ନା ପ୍ରବଳ ବର୍ଷା, ନା ପ୍ରଚଣ୍ଡ ଖରା, ନା ଥାଏ ବି ଛାତିଥରା ଶୀତ। ଏଇମାତ୍ର ଯାଇ ସାରିଥାଏ ବର୍ଷା ଆଉ ତା’ ଯିବା ପରେ ପରେ ଧରାପୃଷ୍ଠକୁ ଆସିିସାରିଥାଏ ଶରତ। ସବୁଜ ରଙ୍ଗର ପାଟଶାଢ଼ି ପିନ୍ଧି ଚିକ୍ ଚିକ୍ କରୁଥାଏ ପୃଥିବୀ। ଆଉ ଏହି ସବୁଜ ଶାଢ଼ିର ଶୁଭ୍ର ଧଡ଼ି ପରି ପ୍ରତୀୟମାନ ହେଉଥାଏ ସୁନ୍ଦରୀ କାଶତଣ୍ଡୀ। କାଶତଣ୍ଡୀରେ ସଜାଇ ହୋଇଥିବା ଧରିତ୍ରୀର ଏଇ ରୂପ କାହାକୁ ବି ଆନମନା କରିଦିଏ। ସତ କହିଲେ, ଏମିତି କିଏ ନାହିଁ ଯେ କାଶତଣ୍ଡୀର ସୌନ୍ଦର୍ଯ୍ୟରେ ମୁଗ୍ଧ ନ ହୋଇଛି, ମନ ଭିତରେ କାଶତଣ୍ଡୀର ଆକାଶଛୁଆଁ ତଲ୍ଲୀନତାରେ ଅନ୍ୟମନସ୍କ ନ ହୋଇଛି। ଲୋକକଥା କହେ, ଗୋଟିଏ ରାଜ୍ୟରେ ଥିଲେ ଜଣେ ଖୁବ୍ ସୁନ୍ଦର ରାଜକୁମାର। ତାଙ୍କର ଶିକାର କରିବାର ସଉକ ଥିଲା। ପ୍ରତିଦିନ ଜଙ୍ଗଲକୁ ଶିକାର କରିବାକୁ ଯାଇ ଫେରିବାବେଳେ ଜଙ୍ଗଲ ନିକଟରେ ଥିବା ଏକ ନଦୀକୂଳରେ ବିଶ୍ରାମ ନିଅନ୍ତି। ଦିନେ ସେ ନଦୀକୂଳରେ ଶୁଭ୍ର ବସ୍ତ୍ର ପରିହିତା ଜଣେ ଅପରୂପ ଯୁବତୀଙ୍କୁ ଦେଖନ୍ତି। ରାଜକୁମାର ଏକତରଫା ତାଙ୍କ ପ୍ରେମରେ ପଡିଯାନ୍ତି। ଖବର ନେଇ ଜାଣନ୍ତି ଯେ, ଯୁବତୀ ଜଣଙ୍କ ହେଉଛନ୍ତି ସେହି ନଦୀକୂଳିଆ ଗାଁ ପାଖରେ ରହୁଥିବା ଏକ ଦଳିତ ପରିବାରର ଝିଅ କାଶତଣ୍ଡୀ। କେତେଦିନ ପରେ ରାଜକୁମାର କାଶତଣ୍ଡୀକୁ ନିଜ ମନକଥା କୁହନ୍ତି, ସେତେବେଳକୁ କାଶତଣ୍ଡୀ ବି ଭଲ ପାଇ ବସିଥାଏ ରାଜକୁମାରଙ୍କୁ। ପ୍ରତିଦିନ ନଦୀ ପଠାରେ ରାଜକୁମାର ଯାଇ ଭେଟୁଥାନ୍ତି କାଶତଣ୍ଡୀକୁ। ସେମାନଙ୍କ ପ୍ରେମର କଥା ପହଞ୍ଚେ ରାଜାଙ୍କ ପାଖରେ। ଖୁବ୍ ରାଗିଯାନ୍ତି ରାଜା। ଏପଟେ ସେମାନଙ୍କ ପ୍ରେମର