ଭାରତୀୟ ସଂସ୍କୃତିରେ ଅତିଥିଙ୍କୁ ଈଶ୍ୱର ମଣି ତାଙ୍କୁ ଆଦର ସତ୍କାର ପୂର୍ବକ ଆତିଥ୍ୟ କରିବାର ପରମ୍ପରା ବହୁ ପୁରାତନ। ଯାହାର ଏକ ବଡ଼ ଉଦାହରଣ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ବନ୍ଧୁ ସୁଦାମାଙ୍କୁ କରିଥିବା ଅତିଥି ସତ୍କାର। ଏକଦା ବାଲ୍ୟବନ୍ଧୁ ତଥା ଦ୍ୱାରିକାଧିପତି ଶ୍ରୀକୃଷ୍ଣଙ୍କୁ ଭେଟିବା ପାଇଁ ଦରିଦ୍ର ସୁଦାମା ଯାଇଥା’ନ୍ତି। ଦ୍ୱାରପାଳ କିନ୍ତୁ ତାଙ୍କୁ ଶ୍ରୀକୃଷ୍ଣଙ୍କ ବନ୍ଧୁ ବୋଲି ବିଶ୍ୱାସ ନ କରିପାରି ମହଲ ଭିତରକୁ ଯିବାକୁ ଦେଲେ ନାହିଁ। ହେଲେ ଏ ଖବର ଯେବେ ଶ୍ରୀକୃଷ୍ଣଙ୍କୁ ମିଳିଲା ସେ ଆତୁରତାର ସହ ଖାଲିପାଦରେ ଦୌଡି ଯାଇଥିଲେ ସୁଦାମାଙ୍କ ପାଖକୁ। ଆଉ ତାଙ୍କୁ ପାଛୋଟି ଆଣି ତାଙ୍କ ପାଦ ଧୋଇ ଅତିଥି ସତ୍କାର କରିଥିଲେ। ତାଙ୍କ ରହିବା, ଖାଇବା, ପିନ୍ଧିବାର ସୁବ୍ୟବସ୍ଥା କରିଥିଲେ। ସୁଦାମା ସ୍ନେହରେ ଆଣିଥିବା ଖୁଦ ଭଜାକୁ ଖୁସିରେ ଛଡ଼ାଇ ଖାଇଥିଲେ। ଆଉ ସୁଦାମା ଯେବେ ଘରେ ପହଞ୍ଚତ୍ଥିଲେ ନିଜର ଭଙ୍ଗାଦଦରା ଘର ସ୍ଥାନରେ ମହଲଟିଏ ଦେଖି ଚକିତ ହୋଇଯାଇଥିଲେ। ଯାହାକି ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ବନ୍ଧୁଙ୍କ ପାଇଁ ଥିଲା ଏକ ଗୁପ୍ତ ଉପହାର। ସେହି ସ୍ନେହ, ସମ୍ମାନଭରା ଆତିଥ୍ୟର ପରମ୍ପରା ଆଜିବି ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରେ। ଆଉ ଅତିଥିଙ୍କୁ ଭଗବାନ ତୁଲ୍ୟ ମଣାଯାଏ। ଅର୍ଥାତ୍ ‘ଅତିଥି ଦେବୋ ଭବ’ର ମାନ୍ୟତା ଭାରତରେ କାହିଁ କେବେଠୁ ରହି ଆସିଛି।
ଅତିଥିର ସଂଜ୍ଞା: ପୁରାତନ ସମୟରେ ଦ୍ରୁତ ଯୋଗାଯୋଗର ମାଧ୍ୟମ କିଛି ନ ଥିଲା। ଭାବର ଆଦାନ ପ୍ରଦାନ ପାଇଁ ଲୋକେ ସାଧାରଣତଃ ଦୂରରେ ରହୁଥିବା ପ୍ରିୟଜନଙ୍କ ଘରକୁ ଯାଉଥିଲେ। ସେପୁଣି ଆଗୁଆ ସୂଚନା ଦେଇ ନ ପାରି। ସେଥିପାଇଁ ଅତିଥି