ଉଦୁଉଦିଆ ଦ୍ୱିପ୍ରହର। ଗାଁ ଭିତରକୁ ପ୍ରବେଶ ମାତ୍ରେ କାହାରି ନଜର ପଡ଼ିପାରେ ସାହି କୋଠଘର, ମଣ୍ଡପ କି ବରଗଛ ଚାନ୍ଦିନୀରେ ବସି ତାସପାଲି ପକାଉଥିବା ଥୋକେ ଲୋକଙ୍କ ଉପରେ। ଠିକ୍ ଏତିକି ବେଳେ ଡାକବାଲା ସାହିର ପଡ଼ୋଶୀ ଘର ସମ୍ମୁଖରେ ପହଞ୍ଚି ଅଟକିଯାଏ। ସାଇକେଲ ବେଲକୁ -କ୍ରିଂ..କ୍ରିଂ ବଜାଇ ଡାକେ ଚିଠି ଆସିଛି ଚିଠି … ଚିଠି, ତେବେ ଏମିତି ଡାକଶୁଣି କିଛିକ୍ଷଣ ମଧ୍ୟରେ ଘରର ମୁରବି ତରତରରେ ଘରୁ-ଦାଣ୍ଡକୁ ବାହାରିଆସି ଡାକବାଲାଙ୍କ ହାତରୁ ଚିଠିଟିଏ ନେବାବେଳେ ମନରେ ବଢ଼ିଯାଏ ଆବେଗ ଓ ଉତ୍କଣ୍ଠା। କେହି ପଢୁଆଲୋକଙ୍କ ଦ୍ୱାରା ଚିଠିଟି ପଢ଼ିବା ପାଇଁ ବ୍ୟସ୍ତ ହୋଇପଡ଼ନ୍ତି। ତେବେ ଦିନଥିଲା ଚିଠିଟି କେଉଁଠୁ ଆସିଛି, କିଏ ଦେଇଛି, କ’ଣଲେଖା ହୋଇଛି ଇତ୍ୟାଦି ଜାଣିବା ପାଇଁ ପଢ଼ାଳିଙ୍କୁ ଘେରି କିଛି ସମୟ ଚିଠିପଢ଼ା ଶୁଣୁଥିଲେ ଗାଁର କେତେଜଣ ବୟକ୍ସ ଓ ମଧ୍ୟବୟସ୍କ ବ୍ୟକ୍ତି। ପୁଣି ଚିଠିରେ ବ୍ୟବହାରିକ ଶବ୍ଦରେ କାହାରିକୁ ମାନନୀୟ, ସମ୍ମାନ, ଶ୍ରଦ୍ଧେୟ, ସ୍ନେହର, ପ୍ରିୟ, ହତଭାଗ୍ୟ, ଗ୍ରାମଦେବୀ, ଦେବତାଙ୍କ ଚରଣଶରଣେ, ଗୁରୁଜନ ଲଘୁଜନଙ୍କୁ ସମ୍ମାନ ପୁଣି ଶେଷରେ ା ଇତି ା ତୁମର … ଇତ୍ୟାଦି ଶବ୍ଦ ସଂଯୋଜନାରେ ଚିଠିର ଭାଷା ପରକୁ ଆପଣେଇବାର ଭାବ ହିଁ ସୃଷ୍ଟି କରୁଥିଲା। ଚିଠିପଢ଼ାରେ ଶବ୍ଦର ଉଚ୍ଚାରଣ ବେଳେ ଧୀର, ଗମ୍ଭୀର, ଉଚ୍ଚ ଓ କରୁଣ ସ୍ବର ଶୁଣି ଅପେକ୍ଷାରତ ବ୍ୟକ୍ତିମାନେ କୃତ୍ୟକୃତ୍ୟ ହୋଇପଡ଼ୁଥିଲେ। କାହାରି ମୁହଁରେ ପ୍ରଶଂସା ତ କାହାରି ଆଖି ଲୁହଛଳଛଳ ହୋଇପଡ଼ୁଥିଲା। ପୁଣି କିଏ ଅଭିମାନରେ ଲାଜେଇ ଯାଉଥିଲା। ଆଉ କାହାରି ଗୋପନକଥା ପଦାରେ ପଡ଼ିଯିବାର ଆଶଙ୍କାରେ ଅଧାରୁ ଚିଠିପଢାଳିଙ୍କୁ ଅଟକାଇ, ଅନ୍ୟମନସ୍କ ହୋଇଯାଉଥିଲେ। ତେବେ ଚିଠି କେତେ ନୀରବ ଗୋପନ ପରଶ ଘେନିଆସେ ତାହା ସେଇ ଚିଠିରୁ ହିଁ ଜଣାପଡ଼େ। ଚିଠି ଅତି ଆପଣାର। ଅତି ଗୋପନୀୟ। ସୁଖଦୁଃଖ, ହସକାନ୍ଦ, ଭୟ ନିର୍ଭୟ, ପ୍ରାପ୍ତି ଅପ୍ରାପ୍ତି ପରି ଭିନ୍ନ ଭିନ୍ନ ପ୍ରତିକ୍ରିୟାର ଲେଖା ଚିଠିରେ ଥାଏ। ସେ ଯାହା ବି ହେଉ ଚିଠି ଜରିଆରେ ପରିବାରଠାରୁ ଆରମ୍ଭକରି ଦୂର ସମ୍ପର୍କକୁ ଯୋଡ଼ିବାରେ ଚିଠି ଥିଲା ମାଧ୍ୟମ। ତେବେ ଶବ୍ଦ ମାଧ୍ୟମରେ ଭାବନାକୁ ପରସ୍ପର ନିକଟକୁ ଖବର ପଠେଇବାର ଏଇ ପରମ୍ପରା ଅନେକ ଦିନରୁ। ହେଲେ ଏବେ ବଦଳିଯାଇଛି ଚିଠିର ସ୍ବରୂପ। ଚିଠି ଆଉ ଆତ୍ମିୟତାର ସମ୍ପର୍କ ଯୋଡ଼ିବାର ମାଧ୍ୟମ ହୋଇନାହିଁ। ଏହା କେବଳ ସରକାରୀ ବେସରକାରୀ ଦପ୍ତରର ଆବଶ୍ୟକ ଚିଠିପତ୍ରକୁ ଦେଣନେଣ କରିବାରେ ସୀମିତ ରହୁଛି। ସେଥିପାଇଁ ହୁଏତ ଡାକବାକ୍ସରେ ଆଗ ଭଳି ପଡ଼ୁନାହିଁ ଚିଠି କି ଗାଁରେ ଶୁଭୁନି ଆଉ ଡାକବାଲାର ସ୍ବର ଚିଠି ଆସିଛି- ଚିଠି…ଚିଠି।
କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ତୁଲାଇ ଆସୁଛି ଚିଠି। ଚିଠି ହୋଇପାରେ ପ୍ରେମର, କି ଆଦେଶ ନିର୍ଦ୍ଦେଶର, ନିଯୁକ୍ତି, ଛଟେଇର, ବିବାହ ବିଚ୍ଛେଦର, ଶୋକଆନନ୍ଦର, ଧମକ ସାନ୍ତ୍ୱନାର, ଯୁଦ୍ଧ ଡାକରା ଓ ଶାନ୍ତି ବାର୍ତ୍ତା ଇତ୍ୟାଦିର। କିନ୍ତୁ ସ୍କୁଲବେଳର ଚିଠି ଥାଏ ସାଙ୍ଗନିକଟକୁ, କେବେ ଗାଁରୁ ଦୂରବିଦେଶକୁ ଯାଇଥିବା ସ୍ବାମୀଙ୍କ ଫେରନ୍ତା ପଥକୁ ଅନେଇ ରହିଥିବା ସ୍ତ୍ରୀଙ୍କ ନିକଟକୁ ଆସୁଥିବା ଅନ୍ତରଙ୍ଗପତ୍ର ଦେଉଥିଲା ଆଶ୍ୱାସନା ଓ ଆଶ୍ୱସ୍ତି। ତେବେ ବିଭିନ୍ନ ଭାଷାରେ ଲେଖାଯାଉଥିବା ଚିଠିର ଶବ୍ଦ ଭାବକୁ ପ୍ରକାଶ କରିଥାଏ।