ନିବିଡ଼ତା ବଢୁଥିବାବେଳେ ରାଜା ଚିନ୍ତା କରୁଥିଲେ ସେମାନଙ୍କୁ କିଭଳି ଅଲଗା କରିବେ। ଦିନେ ରାଜା ସୈନ୍ୟସାମନ୍ତ ପଠାନ୍ତି ନଦୀପଠାକୁ ରାଜକୁମାରଙ୍କୁ ଫେରାଇ ନେବାକୁ। କିନ୍ତୁ ରାଜକୁମାର ମନା କରିଦିଅନ୍ତି। କାଶତଣ୍ଡୀଙ୍କୁ ନ ନେଇ ସେ ରାଜଉଆସ ଯିବେନି। ରାଜା ଶେଷରେ ଆଦେଶ ଦିଅନ୍ତି ଦୁହିଁଙ୍କୁ ଜୀବନ୍ତ କବର ଦେବାକୁ। ଏକଥାରେ ରାଜକୁମାର ରାଜି ହୋଇଯାନ୍ତି। କିନ୍ତୁ କାଶତଣ୍ଡୀ ରାଜକୁମାରଙ୍କୁ ରାଣ ଦେଇ ବୁଝାନ୍ତି ରାଜଉଆସ ଫେରି ଯିବାକୁ। ରାଜକୁମାର ତଥାପି ରାଜି ନ ହେବାରୁ ସୈନ୍ୟସାମନ୍ତ ତାଙ୍କୁ ଜବରଦସ୍ତ ନେଇଯାନ୍ତି। ରାଜକୁମାର ଯିବା ପରେ ଆତ୍ମହତ୍ୟା କରନ୍ତି କାଶତଣ୍ଡୀ। ଏହାପରେ କିନ୍ତୁ ରାଜକୁମାର ଆଉ ବିବାହ କରନ୍ତିନି। କାଶତଣ୍ଡୀକୁ ଝୁରିଝରି ପ୍ରତିଦିନ ନଈପଠାରେ ଯାଇ ବସନ୍ତି। କୁହାଯାଏ, କାଶତଣ୍ଡୀର ଅତୃପ୍ତ ଆତ୍ମା ଗଣେଶ ପୂଜା ପରେ ପରେ ଶରତ ଋତୁର ଆଗମନରେ ଧରାପୃଷ୍ଠକୁ ଆସିଥାଏ ଓ ଶରତ ଫେରିଯିବା ସହ ସେ ବି ଫେରିଯାଇଥାଏ। ସେବେଠାରୁ ପାର୍ବଣଋତୁରେ ପୂଜା ଓ ପବିତ୍ରତାର ରୂପ ଧରି ପ୍ରେମର ବାର୍ତ୍ତା ଦେଉଛି କାଶତଣ୍ଡୀ। ଆଉ ଜଗତକୁ କରୁଛି ପ୍ରେମମୟ। ଯେଉଁ ପ୍ରେମରୁ ଆଜି ବି କେହି ମୁକୁଳି ପାରିନାହାନ୍ତି। ସେମିତି କେତେଜଣଙ୍କ ମୁହଁରୁ କାଶତଣ୍ଡୀକୁ ନେଇ ତାଙ୍କ କଥା…
କାଶତଣ୍ଡୀର ମୋହ (ଅଲେଖ ଚନ୍ଦ୍ର ମିଶ୍ର, ଲେଖକ ଓ ସ୍ତମ୍ଭକାର)
