Categories: ଜାତୀୟ

କଶ୍ମୀରରେ ପୋଲିସ ଅଫିସର ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା

ଶ୍ରୀନଗର, ୨୮।୬: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ପୋଲିସ ଅଫିସର (ଏସ୍‌ପିଓ) ଏବଂ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ଆତଙ୍କବାଦୀମାନେ ନିର୍ମମ ଭାବେ ଗୁଳିକରି ହତ୍ୟା କରିଛନ୍ତି। ଜୈଶ-ଇ-ମହମ୍ମଦ(ଜେଇଏମ୍‌)ର ଏଭଳି ଆକ୍ରମଣକୁ ରାଜନୈତିକ ଦଳଗୁଡ଼ିକ ନିନ୍ଦା କରିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ରବିବାର ରାତିରେ ଦକ୍ଷିଣ କଶ୍ମୀରର ଅଓ୍ବନ୍ତିପୋରା ଅଞ୍ଚଳର ହରିପରିଗାମ୍‌ରେ ରହୁଥିବା ଏସ୍‌ପିଓ ଫୟାଜ ଅହମଦଙ୍କ ଘରେ ପଶି ତାଙ୍କୁ, ସ୍ତ୍ରୀ ରାଜା ବେଗମ୍‌ ଏବଂ ୨୨ ବର୍ଷୀୟ ଝିଅ ରାଫିଆଙ୍କୁ ଗୁଳି କରିଥିଲେ। ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ଫୟାଜଙ୍କୁ ମୃତ ଘୋଷଣା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଓ ଝିଅଙ୍କ ମୃତ୍ୟୁ ଘଟିଛି। ପୋଲିସ ଉକ୍ତ ଅଞ୍ଚଳକୁ ଚାରିପଟୁ ଘେରି ତଲାସି ଅଭିଯାନ ଚଳାଇଥିବା ବେଳେ କାହାକୁ ଗିରଫ କରାଯାଇନାହିଁ। ହତ୍ୟାକାଣ୍ଡରେ ଜଣେ ବିଦେଶୀଙ୍କ ସମେତ ୨ଜଣ ଜେଇଏମ୍‌ ଆତଙ୍କବାଦୀ ସମ୍ପୃକ୍ତ ଥିବା କଶ୍ମୀର ରେଞ୍ଜ୍‌ ପୋଲିସ ଆଇଜି ବିଜୟ କୁମାର କହିଛନ୍ତି। ଫୟାଜଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ତ୍ରୀ ଓ ଝିଅ ଗୁଳିର ଶିକାର ହୋଇଥିଲେ।

Share