ଦେଶ ବିଦେଶରେ ଚିଠି: ଶିକ୍ଷାବିତ୍ ତଥା ଇତିହାସ ଗବେଷକ ସତ୍ୟବାଦୀ ବଳିୟାରସିଂହ କୁହନ୍ତି- ଆଧୁନିକ ଭାରତରେ ଚିଠିପତ୍ର ପ୍ରେରଣ ଓ ପ୍ରାପ୍ତିର ଯେଉଁ ବ୍ୟବସ୍ଥା ଦେଖୁ ତାହା ଇଂରେଜ ଅମଳରେ ପ୍ରାୟ ୧୮୪୮ଖ୍ରୀଷ୍ଟାବ୍ଦରେ ପ୍ରଚଳିତ ହୋଇଥିଲା। କିନ୍ତୁ ଅତି ପ୍ରାଚୀନ କାଳରୁ ରାଜା ମହାରାଜା, ବାଦଶାହମାନେ ଘୋଡ଼ା, ହାତୀ, ଓଟ ଏବଂ ଦୂତ ବା ଡଗରଙ୍କ ଦ୍ୱାରା ନିଜନିଜର ଚିଠି ବା ହୁକୁମ୍କୁ ବିଭିନ୍ନ ସ୍ଥାନରୁ ପଠାଇବା ପାଇଁ ବ୍ୟବସ୍ଥା କରୁଥିଲେ। ଡାକ ବ୍ୟବସ୍ଥା ପୃଥିବୀରେ ଅତି ପ୍ରାଚୀନ । ଖ୍ରୀ.ପୂ. ୧୪୦୦ ବର୍ଷର ଖଣ୍ଡିଏ ଫଳକରୁ ମିଶର ଦେଶରେ ରାଜାଙ୍କର ଡାକ ପଠାଇବା ବ୍ୟବସ୍ଥା ଥିବାର ପ୍ରମାଣ ମିଳେ। ତେବେ ଇରାକ, ରୋମ, ଚାଇନା ଓ ଭାରତ ଆଦି ଆଉ କେତେକ ଦେଶରେ ଏହି ବ୍ୟବସ୍ଥା ଚଳି ଆସୁଥିଲା। ଭାରତର ସମ୍ରାଟ ଶେରଶାହ ଘୋଡ଼ା ସବାର ଦ୍ୱାରା ଚିଠିପତ୍ର ନେବା ଆଣିବା ବ୍ୟବସ୍ଥା ପ୍ରଚଳିତ କରିଥିଲେ। ୧୬୫୭ରେ ଇଂଲଣ୍ଡରେ ଡାକ ବ୍ୟବସ୍ଥା ପ୍ରଚଳନ ହୋଇଥିଲା। ପୂର୍ବକାଳରେ ବିଶେଷକରି ସୈନ୍ୟ ଓ ସମୟକ୍ରମେ ପୋଲିସ ବିଭାଗ ଦ୍ୱାରା ଚିଠିପତ୍ର ପଠାଯାଉଥିଲା। ପରବର୍ତ୍ତୀ ସମୟରେ ଭାରତରେ କମ୍ପାନୀ ଡାକ ନାମରେ ଡାକସେବା ଆରମ୍ଭ ହୋଇଥିଲା। ପରେ ଓ୍ବାରେନ୍ ହେଷ୍ଟିଙ୍ଗ୍ସ ଏହି ଡାକ ସେବାକୁ ଅଗ୍ରଗତି କରିଥିଲେ। ପ୍ରାୟ ୧୭୭୪ ମସିହାରେ କଲିକତାଠାରେ କଲିକତା ଜିପିଓ ସ୍ଥାପନ କରି ଜଣେ ପୋଷ୍ଟ ମାଷ୍ଟର