କେତେବେଳେ କେଉଁ ମୁହୂର୍ତ୍ତରେ ଆସିବେ ସେତେବେଳେ ଜଣା ନ ଥିଲା। ତେଣୁ କୁହାଯାଏ ‘ନ ବିଦ୍ୟତେ ତିଥିର୍ଯ୍ୟସ୍ୟ ସ ଅତିଥିଃ’। ଅର୍ଥାତ ‘ଯାହାଙ୍କ ଆଗମନର କୌଣସି ତିଥି ନ ଥାଏ ସେ ହେଉଛନ୍ତି ଅତିଥି’। ଖାଲି ସାଧାରଣ ଲୋକ ନୁହନ୍ତି ପୂର୍ବେ ରାଜାମହାରାଜା ବି ଅତିଥିଙ୍କୁ ଈଶ୍ୱର ତୁଲ୍ୟ ମଣି ତାଙ୍କୁ ପୂଜା କରୁଥିଲେ। ସେମାନଙ୍କ ରହିବାର ବ୍ୟବସ୍ଥା କରାଯାଉଥିଲା, ଯତ୍ନ ନେବା ପାଇଁ ଦାସଦାସୀ ଯୋଗାଇ ଦିଆଯାଉଥିଲା। ଅତିଥିଙ୍କୁ ପିନ୍ଧିବା ପାଇଁ ଭଲ ବସ୍ତ୍ର, ଗହଣା ଓ ଖାଇବା ଲାଗି ସୁସ୍ବାଦୁ ବ୍ୟଞ୍ଜନ ଦିଆଯାଉଥିଲା। ଆଉ ଅତିଥି ପ୍ରସ୍ଥାନ କଲାବେଳେ ତାଙ୍କୁ ଉପହାରସ୍ବରୂପ ସ୍ବର୍ଣ୍ଣ ମୁଦ୍ରା ଓ ଅନେକ ବହୁମୂଲ୍ୟ ପଦାର୍ଥ ପ୍ରଦାନ କରାଯାଉଥିଲା।
ସର୍ବାଗ୍ରେ ଅତିଥି ସତ୍କାର: ଆଧ୍ୟାତ୍ମିକ ପ୍ରବଚକ ଶ୍ରୀସନ୍ନ୍ୟାସୀ ଜୀ କୁହନ୍ତି, ‘ଭାଗବତରେ କୁହାଯାଇଛି ‘ଗୃହେ ଯେ ଅତିଥି ଆଗତ, ତାହାଙ୍କୁ ମଣି ବିଷ୍ଣୁ ମତ l’ଅର୍ଥାତ୍ ଘରକୁ ଆସିଥିବା ଅତିଥିଙ୍କୁ ଭଗବାନ ବିଷ୍ଣୁ ବା ନାରାୟଣ ସଦୃଶ ମନେକରି ତାଙ୍କୁ ଆଦର ଓ ସମ୍ମାନର ସହ ସ୍ବାଗତ କରାଯିବା ଉଚିତ। ଭାଗବତରେ ଏହା ମଧ୍ୟ ବର୍ଣ୍ଣନା କରାଯାଇଛି ‘ଯେ ଘରୁ ଅତିଥି ବାହୁଡ଼େ, ସେ ପ୍ରାଣୀ ପ୍ରେତ ମୁଖେ ପଡ଼େ।’ ଅର୍ଥାତ୍ ଅତିଥିଙ୍କୁ ସତ୍କାର ନ କଲେ ଗୃହକର୍ତ୍ତାଙ୍କୁ ପ୍ରେତ ମାଡ଼ିବସେ। ତେଣୁ
ସନାତନ ଧର୍ମରେ ଅତିଥିଙ୍କ ସ୍ବାଗତ ସତ୍କାରକୁ ସବୁବେଳେ ଗୁରୁତ୍ୱ ଦିଆଯାଇଛି।
କେଉଁ ଅତିଥିଙ୍କୁ କେମିତି ସ୍ବାଗତ: ଅତିଥି ଭଗବାନ ସ୍ବରୂପ। ତେବେ ଅତିଥି ଭିନ୍ନଭିନ୍ନ ପ୍ରକାରର ଥାଆନ୍ତି। ସେଥିପାଇଁ ସେମାନଙ୍କୁ ସ୍ବାଗତ କରିବାର ପ୍ରଣାଳୀ ବି ଭିନ୍ନ ଭିନ୍ନ ହୋଇଥାଏ। ଏଇ ଯେମିତି-
