୧୫ରୁ ମାପ ଓଜନ ବିଭାଗର ସ୍ବତନ୍ତ୍ର ଚଢ଼ାଉ

ଭୁବନେଶ୍ୱର,୯।୪(ବ୍ୟୁରୋ): ବିଧାନସଭା ଅଧିବେଶନରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେତେକ ସୁନା ଦୋକାନରେ ମାପ ଓଜନରେ ଠକେଇ ହେଉଥିବା ସୂଚନା ଦେଇଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଛନକା ପଶିଥିବାବେଳେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆସନ୍ତା ୧୫ ତାରିଖରୁ ରାଜ୍ୟର ସମସ୍ତ ସୁନା ଦୋକାନରେ ମାପ ଓଜନର ଯାଞ୍ଚ କଡାକଡି କରାଯିବ। ସେହିପରି ପେଟ୍ରୋଲ ପମ୍ପ, ଧର୍ମକଣ୍ଟା, ତେଜରାତି, ମାଛ, ମାଂସ, ପରିବା ଆଦି ଦୋକାନରେ ମଧ୍ୟ ମାପ ଓଜନର ଯାଞ୍ଚ କରାଯିବ ବୋଲି ବୈଧ ମାପ ବିଜ୍ଞାନ ନିର୍ଦ୍ଦେଶାଳୟ ତରଫରୁ ସୂଚନା ମିଳିଛି।
ଅନ୍ୟପକ୍ଷରେ ବିଭାଗୀୟ ନିୟନ୍ତ୍ରକ ସତ୍ୟନାରାୟଣ ଦାଶଙ୍କ ସୂଚନାନୁସାରେ, ଯାଞ୍ଚ, ଜରିମାନା ଓ ଅନ୍ୟ ମାଧ୍ୟମରୁ ରାଜସ୍ବ ଆସୁଛି। ୨୦୨୦-୨୧ରେ ନିର୍ଦ୍ଦେଶାଳୟ ମୋଟ ୧୪ କୋଟି ୧୪ ଲକ୍ଷ ଟଙ୍କାର ରାଜସ୍ବ ପାଇଛି। ୧,୬୨, ୩୯୭ ବ୍ୟବସାୟ ପ୍ରତିଷ୍ଠାନ ଯାଞ୍ଚ କରାଯାଇ ୧୩ କୋଟି ୪ ଲକ୍ଷ ୪ହଜାର ୫୭୩ ଟଙ୍କା ଆଦାୟ ହୋଇଥିଲା। ସେହିପରି ଚଢାଉବେଳେ ୪୨୮୩ଟି ଘଟଣାରେ ଅନିୟମିତତା ଧରାପଡିଥିବାବେଳେ ଜରିମାନା ବାବଦକୁ ୧ କୋଟି ୧୦ ଲକ୍ଷ ୮୩ ହଜାର ୮୦୦ ଟଙ୍କା ଆଦାୟ କରାଯାଇଥିଲା। ସେହିପରି ଜୁଏଲେରୀ ପ୍ରତିଷ୍ଠାନ ଉପରେ ସ୍ବତନ୍ତ୍ର ଚଢ଼ାଉ କରାଯାଇଥିଲା। ମାପ ଓଜନ ଆଇନର ବିଭିନ୍ନ ଧାରାରେ ପ୍ରତିବର୍ଷ ସମୟ ଅନୁଯାୟୀ ମାପ ଓଜନ ଯନ୍ତ୍ରପାତିଗୁଡିକର ନବୀକରଣ କରିବା ପାଇଁ ନିୟମ ରହିଛି। କିନ୍ତୁ କେତେଜଣ ବ୍ୟବସାୟୀ ଲାଭଖୋର ମନୋଭାବ ଯୋଗୁ ଏହା ନ କରି ଗ୍ରାହକଙ୍କୁ ଠକିଥାନ୍ତି। ଏନେଇ ଗତବର୍ଷ ଜୟପୁରରେ ଗୋଟିଏ, ସମ୍ବଲପୁରରେ ଗୋଟିଏ ଓ ଭୁବନେଶ୍ୱର ମୁଖ୍ୟାଳୟରେ ୩ଟି ସ୍କ୍ବାଡ୍‌ ଗଠନ କରାଯାଇ ଚଢାଉ କରାଯାଇଥିଲା। ସେହିପରି ୧୯-୨୦ରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଯାଞ୍ଚ କରାଯାଇ ୧୩ କୋଟି ୪୪ ଲକ୍ଷ ୪୯ ହଜାର ୪୧୧ ଟଙ୍କା ଓ ଜରିମାନା ବାବଦରୁ ୨କୋଟି ୨୦ ଲକ୍ଷ ରାଜସ୍ବ ଆଦାୟ କରାଯାଇଥିଲା। ତେବେ ବିଭାଗରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଚଢ଼ାଉ ଓ ରାଜସ୍ବ ଆଦାୟରେ ସମସ୍ୟା ଉପୁଜୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୧ଟି ସହକାରୀ ନିୟନ୍ତ୍ରକ ପଦବୀ ରହିଥିବାବେଳେ ୧୪ ଖାଲିପଡିଛି। ସେହିପରି ସମୁଦାୟ ୮୭ ନିରୀକ୍ଷକ ପଦବୀ ମଧ୍ୟରୁ ୫୧ଜଣ କାର୍ଯ୍ୟ କରୁଥିବାବେଳେ ୩୬ଟି ପଦବୀ ଖାଲିପଡିଛି। ଫଳରେ ଯେଉଁ ମାତ୍ରାରେ ରାଜସ୍ବ ଆଦାୟ ହେବା କଥା, ତାହା ହୋଇପାରୁନାହିଁ ବୋଲି ଦାଶ କହିଛନ୍ତି।

Share