Categories: ବାଣିଜ୍ୟ

ଟିଏସ୍‌ଏମ୍‌ଏଲ୍‌ର ସ୍ବତନ୍ତ୍ର ସମ୍ମାନ ସମାରୋହ

ଭୁବନେଶ୍ୱର,୧୭।୬: ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ଗୁରୁବାର ‘ଖଣି କ୍ଷେତ୍ର ମହିଳାଙ୍କ ପାଇଁ ଆନ୍ତର୍ଜାତିକ ଦିବସ’ ପାଳିତ ହୋଇଯାଇଛି। ବିଶେଷକରି ଖଣି ଶିଳ୍ପରେ କାର୍ଯ୍ୟରତ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ସମ୍ମାନ ଜଣାଇ କମ୍ପାନୀ ବିଶ୍ୱ ସମୁଦାୟ ସହ ୨୦୨୩ ଜୁନ୍‌ ୧୫ରେ ଉପରୋକ୍ତ ଦିବସ ପାଳନ କରିଛି। ଏପରିକି ଖଣି କ୍ଷେତ୍ରରେ ସଫଳ ମହିଳାମାନଙ୍କୁ ସମ୍ମାନିତ କରିବା ଲାଗି କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ ଟିଏସ୍‌ଏମ୍‌ଏଲ୍‌ର ସମସ୍ତ ୟୁନିଟ୍‌ରେ ଆୟୋଜନ କରାଯାଇଥିଲା। ପ୍ରତି ବର୍ଷ ଜୁନ୍‌ ୧୫ରେ ପାଳନ କରାଯାଉଥିବା ବେଳେ ଖଣି ଶିଳ୍ପର ଭବିଷ୍ୟତ ଗଠନ କରିବାରେ ମହିଳାମାନଙ୍କ ପ୍ରମୁଖ ଭୂମିକାକୁ ସମ୍ମାନ ଜଣାଇବା ଲାଗି ଖଣି କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ଆନ୍ତର୍ଜାତିକ ଦିବସ ପାଳନ କରାଯାଉଛି। ଏପରିକି ଅନ୍ବେଷଣ ଓ ଉତ୍ତୋଳନରୁ ଆରମ୍ଭକରି ପ୍ରକ୍ରିୟାକରଣ ଓ ପରିଚାଳନା ପର୍ଯ୍ୟନ୍ତ କମ୍ପାନୀ ପରିଚାଳନା ପ୍ରତି ମହିଳାମାନଙ୍କ ମୂଲ୍ୟବାନ୍‌ ଯୋଗଦାନକୁ ଟିଏସ୍‌ଏମ୍‌ଏଲ୍‌ ସବୁବେଳେ ମାନ୍ୟତା ପ୍ରଦାନ କରିଆସୁଛି। କମ୍ପାନୀର ସଫଳତାରେ ସେମାନଙ୍କ ପ୍ରତିଭା ଓ ସମର୍ପଣ ଭାବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସେହିପରି ଖଣି ଶିଳ୍ପରେ ମହିଳାମାନଙ୍କୁ ସଶକ୍ତ କରିବା ଲାଗି ଆମ ପ୍ରତିବଦ୍ଧତାର ଅଂଶ ସ୍ବରୂପ,ସେମାନଙ୍କ ପେସାଦାର ଅଭିବୃଦ୍ଧି ଓ ଉନ୍ନତିକୁ ସହାୟତା ପ୍ରଦାନ କରିବା ପାଇଁ ଟିଏସ୍‌ଏମ୍‌ଏଲ୍‌ ପକ୍ଷରୁ ବିଭିନ୍ନ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ଖଣି କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ଆନ୍ତର୍ଜାତିକ ଦିବସ ପାଳନ କରିବା ଏବଂ ଖଣି ଶିଳ୍ପ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଥିବା ବିଶିଷ୍ଟ ମହିଳାମାନଙ୍କୁ ସମ୍ମାନ ପ୍ରଦାନ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଟାଟା ଷ୍ଟିଲ ମାଇନିଂରେ ଆମେ ବିବିଧତା ବିକାଶ ସହ ସମସ୍ତ କର୍ମଚାରୀଙ୍କ ସଫଳତା ପାଇଁ ସମାନ ସୁଯୋଗ ଓ ଅନୁକୂଳ ପରିବେଶ ସୃଷ୍ଟି ଉପରେ ଦୃଢ଼ ବିଶ୍ୱାସ କରୁ ବୋଲି ସତିଜା ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

Share