Categories: ବାଣିଜ୍ୟ

ସ୍ବତନ୍ତ୍ର ଡାକ ଟିକେଟ ଉନ୍ମୋଚିତ

ଭୁବନେଶ୍ୱର,୨୯।୭: ଭାରତୀୟ ଡାକ ବିଭାଗ ଓ ଆଇଟିସିର ମିଳିତ ସହଭାଗିତାରେ ଏକ ସ୍ବତନ୍ତ୍ର ଡାକ ଟିକେଟ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧାରୀ, ଡାକ ବିଭାଗର ଚିଫ୍‌ ପୋଷ୍ଟ ମାଷ୍ଟର ଜେନେରାଲ ମଞ୍ଜୁ କୁମାର ଏବଂ ଆଇଟିସି ଏଗ୍ରିବିଜ୍‌ନେସ ଗ୍ରୁପ୍‌ ହେଡ୍‌ ଏସ୍‌.ଶିବକୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବତନ୍ତ୍ର ଡାକଟିକେଟ ଉନ୍ମୋଚନ କରିଥିଲେ। ଏ ସମ୍ପର୍କରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧାରୀ ଭାରତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସହିତ ଶ୍ରୀଅନ୍ନକୁ ପ୍ରୋତ୍ସାହିତ କରିବା ଦିଗରେ ଭାରତ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡିକ ସମ୍ପର୍କରେ ସେ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି ଆଇଟିସି ଲିମିଟେଡ୍‌ର ଗ୍ରୁପ୍‌ ହେଡ୍‌ (ଏଗ୍ରି ବିଜ୍‌ନେସ୍‌) ଏସ୍‌.ଶିବକୁମାର କହିଥିଲେ, ମିଲେଟସକୁ ମୁଖ୍ୟ ସ୍ରୋତକୁ ଆଣିବା ନିମନ୍ତେ ସରକାରଙ୍କ ଅଗ୍ରାଧିକାରତାକୁ ସମର୍ଥନକରି ଆଇଟିସି ପକ୍ଷରୁ ‘ଆଇଟିସି ମିଶନ ମିଲେଟସ’ନାମରେ ଏକ ଉତ୍ସର୍ଗୀକୃତ ପ୍ରୟାସ କାର୍ଯ୍ୟକାରୀ କରାଯାଉଛି, ଯାହା ମୁଖ୍ୟତଃ ୩ଟି ବିଷୟ ଉପରେ ଆଧାରିତ। ଏଥିରେ ନବସୃଜନ ସମର୍ଥିତ ‘ଗୁଡ୍‌-ଫର୍‌-ୟୁ’ ଖାଦ୍ୟ ବର୍ଗମାଳାର ବିକାଶ, ଏକ ଦୀର୍ଘସ୍ଥାୟୀ କୃଷି ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ତାହା ସହିତ ମୂଲ୍ୟଯୁକ୍ତ ତଥା ବଜାର ସଂଯୋଗକୁ ପରିବର୍ଦ୍ଧିତ କରିବା ଉପରେ ସ୍ବତନ୍ତ୍ର ଗୁରୁତ୍ୱ ଦେଇ ଏକ ଦମ୍‌ଦାର ମିଲେଟ୍ସ କୃଷିମୂଲ୍ୟ ଶୃଙ୍ଖଳା ସୃଷ୍ଟି କରାଯାଇଛି। ଏଥି୍‌ସହ ପୋଷକତ୍ବ ଦୃଷ୍ଟିରୁ ଏକ ଉନ୍ନତର ଖାଦ୍ୟ ବିକଳ୍ପ ଭାବେ ମିଲେଟ୍ସର ଫାଇଦା ସମ୍ପର୍କରେ ଉପଭୋକ୍ତାଙ୍କ ମଧରେ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି।

Share