କାଶତଣ୍ଡୀ ବା ଖଡ଼ିଫୁଲ କଥା ମନେପଡ଼ିଲେ ମନ ଆପେ ଟାଣି ହୋଇଯାଏ କାହିଁ କେଉଁ ଦୂର ଅତୀତକୁ ଯାହାର ସ୍ମୃତି ଏବେ ଲିଭି ଲିଭି ଆସିଲାଣି । ଚତୁର୍ମାସ୍ୟାରେ ହିଁ ଫୁଟିଥାଏ ଏହି କାଶତଣ୍ଡୀ ଫୁଲ। ଏହି ସମୟରେ ପଡୁଥିବା ଅନେକ ପର୍ବପର୍ବାଣି ମଧ୍ୟରେ ଖୁଦୁରୁକୁଣୀ ଓଷା ମାସବ୍ୟାପୀ ପାଳନ ହୁଏ। ମୋର ନାନୀ ଓ ସାହିର ଝିଅମାନେ ମିଳିମିଶି ଏହି ଓଷା କରନ୍ତି। ଖୁଦୁରୁକୁଣୀ ମୂର୍ତ୍ତି ଓ ମଣ୍ଡପକୁ ସଜେଇବା ପାଇଁ ଖଡ଼ିଫୁଲ ନିହାତି ଦରକାର। କିନ୍ତୁ ଗାଁ ଭିତରେ(ଆମ ଗାଁ କେନ୍ଦ୍ରାପଡ଼ା ଜିଲାର କରିଲୋପାଟଣା) ତ ସେ ଫୁଲ ମିଳେନା। ନଈପଠା, ପୋଖରୀ ହୁଡ଼ା, ବେଣା ପଡିଆ, ଖଡିବୁଦା, ଟାଙ୍ଗରା ଭୂଇଁ, ବାଲି ବା ପଥୁରିଆ ମାଟି ଏହି ସବୁ ଜାଗାରେ ସେ ଫୁଲ ଫୁଟେ। ସେଥିପାଇଁ କିଛି ଦୂରକୁ ଯିବାକୁ ପଡ଼େ । ଭୋର୍ରୁ ନ ଗଲେ ଫୁଲ ଆଉ ମିଳିବନି । ସେଥିପାଇଁ ପୂର୍ବ ଦିନ ରାତିରୁ ଯୋଜନା କରାଯାଏ। ଯାହାର ନିଦ ଆଗ ଭାଙ୍ଗିବ ସେ ଅନ୍ୟମାନଙ୍କୁ ଉଠେଇ ଦେବ। ଆଙ୍କୁଡ଼ି, ଦାଆ, ଟୋକେଇ ଏ ସବୁ ପ୍ରସ୍ତୁତ ହୋଇ ରହିଥାଏ । ରାତି କେମିତି ପାହିବ ମନ ଛକ ଛକ ହେଉଥାଏ। ସେଥିରେ ପୁଣି ଭୂତ କାଳେ ଡାକିଦେବ ସେ ଭୟ । ତାରି ଭିତରେ ରାତି ପାହିବା ପୂର୍ବରୁ ପାଞ୍ଚ ସାତ ଜଣ ସାଙ୍ଗ ହୋଇ ବାହାରିପଡୁ। ଫୁଲ ପାଇବା ପାଇଁ ପ୍ରତିଯୋଗିତାରେ ସବୁ କିଛି ଭୁଲିଯାଉ। ଫୁଲ ତୋଳି ସାରି ଫେରିଲା ବେଳକୁ ଖରା ପଡି ଯାଇଥାଏ। ସମସ୍ତେ ଉଠି ଯାଇଥାନ୍ତି। ଗାଳି ଶୁଣିବାକୁ ପଡ଼େ । କିନ୍ତୁ ତାକୁ ଆମର ଖାତିର ନ ଥାଏ। ସେଦିନ ଛୁଟି ଥିବାରୁ ଆମର ଆନନ୍ଦ କହିଲେ ନ ସରେ। ଏମିତି ମାସସାରା ଚାରି ହେଉ କିମ୍ବା ପାଞ୍ଚ ପାଳି ପର୍ଯ୍ୟନ୍ତ ଖଡ଼ିଫୁଲ ପାଇଁ ଆମର ଉତ୍କଣ୍ଠା ଲାଗି ରହେ । କାରଣ ଅନ୍ୟ ଯେତେ ଫୁଲ ଥିଲେ ବି ଖଡ଼ିଫୁଲର ସ୍ଥାନ କେହି ନେଇ ପାରନ୍ତି ନାହିଁ । ଓଷା ସରିଯାଏ । କାଶତଣ୍ଡୀ ଫୁଲ ସେମିତି ଫୁଟୁଥାଏ । ହେଲେ ଆଉ ତାକୁ କେହି ତୋଳନ୍ତିନି। କିନ୍ତୁ ତା’ର ଶୋଭାର ସମ୍ଭାର ଅପନ୍ତରିଆ ସ୍ଥାନକୁ ବି ଆକର୍ଷଣୀୟ କରିଦିଏ।