ପଦଧୌତ ପୂର୍ବକ- ଭାରତର ଅନେକ ସ୍ଥାନରେ ଖାସ୍କରି ଗ୍ରାମ ଓ ଛୋଟ ସହରରେ ଘରକୁ ଆସୁଥିବା ମାନ୍ୟତାସମ୍ପନ୍ନ କୁଣିଆ ବା ବନ୍ଧୁଙ୍କ ପାଦକୁ ଏକ ପିଢା ଉପରେ ରଖି ପାଦକୁ ଧୌତ କରି ସାଷ୍ଟାଙ୍ଗ ପ୍ରଣାମ କରି ସ୍ବାଗତ କରାଯାଏ l
ତିଳକ: ଚନ୍ଦନ, ସିନ୍ଦୂର ତା’ସହ ଚାଉଳର କିଛି ଦାନାକୁ କପାଳରେ ଲଗାଇ ଫୁଲମାଳ ପିନ୍ଧାଇ ଖାସ୍ ଅତିଥିଙ୍କୁ ସ୍ବାଗତ କରାଯାଇଥାଏ।
ପୁଷ୍ପ, ଦୀପ ଆଦି ଦ୍ୱାରା- ଗ୍ରାମକୁ କୌଣସି ରାଜନୈତିକ ନେତୃବୃନ୍ଦ ଅତିଥି ହୋଇ ଆସିଲେ କପାଳରେ ତିଳକ, ବେକରେ ପୁଷ୍ପ ମାଲ୍ୟ, ନବ ବସ୍ତ୍ର ଆଦି ପ୍ରଦାନ କରି ସ୍ବାଗତ କରାଯାଏ l
ବେଦପାଠ ପୂର୍ବକ- ଏ ପ୍ରକାର ସ୍ବାଗତ ସାଧୁସନ୍ଥମାନଙ୍କ ପ୍ରତି ଲାଗୁ ହୋଇଥାଏ। ପ୍ରବଚନ ପାଇଁ କୌଣସି ବିଶିଷ୍ଟ ସନ୍ଥ ଆସିଲେ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ତାଙ୍କର ପାଦ ଧୌତ କରି ପୁଷ୍ପ, ଦୀପରେ ବନ୍ଦାପନା କରନ୍ତି। ତା’ସହ ଅତିରିକ୍ତ ବେଦ ପାଠ ଏବଂ ଶଙ୍ଖ ଧ୍ୱନି ବି କରାଯାଏ l ଆଉ ତାଙ୍କ ପାଦ ସ୍ପର୍ଶ କରି ସାଷ୍ଟାଙ୍ଗ ପ୍ରଣାମ କରାଯାଏ।
ବାଦ୍ୟନାଦ ପୂର୍ବକ- ବିଦ୍ୟାଳୟକୁ କୌଣସି ଅତିଥି ଆସିଲେ ସ୍କାଉଟ୍ସମାନଙ୍କ ଦ୍ୱାରା ବାଦ୍ୟନାଦ ପୂର୍ବକ ସ୍ବାଗତ କରାଯାଏ l
ସାଲ୍ୟୁଟ ପ୍ରଦର୍ଶନ ଦ୍ୱାରା- ସାଧାରଣତଃ ଜାତୀୟ ପର୍ବଗୁଡ଼ିକରେ ବହିରାଗତ ଅତିଥିମାନଙ୍କୁ ପରେଡ ମାଧ୍ୟମରେ ସ୍ବାଗତ କରାଯାଇଥାଏ l
ଆଲିଙ୍ଗନ ପୂର୍ବକ- ଗୋଟିଏ ଦେଶର ନେତା ଅନ୍ୟ ଦେଶକୁ ଗଲେ ବିମାନ ବନ୍ଦରରେ ଏ ପ୍ରକାର ସ୍ବାଗତ ଦେଖିବାକୁ ମିଳିଥାଏ l କରମର୍ଦ୍ଦନ ପୂର୍ବକ ଜଣେ ଆଉ ଜଣକୁ ଆଲିଙ୍ଗନ କରି ସ୍ବାଗତ କରିଥାଆନ୍ତି l
କରତାଳି ଦ୍ୱାରା-ଜନ ସମାଗମ ମଧ୍ୟରେ ମଞ୍ଚ ଉପରକୁ ଅତିଥି ଆସିଲେ ତାଙ୍କୁ କରତାଳି ଦ୍ୱାରା ସ୍ବାଗତ କରାଯାଏ l
ଯୋଡ଼ ହସ୍ତ ନମସ୍କାର: ଅତିଥିଙ୍କୁ ସ୍ବାଗତ କରିବାର ଏହା ହେଉଛି ପ୍ରମୁଖ ମାଧ୍ୟମ। ଏଥିରେ ଦୁଇହାତର ପାପୁଲିକୁ ମିଶାଇ ଛାତି ପାଖରେ ରଖି ମୁଣ୍ଡ ସାମାନ୍ୟ ନୁଆଇଁ ଜଣା ହୁଅନ୍ତୁ ଅବା ଅଜଣା ବ୍ୟକ୍ତିଙ୍କୁ ସ୍ବାଗତ କରାଯାଏ।
