ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମହିମା ସାଧୁସନ୍ଥ: ଯୋରନ୍ଦା ରୂପାନ୍ତର ପାଇଁ ଧନ୍ୟବାଦ ଜଣାଇଲେ

ଭୁବନେଶ୍ୱର,୧୯ା୭ (ଅନିଲଦାସ)- ଯୋରନ୍ଦା ପୀଠର ମହିମା ସାଧୁସନ୍ଥ ଓ ଧର୍ମାବଲମ୍ବୀମାନେ ସୋମବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଯୋରନ୍ଦା ପୀଠର ରୂପାନ୍ତର ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସେମାନେ ସ୍ବାଗତ ଜଣାଇଛନ୍ତି। ଏଥି ପାଇଁ ଅର୍ଥ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଯୋରନ୍ଦା ପୀଠ ପରିଦର୍ଶନ କରି ଏହାର ସମ୍ପୂର୍ଣ୍ଣ ରୂପାନ୍ତର ପାଇଁ ପ୍ରସ୍ତାବ ଦେବା ନିମନ୍ତେ ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଜିଲାପାଳଙ୍କ ପ୍ରସ୍ତାବ ଭିତ୍ତିରେ ମୁଖ୍ୟମନ୍ତ୍ରୀ ଜୁନ୍‌ ୧୫ ତାରିଖରେ ଏଥିପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର କରିଥିଲେ ।
ଯୋରନ୍ଦା ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ସୃଷ୍ଟି କରାଯିବ । ଏଥିରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରି, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନଧାରୀ ମହିମା ସମାଜ ପୀଠ ପୁନଃ ନିର୍ମାଣ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ନିର୍ମାଣ କରାଯିବ।
ପୀଠ ଭିତରେ ଆଭ୍ୟନ୍ତରୀଣ ସଡ଼କ ସହିତ ସବୁଜାଗାରେ ଆଲୋକୀକରଣ କରାଯିବ। ଜଗନ୍ନାଥ ମନ୍ଦିରଠାରୁ ସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ।
ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ବତଟ ବଡ଼ ପୋଖରୀର ପୁନରୁଦ୍ଧାର ସହିତ ୨୦୦ ତାଳ ଗଛ ଓ ୨୦୦ ବରଗଛ ଲଗାଯିବ। ଆଲୋକୀକରଣ ସହିତ ସମୂହ ପ୍ରାର୍ଥନା ସ୍ଥଳ ତିଆରି କରାଯିବ। ସାଧୁ ଓ ଭକ୍ତମାନଙ୍କ ପାଇଁ ୨୦୦ ପାଇଖାନା ନିର୍ମାଣ କରାଯିବ।
ପୂରା ପ୍ରକଳ୍ପରେ ସାଧୁ ସନ୍ଥ, ଭକ୍ତ ଓ ଅତିଥିମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିବ। ସୌନ୍ଦର୍ଯ୍ୟକରଣ ସହିତ ଏହା ଜିଲାର ଏକ ପ୍ରମୁଖ ତୀର୍ଥସ୍ଥଳୀ ଓ ପର୍ଯ୍ୟଟନ କେନ୍ଦ୍ର କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ।

Share