କାଶତଣ୍ଡୀ କେବେ ମୋ କ୍ୟାମେରାରେ କେବେ ମୋ କାନ୍ଭାସ୍ରେ – ଡ. ସସ୍ମିତା କମିଳା (ଚିତ୍ରକର)
ଆଶ୍ୱିନ ଆସିଲେ ଆମେ ବୁଝୁ ‘ମା’ଙ୍କର ଧରାକୁ ଆଗମନ କରିବାର ସମୟ ପାଖେଇ ଆସିଲା। ମନ ଭିତରେ ଗୋଟେ ଆଦେଶ ଆସିଯାଏ। ପିଲାବେଳୁ ଆଜି ପର୍ଯ୍ୟନ୍ତ ଇଏ ଗୋଟେ ନିଆରା ଅନୁଭବ ହୋଇ ରହିଯାଇଛି। ଭାଦ୍ରବର ଅନ୍ତରାଳେ ଆଶ୍ୱିନର ଆରମ୍ଭରେ ଚାଷଜମିର ହିଡ଼ରୁ ଆରମ୍ଭ କରି ରାସ୍ତାକଡ଼ ପୋଖରୀ ଓ ନଦୀପଠାରେ ଦେଖିବାକୁ ମିଳେ କାଶତଣ୍ଡୀର ସମ୍ଭାର; ଯାହା ମନ ଭିତରେ ଗୋଟେ ନୂଆ ଉନ୍ମାଦନା ଜାଗ୍ରତ କରାଇଦିଏ। ମୁଁ ପିଲାବେଳୁ କାଶତଣ୍ଡୀ ଫୁଲ ସହିତ ଖୁବ୍ ପରିଚିତ। କାରଣ ମୋ ଗାଁ ଚୋରମରା ହେଉଛି ସୁବର୍ଣ୍ଣରେଖା ନଦୀ କୂଳରେ। ଆମେ ସାଙ୍ଗ ଓ ଭଉଣୀମାନେ ମିଶି ଯେତେବେଳେ ନଦୀପଠାକୁ ସନ୍ଧ୍ୟାରେ ବୁଲିବା ପାଇଁ ଯାଉ ସେତେବେଳେ ଲଣ୍ଡା ପଠାଟି କାଶତଣ୍ଡୀ ଫୁଲରେ ହସୁଥାଏ। ଆମମାନଙ୍କର ସନ୍ଧ୍ୟା ବେଳଟା ଜମିଯାଏ। ତା’ପରେ ସେଠାରୁ କିଛି ଫୁଲ ଆଣି ତାକୁ ଘର ସଜାଇବା ଓ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ତିଆରି କରିବା କାମରେ ଲାଗିପଡୁ। ଗୋଟେ ଚିତ୍ରକର ହିସାବରେ କାଶତଣ୍ଡୀକୁ ନେଇ ମୋ ଭିତରେ ଭାବ ଆଉ ଟିକେ ନିବିଡ଼ ହୋଇଛି। କେତେବେଳେ କାନ୍ଭାସ୍ରେ ତ କେତେବେଳେ କ୍ୟାମେରାରେ ତା’ର ସୌନ୍ଦର୍ଯ୍ୟକୁ ମୁଁ ବାନ୍ଧି ରଖିବାରେ ଖୁବ୍ ଆନନ୍ଦ ପାଉଛି। ଆଶ୍ୱିନରେ ତା’ର ଏହି ସୌନ୍ଦର୍ଯ୍ୟ ଦେଖିଲେ ମନରେ ଏକ ଅପୂର୍ବ ଶିହରଣ ଖେଳିଯିବା ସହ ନୂଆ ଚିନ୍ତାଚେତନା ଉଦ୍ରେକ ହୁଏ।