ଭାରତର ବିଭିନ୍ନ ସ୍ଥାନର ଆତିଥ୍ୟ : ବିବିଧତା ମଧ୍ୟରେ ଏକତାର ନିଦର୍ଶନ ହେଉଛି ଭାରତ। ଏଠାରେ ନାନା ଧର୍ମ, ସମ୍ପ୍ରଦାୟ ଓ ଭାଷାଭାଷୀର ଲୋକେ ବସବାସ କରନ୍ତି। ତେଣୁ ଅତିଥି ସତ୍କାରର ପ୍ରକ୍ରିୟା ବି ଏଠାରେ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ। ଯେମିତିକି ରାଜସ୍ଥାନରେ ଦୁଇ ହାତକୁ ଯୋଡି ଛାତି ପାଖରେ ରଖି ଅଣ୍ଟାଠୁ ଆଗକୁ ସାମାନ୍ୟ ନଇଁ ‘ଖମ୍ମା ଘନି’ କହି ଅତିଥିଙ୍କୁ ସ୍ବାଗତ କରାଯାଏ। ଖମ୍ମା ଅର୍ଥ ‘ଅଭିବାଦନ’ ଓ ‘ଘନି’ ଅର୍ଥ ଉତ୍ସାହ। ମୁହଁରେ ହସ, ମୁଣ୍ଡରେ ରଙ୍ଗିନ ପଗଡି ପିନ୍ଧି ଉତ୍ସାହର ସହ ଅତିଥିଙ୍କୁ ଅଭିବାଦନର ଏହି ପରମ୍ପରା ବେଶ୍ ନିଆରା। ପଞ୍ଜାବର ଶିଖ୍ ଧର୍ମର ଲୋକେ ବେଶ୍ ବନ୍ଧୁ ବତ୍ସଳ। ଔଜ୍ଜ୍ୱଲ୍ୟମାନ କୁର୍ତ୍ତା ପାଇଜାମା ଓ ମୁଣ୍ଡରେ ପଗଡି ପିନ୍ଧି ଢୋଲର ତାଳେ ତାଳେ ଭାଙ୍ଗଡା ନୃତ୍ୟ କରି ସେମାନେ ଅତିଥିଙ୍କୁ ସ୍ବାଗତ କରନ୍ତି। ଆଉ ଅତିଥିଙ୍କୁ ବହୁତ ଜୋସ୍ର ସହ‘ସତ୍ ଶ୍ରୀ ଆକାଲ’ କହିଥାନ୍ତି। ଯାହାର ଅର୍ଥ ହେଉଛି ‘ଟ୍ରୁ ଇଜ୍ ଦ ନେମ୍ ଅଫ୍ ଗଡ଼’। ବେଶ୍ ମେଳାପି ଗୁଜୁରାଟୀମାନେ ଥାଳିରେ ଚନ୍ଦନ ଦୀପ ଧରି ଆଳତି କରି ‘ଆଓ ପଧାରୋ’ କହି ଅତିଥିଙ୍କୁ ସ୍ବାଗତ କରନ୍ତି। ସେହିଭଳି ମହାରାଷ୍ଟ୍ରରେ ‘ତୁମଚା ସ୍ବାଗତ ଆସୋ’ ଅର୍ଥାତ୍ ଆପଣଙ୍କୁ ବହୁତ ବହୁତ ସ୍ବାଗତ କହି ଅତିଥିଙ୍କୁ ଅଭିବାଦନ କରାଯାଏ। ଦକ୍ଷିଣ ଭାରତର ଲୋକେ ନିଜ ସଂସ୍କୃତି ଓ ପରମ୍ପରାକୁ ବହୁତ ମାନନ୍ତି। ସେଥିପାଇଁ ଅତିଥିଙ୍କୁ ଅଭିବାଦନ କରିବାର ପୁରାତନ ପରମ୍ପରାକୁ ଏବେ ବି ସେମାନେ ମାନି ଆସୁଛନ୍ତି। ତାମିଲ ଭାଷାଭାଷୀ ଲୋକେ ‘ଓ୍ବଣକମ୍’ ଅର୍ଥାତ୍ ଅନେକ ଅଭିବାଦନ କହି