମସ୍ୟା ଓ ଅଭାବ ଅସୁବିଧା ଲାଗି ରହିଛି। ଏଥିରେ ସୁଧାର ଆଣିବା ଲାଗି ଗଣଶିକ୍ଷା ବିଭାଗ ଯୋଜନା କରିବା ସହ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଛି। ରାଜ୍ୟର ସମସ୍ତ ୫୮ହଜାର ୮୯ଟି ସରକାରୀ ସ୍କୁଲର ଉନ୍ନତିକୁ ଫୋକସ୍‌ରେ ରଖାଯାଇଛି। ଏସବୁ ସ୍କୁଲ୍‌କୁ ବିଭାଗ ପକ୍ଷରୁ ବାର୍ଷିକ ଅନୁଦାନ ମିଳୁଥିବାବେଳେ ଆସନ୍ତାବର୍ଷଠାରୁ ସରକାର ସ୍ବତନ୍ତ୍ର ଅନୁଦାନ ପ୍ରଦାନ କରିବେ। ବିଶେଷକରି ସ୍କୁଲଗୁଡ଼ିକରେ ବିଜ୍ଞାନ ଉପକରଣ, ପାଠ୍ୟପୁସ୍ତକ, ଖେଳ ସରଞ୍ଜାମ, ଶିକ୍ଷାଦାନ ଲାଗି ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ଅନୁଯାୟୀ ସୁବିଧା ସୁଯୋଗ ଏବଂ କିଛି ବାଳିକା ବିଦ୍ୟାଳୟରେ ପିଲାଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ଏହି ସ୍ବତନ୍ତ୍ର ଅନୁଦାନ ଖର୍ଚ୍ଚ କରାଯିବ। ଏହାଦ୍ୱାରା ପ୍ରାୟ ୬୦ଲକ୍ଷ ଛାତ୍ରୀଛାତ୍ର ଉପକୃତ ହେବା ସହିତ ପିଲାଙ୍କ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିପାରିବ। ତେବେ ପ୍ରଥମ ପର୍ଯ୍ୟାୟରେ ୧୫ହଜାର ପ୍ରାଥମିକ ସ୍କୁଲ ଏବଂ ୧୭ହଜାର ଉଚ୍ଚପ୍ରାଥମିକ ସ୍କୁଲଗୁଡ଼ିକୁ ତାଲିକାଭୁକ୍ତ କରାଯାଇଥିବାବେଳେ ୨୦୨୪ରୁ ରାଜ୍ୟର ସବୁ ସରକାରୀ ସ୍କୁଲ ଏହି ଯୋଜନାରେ ସାମିଲ ହେବାର ଯୋଜନା ରହିଛି।
ମିଳିଥିବା ସୂଚନାନୁସାରେ, ପ୍ରତି ସ୍କୁଲକୁ ୩ବର୍ଷରେ ଥରେ ସ୍ବତନ୍ତ୍ର ଅନୁଦାନ ବାବଦକୁ ୨୧ହଜାର ୫୦୦ ଟଙ୍କା ଦିଆଯିବ। ବିଜ୍ଞାନ ଉପକରଣ ଲାଗି ୫ହଜାର ଟଙ୍କା, ପାଠ୍ୟପୁସ୍ତକ ଲାଗି ୮ହଜାର ଟଙ୍କା, ଖେଳ ସରଞ୍ଜାମ ଲାଗି ଅଢ଼େଇ ହଜାର ଟଙ୍କା, ବାଳିକା ବିଦ୍ୟାଳୟଗୁଡ଼ିକରେ ପିଲାଙ୍କୁ ମୌଳିକ ସୁବିଧା ଲାଗି ୬ହଜାର ଟଙ୍କା ଦିଆଯିବ। ପ୍ରତି ୩ବର୍ଷକୁ ଥରେ ଏହି ଅନୁଦାନ ପ୍ରଦାନ କରାଯିବ। ସେହିପରି ସ୍କୁଲ ମନିଟରିଂ ଲାଗି ପ୍ରତ୍ୟେକ ସ୍କୁଲକୁ ବାର୍ଷିକ ଅତିରିକ୍ତ ୫ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯିବ। ଏଥିରେ ଶିକ୍ଷକଙ୍କ ଲାଗି ତାଲିମ୍‌, ବିଭିନ୍ନ ପ୍ରତିଯୋଗିତା, ପ୍ରଦର୍ଶନୀର ଆୟୋଜନ ଲାଗି ଖର୍ଚ୍ଚ କରାଯିବ।
ସରକାରୀ ସ୍କୁଲଗୁଡ଼ିକରେ ପିଲାଙ୍କୁ କେବଳ ପାଠ୍ୟପୁସ୍ତକରେ ସୀମିତ ରଖାଯାଉଛି। କିନ୍ତୁ ଆସନ୍ତା ଶିକ୍ଷା ବର୍ଷରୁ ସରକାରୀ ସ୍କୁଲଗୁଡ଼ିକରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଜାତୀୟସ୍ତରର ପ୍ରଶିକ୍ଷଣ ପ୍ରଦାନ କରାଯାଇ ସେମାନଙ୍କ ମଧ୍ୟରେ ସବୁ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଲାଗି ପ୍ରୟାସ କରାଯିବ। ଏଥିପାଇଁ ସେମାନଙ୍କ ଶିକ୍ଷାଦାନ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଅଣାଯିବ। ଏଥିସହ କ୍ରୀଡ଼ା, କଳା, ସଙ୍ଗୀତ, ବିଜ୍ଞାନ ଆଦି ଯେଉଁ କ୍ଷେତ୍ରରେ ପିଲାଙ୍କର ରୁଚି ରହିଛି, ସମ୍ପୃକ୍ତ ବିଷୟରେ ଅଧିକ ଦକ୍ଷତା ବଢ଼ାଇବା ଲାଗି ଅତିରିକ୍ତ ପ୍ର୍ରୟାସ କରାଯିବ। ଇଂଲିଶ ମାଧ୍ୟମ ସ୍କୁଲଗୁଡ଼ିକରେ ପିଲାଙ୍କୁ ଯେପରି ଭାବେ ପ୍ରସ୍ତୁତ କରାଯାଉଛି ସେହିଭଳି ସୁବିଧା ଯୋଗାଇ ଦିଆଯିବ। ସେଥିପାଇଁ ଅତିରିକ୍ତ ବ୍ୟୟ ବରାଦ ଯୋଜନା କରାଯିବ। ସମଗ୍ରଶିକ୍ଷାରେ ରାଜ୍ୟକୁ ଯେତିକି ଅନୁଦାନ ମିଳୁଛି, ଆସନ୍ତାବର୍ଷଠାରୁ ଅନୁଦାନ ରାଶି ବଢ଼ାଇବା ଲାଗି ସ୍ବତନ୍ତ୍ର ପ୍ରସ୍ତାବ ଦିଆଯିବ। ଏନେଇ ଜିଲାସ୍ତରରେ ପିଲାଙ୍କ ଦକ୍ଷତା ଏବଂ ସ୍କୁଲର ଭିତ୍ତିଭୂମିର ସ୍ଥିତି ସମୀକ୍ଷା କରିବା ପରେ ରିପୋର୍ଟ ପ୍ରସ୍ତୁତ କରାଯିବ। ଆସନ୍ତା ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଥିବା ସୂଚନା ଦିଆଯାଇଛି।