ମୋତେ ଆନମନା କରେ କାଶତଣ୍ଡୀ-ସୁବ୍ରତ କୁମାର ସେନାପତି
ସହକାରୀ ଅଧ୍ୟାପକ,ପୁଷ୍ପ ଓ ଭୂଭାଗ ଦୃଶ୍ୟ ଉଦ୍ୟାନ ବିଭାଗ
କାଶତଣ୍ଡୀର ଶୁଭ୍ର ଚାମରରେ ପୃଥିବୀ ସ୍ବାଗତ କରେ ମହାମାୟାଙ୍କୁ। ଏ ସମୟ ମୋ ପରି ଫୁଲପ୍ରେମୀ, ପୁଷ୍ପ ବିଭାଗର ଅଧ୍ୟାପକ ଓ କବିଙ୍କୁ ଖୁବ୍ ଆନମନା କରେ। କାଶତଣ୍ଡୀକୁ ପ୍ରତୀକ ଭାବେ ବ୍ୟବହାର କରି କେଉଁ ଏକ କବିତାର ଅଳ୍ପ କିଛି ଧାଡ଼ି ମନେପଡ଼ି ଯାଉଛି ଏବେ:
”ଯେଉଁ ହସ ଏବେ ଦେଖୁଛ ସେମାନଙ୍କ ମୁହଁରେ/
ଭାବୁଛ କି ସେସବୁ ପବନରେ ଦୋହଲୁଥିବା ଧବଳ କାଶତଣ୍ଡୀ!
ଦେଖ ଦେଖ ଭଲ କରି ଦେଖ/
ସେ ହସ ଖାଲି ଲୁଚାଇଛି ଦେବୀର ଲଙ୍ଗଳାପଣକୁ
ଧଳା ଶାଢ଼ିର ଆବରଣ ତଳେ “
ଯେଉଁ କାଶତଣ୍ଡୀର ନାନ୍ଦନିକତାକୁ ନେଇ କବିଟିଏ କେତେକ’ଣ ଭାବିପାରେ ପ୍ରକୃତରେ ସେ କାଶତଣ୍ଡୀ ଏକ ଆଳଙ୍କାରିକ ପୁଷ୍ପ ନୁହେଁ ବରଂ ଏକ ପ୍ରକାରର ଘାସ; ଯାହା ବନ୍ୟ ଆଖୁ ବା କାଶ ଫୁଲ ଭାବେ ମଧ୍ୟ ପରିଚିତ। ଏହାର ଫୁଲକୁ ତାଳପତ୍ରରେ କଲମ ଭାବେ ପୁରାତନ କାଳରେ ବ୍ୟବହାର କରାଯାଉଥିଲା। କାଶତଣ୍ଡୀର ଉଚ୍ଚତା ପ୍ରାୟତଃ ତିନି ମିଟର ପାଖାପାଖି ହୋଇଥାଏ। ଏହା ଏକ ବାରମାସୀ ଘାସ ଯାହାର ଜନ୍ମସ୍ଥଳୀ ହେଉଛି ଭାରତ ଓ ଏହାର ବଂଶବିସ୍ତାର ମୁଖ୍ୟତଃ ରାଇଜୋମ ଦ୍ୱାରା ହିଁ ହୋଇଥାଏ ଓ ଏହା ଘାସ ପରିବାରରେ ଅନ୍ତର୍ଭୁକ୍ତ। ଶ୍ୱାସ ଓ ମୂତ୍ର ଜାତୀୟ ସମସ୍ୟା, ଧାତୁକ୍ଷୟଜନିତ ଦୁର୍ବଳତା, ପୋଡ଼ାଜଳା, ଭଗନ୍ଦର, ଅର୍ଶ, ଗର୍ଭଧାନ ଆଦି ସମସ୍ୟାରେ ଆୟୁର୍ବେଦ ଚିକିତ୍ସାରେ ଏହାକୁ ମୁଖ୍ୟତଃ ବ୍ୟବହାର କରାଯାଏ। ମା’ମାନଙ୍କ ଶରୀରରେ ବଳ ବଢ଼ାଇବା ସହ ଖାଇବାରେ ରୁଚି ବଢ଼ାଇ ଥାଏ। ତେଣୁ କାଶତଣ୍ଡୀ କେବଳ ସୋନ୍ଦର୍ଯ୍ୟର ଗନ୍ତାଘର ନୁହଁ ବରଂ ଅସରନ୍ତି ଔଷଧୀୟ ଗୁଣର ବାହକ ମଧ୍ୟ।