ପବିତ୍ର ଜଳ ସିଞ୍ଚନ କରି ଓ କପାଳରେ ତିଳକ ଲଗାଇ ଅତିଥିଙ୍କୁ ସ୍ବାଗତ କରନ୍ତି। ଆସାମରେ ଅତିଥିଙ୍କୁ ସ୍ବାଗତ କରିବାର ଏକ ଭିନ୍ନ ପରମ୍ପରା ରହିଛି। ସେମାନେ ସାଧାରଣତଃ ଅତିଥିଙ୍କୁ ଏକ ସ୍ବତନ୍ତ୍ର ଧରଣର କୋନ୍ ଆକାରର ବାଉଁଶରେ ତିଆରି ଝାମ୍ପି ପିନ୍ଧାଇ ‘ଆଦୋରୋନି’ କହି ସ୍ବାଗତ କରନ୍ତି। ‘ଆଦୋରୋନି’ର ଅର୍ଥ ‘ସ୍ବାଗତ’। ଆଉ କେରଳରେ ‘ସ୍ବାଗତମ’ ବା ‘ନମସ୍କାରମ୍’ କହି ଯୋଡ ହସ୍ତରେ ଅତିଥିଙ୍କୁ ଅଭିବାଦନ କରାଯାଏ।
ଅତିଥିଙ୍କୁ ସ୍ବାଗତ କେଉଁଠି କେମିତି: କେବଳ ଭାରତରେ ଯେ, ଅତିଥିଙ୍କୁ ଈଶ୍ୱର ସମ ମନେକରି ସାଦରେ ଅଭିବାଦନ ବା ସ୍ବାଗତ କରାଯାଏ, ତାହା ନୁହେଁ। ସାରା ପୃଥିବୀରେ ଅତିଥି ସତ୍କାରର ରହିଛି ମହତ୍ତ୍ୱ। ହେଲେ କିଛି ସ୍ଥାନରେ ଏହାକୁ ନେଇ ରହିଛି ବେଶ୍ ଅଜବ ପରମ୍ପରା। ଯେମିତି-
ମାସାଇଙ୍କ ଜମ୍ପିଂ ଡ୍ୟାନ୍ସ: କେନ୍ୟା, ମାସାଇ ମାରା ଆଦିବାସୀ ସମ୍ପ୍ରଦାୟ ଜୋସ୍ରେଭରା ତାଙ୍କର ସ୍ବାଗତ ସମ୍ବର୍ଦ୍ଧନା ପରମ୍ପରା ଲାଗି ସାରା ପୃଥିବୀରେ ପ୍ରସିଦ୍ଧ। ତାଙ୍କ ଅଞ୍ଚଳକୁ ବାହାରର କେହି ଖାସ୍ ଅତିଥି ଆସିଲେ ସମ୍ପ୍ରଦାୟର ୧୨ ଜଣରୁ ଊର୍ଦ୍ଧ୍ୱ ଯୋଦ୍ଧା ଲାଲ ରଙ୍ଗର ପାରମ୍ପରିକ ପୋଷାକ ‘ଶୁକା’ ପିନ୍ଧି ‘ଆଦାମୁ’ ନୃତ୍ୟ ବା ଜମ୍ପିଂ ଡ୍ୟାନ୍ସ କରନ୍ତି। ଡେଇଁ ଡେଇଁ ବେଶ୍ ଜୋସ୍ର ସହ ଉକ୍ତ ନୃତ୍ୟ କରିବାବେଳେ ସେମାନେ କୌଣସି ଯୁଦ୍ଧର କାହାଣୀ ବି କୁହନ୍ତି। ଶେଷକୁ ସେମାନେ ଗୋଲାକାରରେ ଏକାଠି ଠିଆ ହୁଅନ୍ତି ଓ କିଏ ଅଧିକ ଉଚ୍ଚ ଡେଇଁ ପାରିବ ତାକୁ ନେଇ ପ୍ରତିଯୋଗିତା କରନ୍ତି। ଅତିଥିମାନଙ୍କୁ ବି ତାଙ୍କ ସହ ଡେଇଁବା ପ୍ରତିଯୋଗିତାରେ ସାମିଲ ହେବା ପାଇଁ ସୁଯୋଗ ଦିଆଯାଏ। ଡେଇଁବା ସହ ସେମାନେ ଖୁବ୍ ଜୋର୍ରେ ପାଟି ବି କରନ୍ତି। ସେମାନେ ଏଭଳି ଡେଇଁଥାନ୍ତି ଯେମିତିକି ଡେଇଁବା ବେଳେ ତାଙ୍କ ହାତ ହଲିବ ନାହିଁ କି ଆଣ୍ଠୁ ଭାଙ୍ଗିବ ନାହିଁ। ଏହି ସମୟରେ ମହିଳାମାନେ ତାଙ୍କ ଚାରିପଟେ ଗୀତ ଗାଇ ଗାଇ ନୃତ୍ୟ କରିଥାନ୍ତି। ଏଭଳି ଆତିଥ୍ୟକୁ ଅତିଥିମାନେ ବେଶ୍ ମନଭରି ଉପଭୋଗ କରିଥାନ୍ତି।
