ରେଳ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ମୋବାଇଲ୍‌ ଆପ୍‌

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ):ପୂର୍ବତଟ ରେଳପଥର କର୍ମଚାରୀମାନେ ବର୍ତ୍ତମାନ ମୋବାଇଲ୍‌ ଆପ୍‌ ମାଧ୍ୟମରେ ସେମାନଙ୍କ ସେବା ସହ ଜଡିତ ତଥ୍ୟ ଏବଂ ନଥିପତ୍ର ଦେଖିପାରିବେ। ଆବଶ୍ୟକ ହେଲେ କୌଣସି ପରିବର୍ତ୍ତନ ପାଇଁ ଏହି ଆପ୍‌ ମାଧ୍ୟମରେ ରେଳ ପ୍ରଶାସନ ସହିତ ଯୋଗାଯୋଗ କରିପାରିବେ। କର୍ମଚାରୀଙ୍କ ନିଯୁକ୍ତି ଓ କାର୍ଯ୍ୟରେ ଯୋଗଦାନଠାରୁ ସେମାନଙ୍କର ପ୍ରତିଟି ସେବାର ତଥ୍ୟ, ବେତନ ବୃଦ୍ଧି, ପଦୋନ୍ନତି, ପୁରସ୍କାର, ସ୍ଥାନାନ୍ତର, ନୂତନ ପଦବୀରେ ଯୋଗଦେବା, ଛୁଟି, ତାଲିମ ଏବଂ ଅବସରକାଳୀନ ସୁବିଧା ପାଇଁ ପରିବାର ସଭ୍ୟ ଚୟନ ସଂକ୍ରାନ୍ତ ସମସ୍ତ ତଥ୍ୟ ଏଥିରେ ଉପଲବ୍ଧ ରହିଛି। ଏହି ଆପ୍‌ ରେଳ କର୍ମଚାରୀ ଓ ପ୍ରଶାସନ ମଧ୍ୟରେ ଯୋଗାଯୋଗ ପାଇଁ ସିଙ୍ଗିଲ୍‌ ୱିଣ୍ଡୋ ବ୍ୟବସ୍ଥା ଭାବେ କାର୍ଯ୍ୟକରିବ। ରେଳ କର୍ମଚାରୀଙ୍କର ପ୍ରାୟ ୯୫% ସେବା ତଥ୍ୟ ଏବେ ସୁଦ୍ଧା ଏହି ମଡ୍ୟୁଲ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଆପ୍‌ ଗୁଗଲ୍‌ ପ୍ଲେ ଷ୍ଟୋର୍‌ରେ ଉପଲବ୍ଧ ଅଛି। ରେଳ କର୍ମଚାରୀଙ୍କ ପାଇଁ ଉପଲବ୍ଧ ଏଚ୍‌ଆର୍‌ଏମ୍‌ଏସ୍‌ ମୋବାଇଲ୍‌ ଆପ୍‌ ଦ୍ୱାରା ମଧ୍ୟ ଏହି ନୂଆ ଆପ୍‌ର ବ୍ୟବହାର କରିହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Share