ଜେନେରାଲଙ୍କ ଦାୟିତ୍ୱରେ ଏହି କାଯର୍ୟଚାଲିଲା; ଯାହା କି ସାଧାରଣ ଲୋକଙ୍କ ସେବାରେ ଲାଗିଥିଲା। ପରେ ବମ୍ବେ ଓ ମାଡ୍ରାସଠାରେ ଜେନେରାଲ ପୋଷ୍ଟ ଅଫିସ ହୋଇଥିଲା। ସେତେବେଳେ ବ୍ରିଟିଶମାନେ ନିଜର ସୁବିଧା ପାଇଁ ଏହି ଡାକ ସେବାକୁ ପ୍ରଚଳନ କରିଥିଲେ।
ଭାରତରେ ପୋଷ୍ଟକାର୍ଡ: ବିଭିନ୍ନ ସମୟର ଡାକଟିକେଟ ଓ ଡାକସମ୍ପର୍କିତ ଅନେକ ଲେଖାକୁ ସଂଗ୍ରହକରି ସାଇତି ରଖିଥିବା ସଂଗ୍ରାହକ ବିଭୂତି ପଟ୍ଟନାୟକ କୁହନ୍ତି, ଭାରତରେ ୧୮୭୯ମସିହା ନଭେମ୍ବର ୮ରେ ପ୍ରଥମେ ପୋଷ୍ଟକାର୍ଡ ପ୍ରଚଳନ ହୋଇଥିଲା। ଏଥିରେ ରାଣୀ ଭିକ୍ଟୋରିଆଙ୍କ ଛବି ଥିଲା। ୧୯୪୯ମସିହା ସେପ୍ଟେମ୍ବର ୭ରେ ସର୍ବଭାରତୀୟ ସ୍ତରରେ ମଧ୍ୟ ପୋଷ୍ଟକାର୍ଡ ପ୍ରଚଳନ କରାଯାଇଥିଲା। ସେହିପରି ଭାରତ ସ୍ବାଧୀନତା ପାଇବା ପରେ ସରକାର ଅଜନ୍ତାର ହାତୀଗୁମ୍ଫା ଚିତ୍ରଥିବା ପୋଷ୍ଟକାର୍ଡକୁ ପ୍ରଚଳନ କରିଥିଲେ। ପରବର୍ତ୍ତୀ ସମୟରେ ନୂତନ ମୁଦ୍ରଣ ପ୍ରଣାଳୀ ଯୋଗୁ ୫ପଇସା, ୬ପଇସା ୧୦, ୧୫, ୨୦, ୨୫ ଓ ୫୦ପଇସାରେ ପୋଷ୍ଟକାର୍ଡ ମୂଲ୍ୟ ରଖାଯାଇଥିଲା। ୧୯୭୨ ଅଗଷ୍ଟ ୧୫ରୁ ପୋଷ୍ଟକାର୍ଡ ଠିକଣା ଲେଖାଥିବା ସ୍ଥାନରେ ପିନ୍କୋଡ ଉଦ୍ଦିଷ୍ଟ ରହିଲା। ପୋଷ୍ଟକାର୍ଡକୁ ଦୁଇଭାଗରେ ବିଭକ୍ତ କରାଯାଇଛି- ସାଧାରଣବର୍ଗ ଓ ବିଶେଷ ବର୍ଗ। ଭାରତୀୟ ଡାକବିଭାଗ ଦ୍ୱାରା ୧୯୭୫ ମସିହାରୁ ପୋଷ୍ଟକାର୍ଡରେ ବିଭିନ୍ନ ବିଜ୍ଞାପନ ପ୍ରଚଳନ ହୋଇଥିଲା। ଏପରି କି ମେଘଦୂତ ପୋଷ୍ଟକାର୍ଡ ପ୍ରଚଳନ ହେଲା। ସେଥିରେ ଶିକ୍ଷା,ସ୍ବାସ୍ଥ୍ୟ ଆଦି ଜନସଚେତନତା ସନ୍ଦେଶ ରହୁଥିଲା। ତେବେ କେତେକ କ୍ଷେତ୍ରରେ ପୋଷ୍ଟକାର୍ଡ ଦ୍ୱାରା