ନାକକୁ ନାକ ଘଷି ସ୍ବାଗତ: ପିଢ଼ି ପରେ ପିଢ଼ି କାହିଁ କେବେଠାରୁ ନ୍ୟୁଜିଲାଣ୍ଡର ମାଓରୀ ସମ୍ପ୍ରଦାୟର ଲୋକେ ଅତିଥିଙ୍କୁ ସ୍ବାଗତ କରିବା ଲାଗି ‘ହୋଙ୍ଗି’ ପରମ୍ପରାକୁ ପାଳି ଆସୁଛନ୍ତି। ଏହା ଏକ ବେଶ୍ ନିଆରା ପରମ୍ପରା। ଯେଉଁଥିରେ ମାଓରୀ ସମ୍ପ୍ରଦାୟର ଲୋକେ ଅତିଥିଙ୍କ ନାକ ସହ ନିଜ ନାକ ଓ କପାଳକୁ କପାଳ ଲଗାଇ ଘଷି ସେମାନଙ୍କୁ ସ୍ବାଗତ କରନ୍ତି। ଖାସ୍କରି ସେମାନଙ୍କ ଉତ୍ସବ ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରିତ ଅତିଥିଙ୍କୁ ଏହିଭଳିଭାବେ ସ୍ବାଗତ କରାଯାଇଥାଏ। ଏଭଳି ସ୍ବାଗତକୁ ସମ୍ମାନଜନକ ବୋଲି ଧରାଯାଏ। ନାକ ସହ ନାକ ଲଗାଇ ଶ୍ୱାସ ବିନିମୟ କରିବାର ଏହି ପ୍ରଥା ବହୁ ପୁରାତନ। ଏହା ମାଓରୀ-ଅଣ ମାଓରୀ, ନ୍ୟୁଜିଲାଣ୍ଡକୁ ନୂଆ ଆସିଥିବା ବ୍ୟକ୍ତି ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସହ କରାଯାଇଥାଏ। ବ୍ରିଟିଶ ରାଜପରିବାରର ପ୍ରିନ୍ସ ଚାର୍ଲସ, ପ୍ରିନ୍ସେସ ଡାଏନା, ପ୍ରିନ୍ସ ଓ୍ବିଲିୟମ, କେଟ୍ ମିଡଲଟନ୍, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ଏଠାକୁ ଆସିଥିବାବେଳେ ବି ସେମାନଙ୍କୁ ଏହିଭଳିଭାବେ ସ୍ବାଗତ କରାଯାଇଥିଲା।
ଜିଭ ଦେଖାଇ ସ୍ବାଗତ: ତିବ୍ବତରେ ବୌଦ୍ଧ ଧର୍ମାବଲମ୍ବୀଙ୍କର ଅତିଥିଙ୍କୁ ସ୍ବାଗତ କରିବାର ଉପାୟ ବହୁତ ମଜାଦାର । ଏଠାରେ ଖତେଇ ହେବା ଭଳି ଜିଭ ବାହାରକୁ ବାହାର କରି ପାପୁଲିକୁ ଛାତିରେ ରଖି ଅତିଥିଙ୍କୁ ସ୍ବାଗତ କରାଯାଏ। ଏଭଳି ସ୍ବାଗତ ପଛର କାରଣ ହେଉଛି ବୌଦ୍ଧ ଧର୍ମାବଲମ୍ବୀମାନେ ପୁନର୍ଜନ୍ମ ଉପରେ ବିଶ୍ୱାସ କରନ୍ତି। ସେମାନଙ୍କର ବିଶ୍ୱାସ କଳା ଜିଭ ଥିବା ଦୁଷ୍ଟ ରାଜାଙ୍କର ପୁନର୍ଜନ୍ମ ହେବ। ତେଣୁ ସେମାନେ ଦେଖା ହେବା କ୍ଷଣି ନିଜ ନିଜ ଜିଭ ବାହାର କରି ଦେଖାନ୍ତି ଯେ, ସେମାନଙ୍କ ଜିଭ କଳା ନୁହେଁ ବରଂ ଗୋଲାପି। ଆଉ ସେମାନେ ସେହି ଦୁଷ୍ଟ ରାଜାଙ୍କ ପରି ନୁହନ୍ତି କି ତାଙ୍କର ପୁନର୍ଜନ୍ମ ବି ନୁହନ୍ତି। ପରେ ଧୀରେ ଧୀରେ ଏହା ଅତିଥିଙ୍କୁ ସ୍ବାଗତ କରିବାର ପ୍ରଥା ପାଲଟିଗଲା। ଏଭଳି ଜିଭ ଦେଖାଇ ସ୍ବାଗତ କରିବାକୁ ସମ୍ମାନସୂଚକ ବୋଲି ଧରାଯାଏ।
ପାଉଁରୁଟି ଓ ଲୁଣ ଦେଇ ସ୍ବାଗତ: ରୁଷିଆରେ ଅତିଥିଙ୍କୁ ଖୁବ ଆଦର, ସମ୍ମାନ ସହ ସ୍ବାଗତ କରିବାର ପରମ୍ପରା ବହୁ ପୁରାତନ କାଳରୁ ରହି ଆସିଛି। ଏଠାକାର ପରମ୍ପରା ଅନୁସାରେ ମହିଳାମାନେ ରୁଷିଆର ପାରମ୍ପରିକ ପୋଷାକ ପରିଧାନ କରି ହାତରେ ଏକ ଟାଓ୍ବଲ ଉପରେ ବଡ଼ ଗୋଲାକାର ପାଉରୁଟି ଓ ତା’ ଉପରେ ଏକ ପାତ୍ରରେ ଲୁଣ ରଖି ଅତିଥିଙ୍କୁ ପ୍ରଦାନ କରି ସ୍ବାଗତ କରାଯାଏ। ଅତିଥିଙ୍କୁ ସେହି ପାଉଁରୁଟିରୁ କିଛି ଛିଣ୍ଡାଇ ଲୁଣରେ ବୁଡାଇ ଖାଇବାକୁ ହୁଏ। ଯାହା ଦର୍ଶାଏ କି, ଉଭୟଙ୍କ ମଧ୍ୟରେ ବନ୍ଧୁତାର ଶୁଭାରମ୍ଭ ହେଲା। ରୁଷିଆରେ ପାଉଁରୁଟିକୁ ପବିତ୍ର ମନେକରାଯାଏ। ଯାହା ଘରେ ପାଉଁରୁଟି ନାହିଁ ସେଠି ଖାଇବାକୁ କିଛି ନାହିଁ ବୋଲି ଧରାଯାଏ। ତେଣୁ ପାଉଁରୁଟି ଯେମିତି ବି ହେଉ ସମସ୍ତଙ୍କ ଘରେ ଥାଏ। ଲୁଣ ଆତ୍ମାର ପବିତ୍ରତାକୁ ଦର୍ଶାଏ। ପାଉଁରୁଟି ଓ ଲୁଣ ଦେଇ ରୁଷିଆରେ ଅତିଥିଙ୍କ ଧନ ପ୍ରାପ୍ତି ହେଉ ଓ ସବୁ ନକାରାତ୍ମକତା ଦୂର ହେଉ ବୋଲି କାମନା କରାଯାଏ। ପାଉଁରୁଟି ଓ ଲୁଣକୁ ଯେ ଗ୍ରହଣ ନ କରନ୍ତି ତାଙ୍କୁ ଘର ଭିତରକୁ ପ୍ରବେଶ ମନା । ଏମିତି ବି ବିଶ୍ୱାସ କରାଯାଏ, ଯଦି କାହାକୁ ଅପମାନିତ କରିବାର ଅଛି ତେବେ ସେହି ବ୍ୟକ୍ତି ସାମ୍ନାରେ ଲୁଣକୁ ଚଟାଣରେ ବିଛାଇ ପକାଇଦେବେ। ଏଭଳି କଲେ ଏଠାରେ ଝଗଡ଼ା ବି ହୋଇଯାଏ। ରୁଷିଆରେ ଏହି ପରମ୍ପରା ଏବେ ବି ଚାଲିଛି ଓ ଏହା ବେଶ୍ ଲୋକପ୍ରିୟ ମଧ୍ୟ।
