ନୂଆଦିଲ୍ଲୀ,୧୩।୮: ଭାରତୀୟ ଦଣ୍ଡ ସଂହିତା, ୧୮୬୦ ବଦଳରେ ଅଣାଯିବାକୁ ଥିବା ଭାରତୀୟ ନ୍ୟାୟ ସଂହିତାରେ ଆତଙ୍କବାଦ ଏବଂ ସଂଗଠିତ ସିଣ୍ଡିକେଟ୍ ଦ୍ୱାରା କରାଯାଉଥିବା ଜଘନ୍ୟ ଅପରାଧକୁ ରୋକିବା ଲାଗି ଅନେକ ସ୍ବତନ୍ତ୍ର ବ୍ୟବସ୍ଥା ରଖାଯାଇଛି। ଏଭଳି ଅପରାଧରୁ ହେଉଥିବା ଆର୍ଥତ୍କ ଉପାର୍ଜନକୁ ରୋକିବା ଲାଗି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଚଳିତ ଆଇନ ଅନେକ ସମୟରେ ପଳାତକ ଏବଂ ଦେଶ ବାହାରେ ଥିବା ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହେଉନାହିଁ। ସେଭଳି ପଳାତକମାନଙ୍କୁ ଆଣି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ଓ ଦଣ୍ଡବିଧାନ କରାଇବା ନିମନ୍ତେ ନୂଆ ବିଲ୍ ପୋଲିସକୁ ଅଧିକ କ୍ଷମତା ପ୍ରଦାନ କରିବ। ସେମାନେ ଅପରାଧରେ ସମ୍ପୃକ୍ତ ହୋଇ ଯେଉଁ ଆର୍ଥିକ ଲାଭ ଉଠାଇଥିବେ, ସେଗୁଡ଼ିକୁ ମଧ୍ୟ ଜବତ କରାଯିବ। ସେହିପରି ଆତଙ୍କବାଦୀ କାର୍ଯ୍ୟ ଓ ସଂଗଠିତ ଅପରାଧ ପାଇଁ ପ୍ରେରିତ କରୁଥିବା ଦେଶ ବାହାର ବ୍ୟକ୍ତି ମଧ୍ୟ ଦଣ୍ଡିତ ହୋଇପାରିବେ।
ନୂଆ ଆଇନରେ ଆପରାଧିକ ଷଡ଼ଯନ୍ତ୍ରର ବିଦେଶୀ ଲିଙ୍କ ଖୋଜି ବାହାର କରିବା ସହ ସଂଗଠିତ ଅପରାଧ ଏବଂ ଆତଙ୍କବାଦ ତଥା ଭାରତରେ ଅପରାଧ ଘଟାଇବା ପାଇଁ ଉସୁକାଉଥିବା ବିଦେଶୀଙ୍କୁ ଦଣ୍ଡ ଦେବା ଲାଗି ପୋଲିସ ସକ୍ଷମ ହେବ। ଆପରାଧିକ ଷଡ଼ଯନ୍ତ୍ରର ସୀମାର ସଂଜ୍ଞା ନିରୂପଣ ଲାଗି ସାଧାରଣ ଲକ୍ଷ୍ୟ ତତ୍ତ୍ୱର ପ୍ରଚଳନ କରାଯାଇଛି।
ସାଧାରଣରେ ‘୪୨୦’ କହିଲେ ଠକେଇ ଓ ପ୍ରତିଶ୍ରୁତି ନ ରଖିବାକୁ ବହୁ ପିଢ଼ି ଧରି ଲୋକେ ବୁଝୁଥିଲେ। ଆଇପିସିର ଏହି ଧାରାକୁ ନେଇ ବଲିଉଡ୍ ଚଳଚ୍ଚିତ୍ର ଶ୍ରୀ ୪୨୦ ପ୍ରସ୍ତୁତ ହୋଇଥିଲା। ଏହି ଧାରାକୁ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୩୧୬ରେ ରଖାଯାଇଛି। ସେହିପରି ହତ୍ୟାକାଣ୍ଡ ପାଇଁ ଆଇପିସିରେ ରହିଥିବା ଧାରା ୩୦୨କୁ ପ୍ରସ୍ତାବିତ ନୂଆ ଆଇନରେ ଧାରା ୧୦୧ରେ ରଖାଯାଇଛି। ବେଆଇନ ଜନସମାଗମକୁ ରୋକିବା ଲାଗି ରହିଥିବା ଆଇପିସିର ଧାରା ୧୪୪ ଏବେ ପ୍ରସ୍ତାବିତ ନୂଆ ଆଇନରେ ଧାରା ୧୮୭ରେ ରହିଛି। ଦୀର୍ଘବର୍ଷ ଧରି ଆଇପିସିରେ ଅନେକ ନୂଆ ଧାରା ଓ ଉପଧାରା ସଂଯୋଗ ଯୋଗୁ ଦଣ୍ଡ ସଂହିତା ପୃଥୁଳାକାର ହୋଇଛି। ଆଇନକୁ ଅଧିକ ସମସାମୟିକ, ସଶକ୍ତ ଓ ତାଜା କରିବା ପାଇଁ ପୁନର୍ଲିଖନର ଉଦ୍ୟମ କରାଯାଇଛି। ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲା ପରେ ୩ ପ୍ରମୁଖ ଆପରାଧିକ ଆଇନରେ ସଂଶୋଧନ କରାଯାଇଥିଲା। ଏହା ସଂକ୍ଷିପ୍ତ ପରିବର୍ତ୍ତନ ଥିଲା। ଆଇପିସିରେ ୫୧୧ଟି ଧାରା ରହିଥିବାବେଳେ ଭାରତୀୟ ନ୍ୟାୟ ସଂହିତାରେ ୩୫୬ ଧାରା ରହିବ। ସେଥିରୁ ୧୭୫ଟି ସଂଶୋଧିତ ହୋଇଛି। ୮ଟି ନୂଆ ଧାରା ଯୋଡ଼ାଯାଇଥିବାବେଳେ ୨୨ଟିକୁ ରଦ୍ଦ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ୪୦ ବର୍ଷର ପୁରୁଣା ଅପରାଧ ପ୍ରକ୍ରିୟା ସଂହିତା (ସିଆର୍ପିସି) ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ପ୍ରମାଣ ଆଇନ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆସିବ। ଅନେକ ଉପନିବେଶୀୟ ଶବ୍ଦକୁ ହଟାଇଦିଆଯାଇ ଉକ୍ତ ପ୍ରସ୍ତାବିତ ଆଇନକୁ ଅଧିକ ପ୍ରାସଙ୍ଗିକ କରାଯାଇଛି।
ଅନ୍ୟପକ୍ଷରେ ଆଇପିସି ବଦଳରେ ଅଣାଯାଇଥିବା ଭାରତୀୟ ନ୍ୟାୟ ସଂହିତା ବିଲ୍ ରାଜନୀତିକୁ ଶେଷ କରିବା ପାଇଁ ପୋଲିସ କ୍ଷମତାର ଦୁରୁପଯୋଗ ଲାଗି ଅନୁମତି ଦେବ ବୋଲି ପୂର୍ବତନ ଆଇନ ମନ୍ତ୍ରୀ କପିଲ ସିବଲ ଶନିବାର ଅଭିଯୋଗ କରିଛନ୍ତି। ବିରୋଧୀଙ୍କ ମୁହଁ ବନ୍ଦ କରିବା ନୂଆ ଆଇନ ଆଣିବା ପଛରେ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।