ମା’ଙ୍କ ସଖୀ ସହୋଦରୀ କାଶତଣ୍ଡୀ-କାମଦେବ ମହାରଣା(କବି)
ଶ୍ରାବଣର ମେଘଳ ଆର୍ଦ୍ର ପରିବେଶକୁ ପୋଛିପାଛି ଶରତ ଆସିଲେ ଆକାଶରେ ଭାସିଯାଏ ଧଳା ବାଦଳର ବୋଇତ। ଗ୍ରାମ୍ୟପଥ ଧାରେଧାରେ ପ୍ରକୃତି ପାଗଳ ମନ ଗହୀର ଭିତର ବିଲ ହୁଡ଼ାରେ ଦେଖେ କାଶଫୁଲ। ଶରତ ଆକାଶର ନିର୍ମଳ ନୀଳିମାକୁ ଭାରି ମାନେ କାଶତଣ୍ଡୀର ରୌପ୍ୟ ଧବଳ ହସ। ଶରତ ସୌଭାଗ୍ୟ ଆଉ ସମ୍ଭାବନାର ଋତୁ। ନିର୍ମଳ ଆଉ ପବିତ୍ରତା ସହିତ ନାନାପୂଜା ପାର୍ବଣ ଭିତରେ କାଶତଣ୍ଡୀ ଫୁଲ ଲାଗେ ସତେ ଯେପରି ଧରଣୀ ରାଣୀର ନିର୍ମଳ ପବିତ୍ର ହାସ୍ୟରେଖା। କେତେବେଳେ କାଶତଣ୍ଡୀ ପ୍ରଣୟ ବିଭୋର ପ୍ରେମିକ ଆଖିରେ ତା’ ପ୍ରଣୟିନୀର ମଧୁର ପବିତ୍ର ହାସ୍ୟରେଖା ତ କେବେ ମିଳନ ପିପାସୀ ଦଗ୍ଧ ମନରେ ଶୁଭ୍ର ଚନ୍ଦନର ଶୀତଳ ପ୍ରଲେପ। ପୁଣି କେବେ ତା’ ଆଖିରେ କାଶତଣ୍ଡୀ ମୁଣ୍ଡ ହଲା ନାଚ ସତେ ଯେପରି ପ୍ରେମିକାର ମଧୁର ଆମନ୍ତ୍ରଣ। କବିର କବିତା କହେ –
”ତୋ ଆଖିରେ କାଶତଣ୍ଡୀ
ଠାରେ ମତେ ରହିରହି
ମିଳନ ବିଭୋର ପାଗଳ ମନ ମୋ
ଏ ଡାକରେ ରହିପାରେ ନାହିଁ।“
ଶରତର ଅନ୍ତ ପର୍ବରେ ଆସେ ମା’ ଦୁର୍ଗାଙ୍କ ଆବାହନୀ ଉତ୍ସବ। ପୌରାଣିକ ଉପାଖ୍ୟାନ ଅନୁସାରେ କାଶତଣ୍ଡୀ ଫୁଲମାନେ ଦେବୀଙ୍କ ସଖୀ- ସହଦୋରୀ। ମା’ ଆସିବେ ବୋଲି ସେମାନେ ପୃଥିବୀକୁ ସଜେଇବାକୁ ପ୍ରଥମେ ଆସନ୍ତି।
ଚାଷ ଓ ପାର୍ବଣର ପ୍ରତୀକ କାଶତଣ୍ଡୀ- ଚିନ୍ମୟ ରଞ୍ଜନ ମିଶ୍ର(ସହକାରୀ ବୈଷୟିକ ପରିଚାଳକ)
କାଶତଣ୍ଡୀ ଫୁଲର ଚାମର ଧରି ଧରଣୀ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ଧରାବତରଣ ପାଇଁ ପ୍ରସ୍ତୁତ ହୁଏ। ଆକାଶରେ ଖଣ୍ଡ ଖଣ୍ଡ ଧଳା ମେଘ, ମାଟିସାରା ଫୁଲର ଗାଲିଚା। ମଝିରେ ମଝିରେ କାଶତଣ୍ଡୀର ଅପରୂପ ଶୋଭା ପ୍ରକୃତିକୁ ଆହୁରି ସୁନ୍ଦର କରିଦିଏ। ଅଶିଣ ମାସର କ୍ଷେତରେ ଧାନ କେଣ୍ଡା ଗର୍ଭଣା ବେଳକୁ ଗର୍ଭ ସଞ୍ଚାର କରିଥାଏ। ଲୋକ ମୁଖରେ କୁହା କୁହି ହୁଅନ୍ତି ”ଆଗେ ବୁଣ, ପଛେ ବୁଣ, ଗର୍ଭଣାକୁ ଟୁଣୁ ଟୁଣୁ“। ଆଶା ବାନ୍ଧି ବସିଥାଏ ଗଣ୍ଡେ ମିଳିଲେ ବର୍ଷ ସାରା ଆହାର ପାଇଯିବ ଜଗତ ପାଇଁ ମଧ୍ୟ ଯୋଗାଇବ। କାଶତଣ୍ଡୀ ଫୁଲ ଏକ ପ୍ରତୀକ ଆମ ଚାଷ ଏବଂ ପାର୍ବଣର। ଏହା ସାଧାରଣତଃ ଏକ ଘାସ ଜାତୀୟ ଗଛ। ଛପର, ମସିଣା, କାଗଜ ପାଇଁ ବ୍ୟବହାର କରାଯିବା ସହ ଏହା ବିଭିନ୍ନ କଳାକୃତି ପାଇଁ ମଧ୍ୟ ବ୍ୟବହାର କରାଯାଏ। ମୃତ୍ତିକା ସଂରକ୍ଷଣ ପାଇଁ ମଧ୍ୟ କାଶତଣ୍ଡୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି I କାଶତଣ୍ଡୀକୁ ଅନ୍ୟ ଅର୍ଥରେ ଚଢ଼େୟା ବୋଲି ମଧ୍ୟ କହନ୍ତି I ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ଦିନ କାଶତଣ୍ଡୀ ପୂଜା ଆମ ପରମ୍ପରାର ଏକ ବଳିଷ୍ଠ ନିଦର୍ଶନ । ପଞ୍ଚମୀର ନାମ ରେଖା ପଞ୍ଚମୀ। ଏହି ଦିନ ‘ଘଣ୍ଟା କର୍ଣ୍ଣ ମହାବୀର’ଙ୍କୁ ଘରର ଦ୍ୱାରବନ୍ଧରେ ପୂଜା କରାଯାଏ। କାଣ୍ଡବିନ୍ଧା ପୋକ ନିୟନ୍ତ୍ରଣ ନିମନ୍ତେ ଧାନବିଲ ମଝିରେ ଏହାର ଡାଳକୁ ପୋତିବା ଫଳରେ ଛୋଟ ଚଢେଇମାନେ ବସି କାଣ୍ଡବିନ୍ଧା ସହ ବିଭିନ୍ନ କୀଟଙ୍କୁ ଖାଇଥାନ୍ତି।