ରେଶମୀ କପଡ଼ା ପ୍ରଦାନ କରାଯାଏ: ହାଦା, ସିଲ୍କ ଅବା ଲିନେନ୍ର ଏକ ଛୋଟ ଲମ୍ବାଳିଆ କପଡ଼ା। ଯାହାକୁ ମଙ୍ଗୋଲିଆରେ ଅତିଥିଙ୍କୁ ସ୍ବାଗତ କରିବା ସମୟରେ ପ୍ରଦାନ କରାଯାଏ। ସମ୍ମାନସୂଚକ ଉକ୍ତ କପଡ଼ା ଖାସ୍ ଅତିଥିଙ୍କୁ ପ୍ରଦାନ କରାଯାଏ। ଏହା ଧଳା, ହଳଦିଆ, ସୁନେଲି, ହାଲୁକା ନୀଳ ଭଳି ବିଭିନ୍ନ ରଙ୍ଗର ହୋଇଥାଏ। ହାଦା ବ୍ୟତୀତ ଅତିଥିଙ୍କୁ କ୍ଷୀର ଚା’, ପ୍ଲେଟ ଭର୍ତ୍ତି ଚିଜ୍, ବ୍ରେଡ୍ ଓ କୁକିଜ୍ ବି ପ୍ରଦାନ କରାଯାଏ।
ଗରମ ପାଉଁରୁଟି ନାଲି ଚା’: କାଜାଖସ୍ତାନର ମୁସଲମାନମାନେ ଅତିଥ୍ୟଙ୍କୁ ବହୁତ ଗୁରୁତ୍ୱ ଦିଅନ୍ତି। ତେଣୁ ସେଠାରେ ଅତିଥିଙ୍କୁ ବହୁତ ଭଲଭାବେ ଚର୍ଚ୍ଚା କରାଯାଏ। ସେମାନେ ଅତିଥିଙ୍କୁ ପାଉଁରୁଟି ସହ ନାଲି ଚା’ ପ୍ରଦାନ କରନ୍ତି। ଏହା ବଦଳରେ ସେମାନେ ମନୋରଞ୍ଜନ ପାଇଁ ଅତିଥିଙ୍କୁ ଗୀତ ଗାଇବାକୁ ଅନୁରୋଧ କରିପାରନ୍ତି।
ଅତିଥିଙ୍କୁ ଶୁଙ୍ଘିବା ପରମ୍ପରା: ଗ୍ରୀନଲାଣ୍ଡରେ ଅତିଥିଙ୍କୁ ସ୍ବାଗତ କରିବାବେଳେ ନାକ ସହ ନାକ ଘଷାଯାଏ ଅବା ନାକକୁ ଚୁମ୍ବନ ଦିଆଯାଏ। ଯାହା ‘ଏସ୍କିମୋ କିସ୍’ ବା ‘କୁନିକ’ ନାମରେ ପରିଚିତ। ଏହାବାଦ ଉଭୟେ ପରସ୍ପରର ଗାଲ ଓ କେଶ ଶୁଙ୍ଘନ୍ତି। ସେହିଭଳି ଓସିନିଆର ଦେଶ ତଓ୍ବାଲୁରେ ବି ଅତିଥିଙ୍କୁ ସ୍ବାଗତ କରିବାବେଳେ ପାଖକୁ ଯାଇ ସେମାନଙ୍କ ସୁଗନ୍ଧକୁ ଆଘ୍ରାଣ କରାଯାଏ, ଯାହାକୁ ‘ସୋଗି’ କୁହାଯାଏ।
ଅତିଥି ସତ୍କାରର ଏହିସବୁ ମହାନ ପରମ୍ପରା ଯେମିତି ଆଜିକାର ବଦଳୁଥିବା ସମାଜରେ ମଳିନ ନ ପଡ଼ୁ ସେଥିପାଇଁ ସମସ୍ତେ ତତ୍ପର ହେବା ଜରୁରୀ। କାରଣ ଏହା ଯେ କେବଳ ସମ୍ପର୍କକୁ ମଜଭୁତ କରେ ତାହା ନୁହେଁ ବରଂ ସୁସ୍ଥ ସମାଜ ଗଠନ କରେ। -ଶିବାନୀ ମହାନ୍ତି