ଗୋପନବାର୍ତ୍ତାକୁ ପ୍ରେରଣ କରିବାରେ ଅସୁବିଧା ଦେଖାଦେଉଥିବାରୁ ପରବର୍ତ୍ତୀ ସମୟରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଚିଠିକୁ ବିଭିନ୍ନ ସ୍ଥାନକୁ କାଗଜରେ ଆଚ୍ଛାଦିତ କରି ପଠାଯାଉଥିଲା। ଏହାପରେ ମୁଦା ଲଫାପାର ବ୍ୟବହାର ହେଲା।
ପାରା ଦ୍ୱାରା ଚିଠି ପ୍ରେରଣ:ଡାକ ବ୍ୟବସ୍ଥାରେ ଅନ୍ୟପକ୍ଷେ ଦେଶରେ ପୋଲିସ ବିଭାଗ ଦ୍ୱାରା ବି ନିର୍ଦ୍ଦିଷ୍ଟ ସ୍ଥାନରୁ ଅନ୍ୟ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ତାଲିମପ୍ରାପ୍ତ ପାରା ଓ କୁକୁରଙ୍କ ଦ୍ୱାରା ଚିଠିପତ୍ରକୁ ପ୍ରେରଣ କରାଯାଉଥିଲା। ଏହା ସମୟକ୍ରମେ ପରିବର୍ତ୍ତନ ଘଟିଛି।
ବିଶ୍ୱର ପୁରାତନ ଡାକଘର:ଡାକ ସମ୍ପର୍କିତ କେତେକ ପତ୍ରପତ୍ରିକାରୁ ସୂଚନା ମିଳେ ବିଶ୍ୱର ସର୍ବପୁରାତନ ଡାକଘରଟି ଅଛି ସ୍କଟଲାଣ୍ଡର ସାନକର ପ୍ରଦେଶରେ। ସ୍କଟଲାଣ୍ଡ ଏବଂ ଇଂଲଣ୍ଡର ଏକତ୍ରୀକରଣର ପାଞ୍ଚବର୍ଷ ପରେ ଏହି ଡାକଘର କାଯର୍ୟ ଆରମ୍ଭ କରିଥିଲେ। ସେତେବେଳେ ଏବର ଭଳି ଡାକପିଅନ ନ ଥିଲେ । ଡାକ ପିଅନମାନଙ୍କୁ ଦୌଡାଳି (ରନର୍)କୁହାଯାଉଥିଲା। ଯାନବାହନ ସୁବିଧା ନ ଥିବାରୁ ଏମାନଙ୍କୁ ଦୌଡ଼ିଦୌଡ଼ି ଚିଠି ପହଞ୍ଚାଇବାକୁ ପଡ଼ୁଥିଲା। ଏଥିପାଇଁ ଦୌଡ଼ାଳିଙ୍କୁ କିଛି ପାରିଶ୍ରମିକ ଦେବାକୁ ପଡ଼ୁଥିଲା।
ପୋଷ୍ଟକାର୍ଡର ଜନ୍ମକଥା: ଭାବର ଆଦାନପ୍ରଦାନ ପାଇଁ ଡାକସାମଗ୍ରୀ ପୋଷ୍ଟକାର୍ଡକୁ ଯୋଗାଯୋଗ ମାଧ୍ୟମ ଭାବେ ବ୍ୟବହୃତ ହୋଇଥିଲା। ୧୮୬୯ ଅକ୍ଟୋବର ୧ରେ ପ୍ରଥମକରି ଅଷ୍ଟ୍ରିଆରେ ପୋଷ୍ଟକାର୍ଡ ପ୍ରଚଳନ ହୋଇଥିବା କୁହାଯାଏ। ୧୮୭୨ମସିହାରେ ଗ୍ରେଟବ୍ରିଟେନରେ ଏବଂ ସମୟକ୍ରମେ ବିଭିନ୍ନ ଦେଶରେ ଏହା ପ୍ରଚଳନ ହୋଇଥିଲା।
