Categories: ଖେଳ

ସ୍ପେଶାଲ ଅଲିମ୍ପିକ୍ସ କୃତୀ ଆଥ୍‌ଲେଟ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୬।୪ (କ୍ରୀଡ଼ା ପ୍ରତିନିଧି): ନିକଟରେ ଆମିଟି ୟୁନିଭର୍ସିଟି ଆନୁକୂଲ୍ୟରେ ଆୟୋଜିତ ସାଇକ୍ଲିଂ ଜାତୀୟ ଚାମ୍ପିୟନଶିପ୍‌ ଏବଂ ରୋଲର ସ୍କେଟିଂରେ ପଦକ ହାସଲ କରିଥିବା ସ୍ପେଶାଲ ଅଲିମ୍ପିକ୍ସ ଭାରତର ଓଡ଼ିଶା ଆଥ୍‌ଲେଟଙ୍କୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ବର୍ଦ୍ଧିତ କରିଛନ୍ତି। ପ୍ରତିଯୋଗିତାର ସାଇକ୍ଲିଂ ୨ କିମି ରୋଡ୍‌ ରେସ୍‌ରେ ଦେବାଶିଷ ସ୍ବର୍ଣ୍ଣ ଏବଂ ୫କିମି ରୋଡ୍‌ ରେସ୍‌ରେ ବ୍ରୋଞ୍ଜ ପଦକ ଜିତିଥିଲେ। ପ୍ରଥମଥର ପାଇଁ ଭାଗ ନେଇଥିବା ସିଦ୍ଧାର୍ଥ ୧୦ କିମି ଓ ୫ କିମି ରୋଡ୍‌ ରେସ୍‌ରେ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ପାଇଥିଲେ। ମାଷ୍ଟର ରୋଲର ସ୍କେଟର ଦଧିଚୀ ୫୦୦ ମିଟର ଓ ୧୦୦୦ ମିଟରରେ ରୌପ୍ୟ ପଦକ, ସିପ୍ରା ପ୍ରିୟଦର୍ଶିନୀ ୧୦୦ ଓ ୩୦୦ ମିଟର ରୋଲରସ୍କେଟିଂରେ ରୌପ୍ୟ ପଦକ ହାସଲ କରିଥିଲେ।

ସେହିପରି ରୋଲରସ୍କେଟିଂର ୩୦୦ ଓ ୫୦୦ ମିଟରରେ ୫ମ ସ୍ଥାନ ହାସଲ କରିଥିବା ପ୍ରିୟ ରଞ୍ଜନ ରିବନ୍ସ ପାଇଥିଲେ। ଓପନ ଲର୍ନିଂ ସିଷ୍ଟମ୍ସ (ଓଏଲ୍‌ଏସ୍‌) ଏବଂ ଓଡ଼ିଶା ଦଳର ପ୍ରାୟୋଜକ ବିଆର୍‌ଏମ୍‌-ଆଶା ଆନୁକୂଲ୍ୟରେ ଗତ ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ପୋଲିସ କମିଶନର ଅତିଥିଭାବେ ଯୋଗ ଦେଇ ଖେଳାଳି ଓ ସେମାନଙ୍କ କୋଚ୍‌ ବୀରେନ ଜେନା ଓ ଗୀତା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଓଡ଼ିଶା ପ୍ରାଇମେରି ଏଜୁକେଶନ ଅଥରିଟି (ଓପିଇପିଏ)ର ପୂର୍ବତନ ନିର୍ଦ୍ଦେଶକ ମହେନ୍ଦ୍ର ମଲିକ, ସ୍ମଲ ଇଣ୍ଡଷ୍ଟ୍ରିଜ୍‌ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ଆଇଡିବିଆଇ) ଡିଜିଏମ୍‌ ପ୍ରଦ୍ୟୁମ୍ନ ଚୌଧୁରୀ, ଓଏଲ୍‌ଏସ୍‌ ସମ୍ପାଦକ ପ୍ରତାପ ରଥ, ପୂର୍ବତନ ଏସ୍‌ସିପିଡି (ଷ୍ଟେଟ୍‌ କମିଶନର ଫର ପର୍ସନ୍ସ ଓ୍ବିଥ୍‌ ଡିଜାବିଲିଟିଜ୍‌) କସ୍ତୁରୀ ମହାପାତ୍ର, ସ୍ପେଶାଲ ଅଲିମ୍ପିକ୍ସ ଭାରତ-ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥ, ରାଜ୍ୟ ପ୍ରୋଗ୍ରାମ୍‌ ସଂଯୋଜକ ଅର୍ପିତା ମହାପାତ୍ର, ବିଆର୍‌ଏମ୍‌-ଆଶାର ଉପସଭାପତି ପ୍ରଦୀପ୍ତ ରଥ, ମିଶନ ଶକ୍ତିର ପରାମର୍ଶଦାତା ଗୀତାଞ୍ଜଳି ବସ୍ତିଆ ଓ ପୂର୍ବତନ ରାଜ୍ୟ ମହିଳା କମିଶନର ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Share