କାଶତଣ୍ଡୀ କଥା: -ଡ. ପରେଶ କୁମାର ପଣ୍ଡା, ସହକାରୀ କୃଷି ନିର୍ଦ୍ଦେଶକ, ଯାଜପୁର
ଦେଖିବାକୁ କାଶତଣ୍ଡୀ ଫୁଲ କେବଳ ଆକର୍ଷଣୀୟ ନୁହେଁ, ଏହାର ଅନେକ ଔଷଧୀୟ ଗୁଣବତ୍ତା ବି ରହିଛି। ବହୁ ପୂର୍ବରୁ ଏହାକୁ ପାରମ୍ପରିକ ଔଷଧଭାବେ ବ୍ୟବହାର କରାଯାଉଥିଲା। ଏହି ଗଛର ବିଭିନ୍ନ ଅଂଶ ବ୍ୟବହାର କରି ପାକସ୍ଥଳୀଜନିତ ଅବ୍ୟବସ୍ଥା, ଧଳାସ୍ରାବ, ଅର୍ଶଜନିତ ରକ୍ତସ୍ରାବ, ପରିସ୍ରାଜନିତ ସମସ୍ୟା ନିରାକରଣ କରିବାରେ ସାହାଯ୍ୟ କରିଥାଏ। ଏହି ଗଛ ବହୁତ ମଜଭୁତ ହୋଇଥିବାରୁ ଏହାକୁ ଗାଲିଚା, ଦଉଡ଼ି ଓ ବିଭିନ୍ନ ସାଜସଜ୍ଜାରେ ବ୍ୟବହାର କରାଯାଇଥାଏ। ଏହାକୁ କାଗଜ ତିଆରିରେ ମଧ୍ୟ କଞ୍ଚାମାଲ ରୂପେ ବ୍ୟବହାର କରାଯାଏ। ଭାରତ ବ୍ୟତୀତ ପାକିସ୍ତାନ, ନେପାଳ, ବାଂଲାଦେଶ ଏବଂ ଭୁଟାନରେ ଏହା ଦେଖିବାକୁ ମିଳିଥାଏ। ଏହାକୁ ନେପାଳରେ ପନିପରିବା ଚାଷରେ ବାଡ଼ରୂପେ ବ୍ୟବହାର କରାଯାଏ। ଏହାର ଫୁଲ ବର୍ଷାଋତୁର ଅନ୍ତିମ ସମୟ ବେଳକୁ ଫୁଟିଥାଏ। ଜୁନ୍ ଓ ଜୁଲାଇ ବେଳକୁ ଅର୍ଥାତ୍ ପ୍ରଥମ ବର୍ଷା ପରେ ପରେ ଏହି ଗଛ ଦେଖାଯାଏ। ଏହା ବଢ଼ିବା ନିମନ୍ତେ ୨୨ରୁ ୩୪ ଡିଗ୍ରୀ ସେଲ୍ସିୟସ ଉତ୍ତାପ ବେଶ୍ ଅନୁକୂଳ। ଯେକୌଣସି ମୃତ୍ତିକାରେ ଏହା ବଢ଼ିପାରେ। ଏହାର ମଞ୍ଜି ପବନରେ ଉଡ଼ିଯାଇ ଚାରିଆଡ଼େ କାଶତଣ୍ଡୀ ଗଛ ସୃଷ୍ଟି କରିଥାଏ।
ପାର୍ବଣର ବାର୍ତ୍ତା ନେଇ ଆସୁଥିବା କାଶତଣ୍ଡୀର ସୌନ୍ଦର୍ଯ୍ୟ କାହାକୁ ବା ପ୍ରେମରେ ନ ପକାଇଛି। ପ୍ରେମିକ, କବି, ଚିତ୍ରକର ହୁଅନ୍ତୁ କି ସାଧାରଣ ମଣିଷ କାଶତଣ୍ଡୀକୁ ଦେଖିଲେ କିଏ ବା ବିଭୋର ନ ହୋଇଛି। ଆଃ! କାଶତଣ୍ଡୀ ! ସତରେ ତା’ର ନାଁ ହିଁ ଯଥେଷ୍ଟ।