ଚିଠିର ବିଭିନ୍ନ ରୂପ: ପୂର୍ବରୁ ଚିଠି, ଲଫାଫା ଆଦି କାଗଜ ଆକାରରେ ନ ଥିଲା। ମାଟି, ପତଳା କାଠପଟା, ଚମଡ଼ା ଇତ୍ୟାଦିକୁ ବ୍ୟବହାର କରାଯାଉଥିଲା। ସମୟକ୍ରମେ କାଗଜରେ ଲଫାପା ହୋଇଥିଲା। ଯେମିତି କି ଇତିହାସରୁ ଜଣାପଡ଼େ ବେବିଲୋନ ସଭ୍ୟତାରେ ପ୍ରାୟ ୪ହଜାର ବର୍ଷତଳେ ମାଟିରେ ଆଚ୍ଛାଦିତ ଏକପ୍ରକାରର ଲଫାପା ବ୍ୟବହାର କରୁଥିଲେ। ପରେ ପାପରସ ଓ ମେଣ୍ଢା ଚମଡ଼ାରେ ନିର୍ମିତ ଲଫାପା ବ୍ୟବହାର କରୁଥିବା କେତେକ ପତ୍ରପତ୍ରିକାରୁ ସୂଚନା ମିଳେ।
ପୁରାଣରେ ଚିଠି:ବିଭିନ୍ନ ପୁରାଣ ଓ ଓଷାବ୍ରତରେ ଚିଠିକୁ ନେଇ ନାନାପ୍ରକାର ରୋଚକ କାହାଣୀ ରହିଛି ଯେପରି- ମେଘ ଓ ଦୂତିଙ୍କ ଜରିଆରେ ଚିଟାଉ, ଚିଠି ପଠାଯାଉଥିବାର କଥା ରହିଛି।
ପୁରୁଣା ଡାକଘର: ଗଞ୍ଜାମର ଗୋପାଳପୁର ବେଳାଭୂମିରେ କେବଳ ସ୍ମାରକୀ ଭାବେ ରହିଛି ପୁରାତନ ଉପଡାକଘର। ଇଂରେଜମାନେ ସେମାନଙ୍କ ଦରିଆପାରି ସମ୍ପର୍କ ସ୍ଥାପନ ପାଇଁ ଏହି ଡାକ ଘର ସ୍ଥାପନ କରିଥିଲେ। ଏଠାରେ ସେତେବେଳେ ଇଉରୋପ ଏବଂ ଅଷ୍ଟ୍ରେଲିଆ ଅଧିବାସୀଙ୍କ ସହିତ ଯୋଗାଯୋଗର ସୁବିଧା ହେଉଥିଲା। ୧୯୦୦ବେଳକୁ ବ୍ରିଟିଶ ଇଣ୍ଡିଆର ଷ୍ଟିମ ନାଭିଗେସନ କମ୍ପାନୀ ଓ ପରେ ସିନ୍ଧିଆକମ୍ପାନୀ ଭାରତର ପୂର୍ବ ଉପକୂଳରେ ରେଙ୍ଗୁନ ଯାଉଥିବା ଜାହାଜଗୁଡ଼ିକ ଚିଠି ନେଇ କାକିନାଡ଼ା, ବିଶାଖାପାଟଣା, କଳିଙ୍ଗପାଟଣା ଆଦି କେତୋଟି ବନ୍ଦରରେ ପହଞ୍ଚୁଥିଲେ। ସେଠାରୁ ଗୋପାଳପୁର ଡାକଘରକୁ ଟେଲିଗ୍ରାମ ଯୋଗେ ବାର୍ତ୍ତା ଶୁଣାଉଥିତ୍ଲେ ଓ ଚିଠିକୁ ଦେଉଥିଲେ। ୧୯୩୮ ମସିହା ଯାଏ ଏହା ଚାଲୁ ରହିଥିଲା। ଓଡ଼ିଶାରେ ଥିବା ବିଭିନ୍ନ ପୁରୁଣା ଡାକଘର ମଧ୍ୟରୁ ଏହା ଅନ୍ୟତମ।
ଚିଠିକୁ ନେଇ ଗୀତ:ଚିଠିକୁ ନେଇ ବିଭିନ୍ନ ଭାଷାରେ ଗୀତ ରଚନା ହୋଇଛି। ଏପରି କି ଢଗଢମାଳି ବି ରହିଛି। ତେବେ ହିନ୍ଦୀ ସିନେମାରେ ଚିଠି ଆଇହେ…ଚିଠି ଆଇହେ। ସନ୍ଦେଶ ଆତେହେ…। ସେହିପରି ଚିଠିମୋର ଟିକି ଚଢେଇ…ପ୍ରଥମ ପ୍ରେମର ପ୍ରଥମ ଚିଠି…ଲେଖୁଛି ଅଳପ ଭାବୁଛି ବେଶି। ନା ମୁଁ ତତେ କେବେ ଚିଠି ଦେଇଛି…। ଚିରିଦେବା ଆଗରୁ ଚିଠିଥରେ ପଢିଦେଖ…। ଚିଠି ବାସୁଛି ତୁଳସୀ ତୁଳସୀ। …ଗୋପନଗରୀରୁ ଚିଠି ଆସିଛି…। ମୁଁ ଚିଠି ଲେଖିଛି ମୋ ନୀଳମଣିକୁ। ଇତ୍ୟାଦି ଓଡ଼ିଆ ଗୀତ ରହିଛି। ପୁଣି ଚିଠିକୁ ନେଇ କେତେବେଳେ କିଏ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପାଖକୁ ବିଭିନ୍ନକ୍ଷେତ୍ରରେ କିଛି ସ୍ବତନ୍ତ୍ର ରେକର୍ଡ ପାଇଁ ଲେଖା ପଠାଇଥାନ୍ତି।
ଚିଠି ଏକ ନିଆରା ଅନୁଭୂତି: ଶୁଭସ୍ମିତା ମହାନ୍ତି (ଲଖିକା)
ଚିଠି ଅସୀମ ପ୍ରତୀକ୍ଷାର ଅନ୍ୟ ଏକ ନାମ। ମୋ ଗାଁ ବିବିଧବର୍ଣ୍ଣା ଏକ ସ୍ବପ୍ନିଳ ପୃଥିବୀ, ସୃଜନର ଆର୍ଯ୍ୟ ଭୂମି… ସେଇ ଶୈଶବରୁ ଥିଲା ମୋର ଚିଠି ପ୍ରତି ଅନେକ ଦୁର୍ବଳତା। ହେଲେ ଡାକବାଲା ଘଣ୍ଟି ବଜାଇ ଆସୁଥିଲା ଗାଁକୁ ଆଠ ଦିନରେ ଥରେ। ଆମ ଦାଦା ଦାମନଯୋଡ଼ିରୁ ଚିଠି ପଠାଉଥିଲେ, ସେଥିରେ ରହୁଥିଲା ଅନେକ ଶୁଭ ଖବର। ପତ୍ର ବନ୍ଧୁତା ମାଧ୍ୟମରେ ବି ମୋର ସାଂଗମାନେ ଚିଠି ଦେଉଥିଲେ। ଯେତେବେଳେ ଡାକବାଲା କହୁଥିଲା ତୁମର ଚିଠି ଆସିନି ମନରେ ବିଷଣ୍ଣତା ଭରି ଯାଉଥିଲା… କଲେଜ ସରିଗଲା ପରେ ମୋ ସାଂଗ ଇତିଶ୍ରୀ ମୋତେ ନିୟମିତ ଚିଠି ଦେଉଥିଲା, ମୁଁ ବି ତାକୁ…। ପ୍ରତି ଚିଠିରେ ଥିଲା ନିଃସର୍ତ୍ତ ଭଲପାଇବା, ମାନ ଅଭିମାନ। ମୋ ସ୍ବପ୍ନକୁ ସାକାର କରିବା ପାଇଁ ତା’ ଚିଠିରେ ଥିଲା ଅନେକ ଉପଦେଶ। ସମୟ ସହ ତାଳ ଦେଇ ତା’ସହ ମୋର ଆଉ ବେଶିଦିନ ସମ୍ପର୍କ ରହିଲାନି ସତ, ହେଲେ ନିରୋଳା ସମୟରେ ତା’ ଚିଠିଗୁଡ଼ିକ ପଢ଼ି ଆନନ୍ଦିତ ହେବା ସହ ତା’ ମୁହଁଟି ମୋ ଆଖି ଆଗରେ ନାଚି ଯାଉଥିଲା। ଗୋଲାପି ଚିଠିରେ ଥିବା ସ୍ନେହ ମମତାକୁ କ’ଣ ପାଇହୁଏ ଫୋନରୁ…ଆଜିର ଦୁନିଆରେ ଚିଠି ଏକ ଅଲୋଡ଼ା ପଦାର୍ଥ ହୋଇପାରେ…ହେଲେ ମୋ ଜୀବନରେ ଚିଠିର ମହତ୍ ଖୁବ୍ ବେଶି, ତା’ର ସ୍ଥାନ ସ୍ବତନ୍ତ୍ର, ଚିଠି ଏମିତି ଏକ ଚିର ସବୁଜ ସ୍ମୃତି; ଯାହା ପୁରୁଣା ଦିନର କଥାକୁ ସାଇତି ରଖେ। ସମୟ ଯେତେଦୂର ଚାଲିଗଲେ ବି ସ୍ନେହ, ଶ୍ରଦ୍ଧା, ଭଲ ପାଇବା କେବେ ହୃଦୟରୁ କମି ଯାଏନି।
ତଥାପି ଚିଠି: ଆଜିକାଲି ଇଣ୍ଟରନେଟ, ମୋବାଇଲ, ମେସେଞ୍ଜର, ହ୍ବାଟସ୍ଆପ, ଇ-ମେଲ ପରି ଆହୁରି କେତେକ ଡିଜିଟାଲ ଯୋଗାଯୋଗର ମାଧ୍ୟମ ଆରମ୍ଭ ହେଲାଣି । ତଥାପି ଡାକବାଲା ହାତରୁ ଚିଠିଟିଏ ନେବାବେଳେ ମନକୁ ଅଧିକ ଖୁସୀ ଲାଗିଥାଏ। ଭାରତରେ ଥିବା ଡାକଘର ମଧ୍ୟରୁ ଗ୍ରାମାଞ୍ଚଳରେ ସର୍ବାଧିକ। ଗାଁମାନଙ୍କରେ ସରକାରୀ ଡାକ ସେବା ଏବେବି ଲୋକଙ୍କ ଯୋଗାଯୋଗର ବିଶ୍ୱାସ ରକ୍ଷାକରିଛି। ଏହା ବ୍ୟତୀତ କେତେକ ଘରୋଇ ସଂସ୍ଥା ଡାକସେବା ପରି ସଂସ୍ଥା କରି ଚିଠି ଦେଣନେଣ କାରବାର କରିଥାନ୍ତି। ସତରେ ଚିଠି ସିନା ଆଉ ଆଗଭଳି ନାହିଁ କିନ୍ତୁ ଏବେ ବି ଚିଠି ଆସିଛି କହିଦେଲେ ବଢିଯାଏନି କି ସ୍ପନ୍ଦନ!
-ବନବିହାରୀ ବେହେରା